‘ଆମକୁ କେହି ରୋକି ପାରିବେ ନାହିଁ’; ବର୍ଷରେ ଭିଜି ଭିଜି କର୍ମୀଙ୍କୁ ଉଦବୋଧନ ଦେଲେ ରାହୁଲ ଗାନ୍ଧୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସ ପକ୍ଷରୁ ଭାରତ ଯୋଡ଼ ଯାତ୍ରା ରାହୁଲ ଗାନ୍ଧୀଙ୍କ ନେତୃତ୍ଵରେ ଜାରି ରହିଛି। ଏହି ଯାତ୍ରା ତାମିଲନାଡୁ ଓ କେରଳ ପରେ ଏବେ କର୍ଣ୍ଣାଟକରେ ପହଞ୍ଚିଛି। ତେବେ ରବିବାର ଏହି ଯାତ୍ରାରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା। କର୍ଣ୍ଣାଟକର ମହୀଶୂରରେ ଏକ ସଭାରେ ରାହୁଲ ଗାନ୍ଧୀ ଭାଷଣ ଦେବା ସମୟରେ ପ୍ରବଳ ବର୍ଷା ହୋଇଥିଲା। ତେବେ ରାହୁଲ ଏହି ବର୍ଷାରେ ଭିଜି ଭିଜି ହଜାର ହଜାର ସମର୍ଥକ ଏବଂ କର୍ମୀଙ୍କୁ ଉଦବୋଧନ ଦେଇଥିବା ଦେଖିବାକୁ ମିଳିଥିଲା। ଯାହାକୁ ଉପସ୍ଥିତ କର୍ମୀ ମଧ୍ୟ ବେଶ ପ୍ରଶଂସା କରିଛନ୍ତି।ରାହୁଲ ଏହି ଅବସରରେ କହିଛନ୍ତି ଯେ, ଆମକୁ କେହି ଅଟକାଇପାରିବେ ନାହିଁ, ଏମିତିକି ବର୍ଷା ବି ନୁହେଁ । ଆମର ଲକ୍ଷ୍ୟ ଭାରତକୁ ଏକଜୁଟ କରିବା ଆଉ ଆମେ ଏହି ଲକ୍ଷରେ ସଫଳ ହେବୁ ବୋଲି ରାହୁଲ କହିଛନ୍ତି।

ରାହୁଲ ଗାନ୍ଧୀ ଉଦବୋଧନ ଦେବା ବେଳେ ଆହୁରି କହିଛନ୍ତି ଯେ, ବିଜେପି ଏବଂ ଆରଏସଏସ ଭାରତରେ ଘୃଣା ବାଣ୍ଟୁଛନ୍ତି। ଏହା ବିରୁଦ୍ଧରେ ଛିଡା ହେବା ଭାରତ ଯୋଡ଼ ଯାତ୍ରାର ଲକ୍ଷ୍ୟ। ସେ କହିଛନ୍ତି କୌଣସି ପରିସ୍ଥିତିରେ ଏହି ଯାତ୍ରା ବନ୍ଦ ହେବ ନାହିଁ। ଏମିତିକି ବର୍ଷାରେ ମଧ୍ୟ ନୁହେଁ ବୋଲି ସେ କହିଛନ୍ତି । ବିଜେପି ସରକାର ଦୁର୍ନୀତିର ସମସ୍ତ ରେକର୍ଡ ଭାଙ୍ଗିଛି। କର୍ଣ୍ଣାଟକରେ ବିଜେପି କ୍ଷମତାରେ ରହିଛି । ଏଠିକାର ମୁଖ୍ୟମନ୍ତ୍ରୀ ସମସ୍ତ କାମରେ ୪୦% କମିଶନ ନିଅନ୍ତି। ଠିକାଦାର ସଂଘ ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ଲେଖି ସରକାରଙ୍କ ଦ୍ୱାରା ୪୦% କମିଶନ ନିଆଯାଉଥିବା ବାବଦରେ ଅବଗତ କରାଇଛନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀ କୌଣସି ପଦକ୍ଷେପ ନେଇ ନାହାନ୍ତି ବୋଲି ରାହୁଲ ଗାନ୍ଧୀ କହିଛନ୍ତି। କର୍ଣ୍ଣାଟକରେ ୧୩ ହଜାର ସ୍କୁଲ ଆସୋସିଏସନ କହିଛି ଯେ ସେମାନଙ୍କୁ ମଧ୍ୟ ସରକାରଙ୍କୁ ୪୦% କମିଶନ ଦେବାକୁ ପଡିବ, କିନ୍ତୁ ପ୍ରଧାନମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ ଏ ବିଷୟରେ କିଛି କହି ନାହାନ୍ତି।

ବିମୁଦ୍ରୀକରଣ ଏବଂ ଜିଏସଟି ଛୋଟ ବ୍ୟବସାୟୀଙ୍କ ମେରୁଦଣ୍ଡ ଭାଙ୍ଗିଛି। ଦେଶର ୨-୩ ଶିଳ୍ପପତିମାନେ ଲାଭ ପାଉଛନ୍ତି। ରାହୁଲ ଗାନ୍ଧୀ ଆହୁରି କହିଛନ୍ତି ଯେ ଗୋଟିଏ ପଟେ ବେକାରୀ ଏବଂ ଅନ୍ୟ ପଟେ ମୁଦ୍ରାସ୍ଫୀତି ବଢି ଚାଲିଛି। ବିଜେପି ଦେଶରେ ଘୃଣା କିମ୍ବା ହିଂସା ସୃଷ୍ଟି କରେ, ହେଲେ ଆମେ ଭାରତକୁ ଏକଜୁଟ କରିବୁ ବୋଲି ରାହୁଲ ଗାନ୍ଧୀ କହିଛନ୍ତି।

Related Posts