ଇଞ୍ଜିନିୟରଙ୍କୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଲେ : “ସାର୍ ନୁହେଁ, ଆପଣ ମୋତେ ବସ୍ ଡାକିବେ”

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କେନ୍ଦ୍ର ରେଳମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରଠାରୁ ଚର୍ଚ୍ଚାରେ ଅଛନ୍ତି ଅଶ୍ବିନୀ ବୈଷ୍ଣବ। ବୁଧବାର ହୋଇଥିବା କେନ୍ଦ୍ର କ୍ୟାବିନେଟ ସମ୍ପ୍ରସାରଣରେ ତାଙ୍କୁ ଗୁରୁତ୍ବପୂର୍ଣ୍ଣ ରେଳବାଇ ଏବଂ ଆଇଟି ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଛି।  ସେ ମନ୍ତ୍ରଣାଳୟ ଗ୍ରହଣ କରିବା ମାତ୍ରେ ସେ ପ୍ରଥମେ ଅଫିସ୍ ଟାଇମ୍ ରେ ପରିବର୍ତ୍ତନ କରିଥିଲେ। କର୍ମଚାରୀମାନେ ମାନେ ଦୁଇଟି ସିଫ୍ଟରେ କାର୍ଯ୍ୟ କରିବେ ବୋଲି ଘୋଷଣା କରି ଦେଶର ନୂତନ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସମସ୍ତଙ୍କ ନଜରକୁ ଆସିଥିଲେ । ଏବେ କେନ୍ଦ୍ର ରେଳମନ୍ତ୍ରୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ରେଳ ସିଗନାଲ୍ ବିଭାଗର ଜଣେ ଇଞ୍ଜିନିୟରଙ୍କୁ ମନ୍ତ୍ରୀ କହିଥିଲେ ଯେ,” ସାର୍ ନୁହେଁ, ଆପଣ ମୋତେ ବସ୍ ଡାକିବେ । ” ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବା ସହ ମନ୍ତ୍ରୀଙ୍କର ବୟାନକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି ।

    ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶୁକ୍ରବାର ଦିନ ତାଙ୍କ ସହକର୍ମୀଙ୍କୁ ଭେଟିଥିଲେ। ରେଳ ମନ୍ତ୍ରୀ ତାଙ୍କ ସହକର୍ମୀଙ୍କୁ ଭେଟିବା ସମୟର ଏହି ଭିଡିଓରେ କେନ୍ଦ୍ର ମନ୍ତ୍ରୀ ତାଙ୍କ ସହକର୍ମୀଙ୍କୁ କହୁଛନ୍ତି ଯେ ‘ବହୁତ ଭଲ କାମ କରିବ, ବହୁତ ମଜା ଆସିବ …।’ ଏହି ସମୟରେ ରେଳ ମନ୍ତ୍ରଣାଳୟର ଜଣେ କର୍ମଚାରୀ ତାଙ୍କ ଅନ୍ୟ ସହକର୍ମୀଙ୍କ ତରଫରୁ ମନ୍ତ୍ରୀଙ୍କୁ କହିଥିଲେ ଯେ,’ଆମେ ଗତକାଲି କଥା ହେଉଥିଲୁ ଯେ ଆମର ଜଣେ ସହକର୍ମୀ ସେହି କଲେଜରୁ ଆପଣ ଯେଉଁ କଲେଜରୁ ପଢିଛନ୍ତି। ଏହା ଶୁଣି ରେଳ ମନ୍ତ୍ରୀ ବହୁତ ଖୁସି ହୋଇ ଇଞ୍ଜିନିୟରଙ୍କୁ ତାଙ୍କ ପାଖକୁ ଡାକିଥିଲେ । ଏହା ପରେ ତାଙ୍କୁ ଆଲିଙ୍ଗନ କରିଥିଲେ ।

   ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ ଇଞ୍ଜିନିୟର ଜଣକ ନୂତନ ରେଳ ମନ୍ତ୍ରୀଙ୍କୁ ଆଲିଙ୍ଗନ କରୁଛନ୍ତି ଏବଂ ସେଠାରେ ଉପସ୍ଥିତ ଥିବା ଅନ୍ୟ କର୍ମଚାରୀମାନେ ତାଙ୍କୁ କରତାଳି ଦେଇ ଅଭିବାଦନ ଜଣାଇଛନ୍ତି।  ଏହା ଉପରେ ରେଳ ମନ୍ତ୍ରୀ କହିଛନ୍ତି- ‘ଆମ କଲେଜରେ ଜୁନିଅର ସିନିୟରଙ୍କୁ ସାର୍ ନୁହେଁ ବସ୍ କୁହାଯାଏ, ତେବେ ତୁମେ ମୋତେ ବସ୍ ବୋଲି ଡାକିବ…?’  

      ପୂର୍ବତନ ଆଇଏଏସ୍ ଅଶ୍ୱିନୀ ବୈଷ୍ଣବ ରାଜସ୍ଥାନର ଯୋଧପୁରର ମୁଗନୀରାମ ବାଙ୍ଗୁର ମେମୋରିଆଲ ଇଞ୍ଜିନିୟରିଂ କଲେଜରେ ପାଠ ପଢୁଥିଲେ । ସେଠାରେ ସିନିୟରଙ୍କୁ ସାର୍ ନୁହେଁ ବସ୍ ବୋଲି ଡକାଯାଇଥାଏ। ଏହି ଅବସରରେ ମନ୍ତ୍ରୀ କହିଥିଲେ ଯେ , ଅଫିସକୁ ନିଜ ଘର ଭାବି କାମ କରିବା ସହ ମଜା ଉଠାଇବା ଦରକାର । ୫୧ ବର୍ଷୀୟ ଅଶ୍ୱିନୀ ବୈଷ୍ଣବ ୧୯୯୪ ବ୍ୟାଚର ଓଡ଼ିଶା କ୍ୟାଡରର ପ୍ରଶାସନିକ ଅଧିକାରୀ ଅଟନ୍ତି । 

        ସେ ଓଡ଼ିଶାର କଟକ ଓ ବାଲେଶ୍ୱର ଜିଲ୍ଲାରେ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିଲେ। ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ଥିଲେ। ଏବେ ସେ ଓଡିଶାରୁ ବିଜେଡି ସହାୟତାରେ ବିଜେପି ଟିକେଟ୍ ରେ ରାଜ୍ୟସଭାକୁ ଯାଇଛନ୍ତି। ବୁଧବାର କେନ୍ଦ୍ର କ୍ୟାବିନେଟ ସମ୍ପ୍ରସାରଣରେ ତାଙ୍କୁ ରେଳବାଇ ବିଭାଗ ଦିଆଯାଇଛି। ସେ କାର୍ଯ୍ୟଭାର ଗ୍ରହଣ କରିବା ପରେ ଅଫିସ୍ ଟାଇମିଂ ପରିବର୍ତ୍ତନ କରିଥିଲେ । ପ୍ରଥମ ସିଫ୍ଟ ସକାଳ ୭ରୁ ଅପରାହ୍ଣ ୪ଟା ଓ ଦ୍ୱିତୀୟ ସିଫ୍ଟ ଦ୍ୱିପ୍ରହର ୩ଟାରୁ ରାତ୍ରି ୧୨ଟା ପର୍ଯ୍ୟନ୍ତ ଚାଲିବ ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଥିଲା ।

Related Posts