
ଭୁବନେଶ୍ବରରେ ଥିବା ଉଚ୍ଚ ଅଟ୍ଟାଳିକା ଏବଂ ବଡ ବଡ ମଲ, ମଲ୍ଟିପ୍ଲେକ୍ସ ଭିତରେ ଥିବା ପାର୍କିଂ ସ୍ଥାନରୁ ପାର୍କିଂ ଫି’ ଆଦାୟ କରିବା ଉପରେ ନଗର ଉନ୍ନୟନ ବିଭାଗ କଟକଣା ଜାରି କରିଛି । ଏସପ୍ଲାନେଡ, ଭବାନୀମଲ ଆଦି ରାଜଧାନୀର ବିଭିନ୍ନ ସ୍ଥାନରେ ରହିଥିବା ପାର୍କିଂ ସ୍ପେସ୍ରେ ଗାଡି ରଖିବା ଲାଗି ସଂପୃକ୍ତ ମଲ ପକ୍ଷରୁ ପାର୍କିଂ ଫି ଆଦାୟ କରାଯାଉଥିଲା । ଏହାକୁ ନଗର ଉନ୍ନୟନ ବିଭାଗ ବେଆଇନ ଘୋଷଣା କରିଥିବା ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ।
ମନ୍ତ୍ରୀ କହିଛନ୍ତି ଯେ, ଏହି ସବୁ ମଲ ସମ୍ମୁଖରେ ଥିବା ପାର୍କିଂ ସ୍ଥାନରୁ ବିଏମସି କିନ୍ତୁ ଫାର୍କିଂ ଫି ଆଦାୟ କରିପାରିବ । ସେହିଭଳି ରାଜଧାନୀର ବିଭିନ୍ନ ସ୍ଥାନରେ ବେଆଇନ ପାର୍କିଂ ହେଉଛି । ସେସବୁ ସ୍ଥାନରୁ ବେଆଇନ ପାର୍କିଂ ଉଚ୍ଛେଦ ସାଙ୍ଗକୁ ପାର୍କିଂ ଫିସ୍ ଆଦାୟ ଉପରେ ମଧ୍ୟ କଟକଣା ଲଗାଯିବା ସହ ବିଏମସିର ସ୍ବତନ୍ତ୍ର ସ୍ବାର୍ଡ ଚଢଉ କରିବ ।
ବେଆଇନ ଭାବେ ପାର୍କିଂ ଫି ଆଦାୟ ସମ୍ପର୍କିତ କୌଣସି ଅଭିଯୋଗ ଆସିଲେ ଫି ଆଦାୟକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।