ଶ୍ରୀମନ୍ଦିର ପ୍ରଶାସନ କି ସେବାୟତ କେହି ମୋତେ ପଚାରୁନାହାଁନ୍ତି; କ୍ଷୋଭର ସହ କହିଲେ ଶଙ୍କରାଚାର୍ଯ୍ୟ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଶ୍ରୀମନ୍ଦିର ଚାରିଦ୍ୱାରା ଖୋଲିବା ପ୍ରସଙ୍ଗରେ ମୁହଁ ଖୋଲିଲେ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ। କହିଲେ ମୋତେ କେହି ପଚାରୁନାହାଁନ୍ତି କି କୌଣସି ପରାମର୍ଶ ନେଉ ନାହାନ୍ତି । ପ୍ରଶାସନ ଉପରେ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପୁରୀ ଗୋବର୍ଦ୍ଧନ ମଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚିଳାନନ୍ଦ ସରସ୍ୱତୀ । ଗୁଜରାଟରେ ଅନୁଷ୍ଠିତ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗଦେଇ ଶଙ୍କରାଚାର୍ଯ୍ୟ କ୍ଷୋଭ ପ୍ରକାଶ କରିଛନ୍ତି । ଶ୍ରୀମନ୍ଦିର ପ୍ରସଙ୍ଗରେ ତାଙ୍କ ଠାରୁ କୌଣସି ମତାମତ ନିଆଯାଉନାହିଁ ବୋଲି କହିଛନ୍ତି ।

ଶାସନତନ୍ତ୍ର, ଶ୍ରମନ୍ଦିର ପରିଚାଳନା କମିଟି, ସେବାୟତ ସମସ୍ତେ ତାଙ୍କଠାରୁ ଦୂରତା ଅବଲମ୍ବନ କରୁଥିବା କହିଛନ୍ତିି ଶଙ୍କରାଚାର୍ଯ୍ୟ । ଶ୍ରୀମନ୍ଦିରର ଯେକୌଣସି କାର୍ଯ୍ୟରେ ତାଙ୍କର ପରାମର୍ଶ ନେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଥିଲେ ମଧ୍ୟ ସମସ୍ତେ ଅଣଦେଖା କରୁଛନ୍ତି ବୋଲି ସେ କ୍ଷୋଭର ସହ କହିଛନ୍ତି । ରଥଯାତ୍ରା ସମୟରେ କେବଳ ରଥ ଉପରକୁ ଯିବା ବ୍ୟତୀତ ତାଙ୍କର ଆଉ କିଛି ସମ୍ପର୍କ ନାହିଁ ବୋଲି କ୍ଷୋଭର ସହ କହିଛନ୍ତି ଶଙ୍କରାଚାର୍ଯ୍ୟ।

ସେହିଭଳି ଶ୍ରୀମନ୍ଦିର ୪ ଦ୍ୱାର ପ୍ରସଙ୍ଗରେ ସେ ମତ ରଖି କହିଛନ୍ତି, ଦକ୍ଷିଣ ଦ୍ୱାର କେବଳ ମୋ ପାଇଁ ଖୋଲିପାରେ। ସମସ୍ତଙ୍କ ପାଇଁ ନୁହେଁ। ସନାତନ ଧର୍ମର ଗରିମାକୁ ନେଇ ମତ ରଖିବା ସହ ଶଙ୍କରାଚାର୍ଯ୍ୟ କହିଛନ୍ତି, ୩୨ ବିଦ୍ୟା, ୬୪ କଳାର ବିକାଶ କେବଳ ସନାତନ ଧର୍ମ ଦ୍ୱାରା ସମ୍ଭବ। ଉତ୍ପତ୍ତି, ସ୍ଥିତି ଓ ସମୃଦ୍ଧିର ବିଜ୍ଞାନ କେବଳ ସନାତନ ଶାସ୍ତ୍ର ଦ୍ୱାରା ସମ୍ଭବ। ସନାତନ ଧର୍ମକୁ ଗାଳି ଦେଉଥିବା ବ୍ୟକ୍ତି ନିଜେ ଏହାର ଶିକାର ହୁଏ ବୋଲି କହିଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ। ତେବେ ଶଙ୍କରାଚାର୍ଯ୍ୟଙ୍କ ଏଭଳି କ୍ଷୋଭଭରା ମନ୍ତବ୍ୟକୁ ନେଇ ଶ୍ରୀମନ୍ଦିର ପ୍ରଶାସନ କିମ୍ବା ସେବାୟତଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Related Posts