ସାଧାରଣ ଲୋକଙ୍କୁ ନାଁ କିନ୍ତୁ ବିଜେଡି ନେତା ମନ୍ତ୍ରୀଙ୍କୁ ହଁ : ରେଶମ ସହରର ଏକମାତ୍ର ପାର୍କକୁ କବଜା କରିଛନ୍ତି ଭିଭିଆଇପି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : କରୋନା କାଳରେ ଘରେ ଘରେ ରହି ଲୋକେ ଭାରାକ୍ରାନ୍ତ ହୋଇପଡୁଛନ୍ତି।ତେଣୁ ମନୋରଞ୍ଜନ ପାଇଁ ଟିକିଏ ପାର୍କ ଆଡେ ବୁଲି ଆସନ୍ତି। ତେବେ ରେଶମ ସହର ବ୍ରହ୍ମପୁରର ଏକମାତ୍ର ମନୋରଞ୍ଜନ ଉଦ୍ୟାନ ରାମଲିଙ୍ଗମ ଟ୍ୟାଙ୍କ ପାର୍କ କିନ୍ତୁ ସାଧାରଣ ଜନତାଙ୍କ ପାଇଁ ବନ୍ଦ ହେଲେ ବିଜେଡି ଏମଏଲଏ , ମନ୍ତ୍ରୀ ଏବଂ ଭିଭିଆଇପିଙ୍କ ପାଇଁ ପୁରାପୁରି ଖୋଲା। ଗଲା କିଛି ଦିନ ହେଲା ଲୋକେ ପାର୍କକୁ ବୁଲିବାକୁ ଆସୁଥିବା ବେଳେ ସେମାନଙ୍କୁ ଭିତରକୁ ଯିବା ପାଇଁ ବାରଣ କରାଯାଇଛି। ଗେଟ୍ ବାହାରେ ସୂଚନା ଫଳକ ମାରି ଦିଆଯାଇଛି ଯେ ଅଗଷ୍ଟ ୧୮ରୁ ୩୦, ପାର୍କ ପୁରା ବନ୍ଦ। ଜନତାଙ୍କ ପାଇଁ ବନ୍ଦ ଥିବା ଏହି ପାର୍କକୁ ସଞ୍ଜ ନଇଁଲେ ରଂଗୀନ କରି ଦେଉଛନ୍ତି କର୍ତ୍ତୃପକ୍ଷ। ଏଠାରେ ଖିଆ ପିଆ ସାଙ୍ଗକୁ ମଉଜ ମସ୍ତିରେ ବିତୁଛି ରାତି। ସନ୍ଧ୍ୟା ହୋଇଗଲା ମାତ୍ରେ ପାର୍କରେ ଦେଖିବାକୁ ମିଳୁଛନ୍ତି ମାଳ ମାଳ ବିଜେଡି ନେତା, ମନ୍ତ୍ରୀ ଓ ତାଙ୍କ ସମର୍ଥକ। ଜନତାଙ୍କ ପାଇଁ ପାର୍କ ବନ୍ଦ ହେଲେ ବିଜେଡି ନେତାଙ୍କ ପାଇଁ ଖୋଲା। ବ୍ରହ୍ମପୁର ମହାନଗର ନିଗମର ଏଭଳି ଅଜବ ନିୟମକୁ ନେଇ ସେଠାକାର ସ୍ଥାନୀୟ ବାସିନ୍ଦା ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି।

ମିଳିଥିବା ସୂଚନା ମୁତାବକ ଗଂଜାମ ଜିଲ୍ଲାରେ ସ୍ମାର୍ଟ ସ୍କୁଲ କାର୍ଯ୍ୟକ୍ରମକୁ କିପରି ନିଜ ଜିଲ୍ଲାରେ କାର୍ଯ୍ୟକାରୀ କରିବେ ତାକୁ ଦେଖିବାକୁ ବିଧାୟକ ମାନେ ଏଠାକୁ ଆସୁଛନ୍ତି। ଆସନ୍ତା ଅଗଷ୍ଟ ୩୦ ତାରିଖ ଭିତରେ ୧୦୮ ବିଧାୟକ ଗଞ୍ଜାମ ଜିଲ୍ଲା ଆସିବାର କାର୍ଯ୍ୟକ୍ରମ ରହିଛି। ତେଣୁ ସେମାନଙ୍କୁ ସ୍ୱାଗତ କରିବା ପାଇଁ ପାର୍କରେ ଭବ୍ୟ ଆୟୋଜନ କରାଯାଉଛି। ତେବେ ସାଧାରଣ ଲୋକଙ୍କୁ ଏଥିରୁ ବାରଣ କରାଯାଉଥିବା ବେଳେ , ସ୍ଥାନୀୟ ବ୍ୟବସାୟୀ ମାନେ ମଧ୍ୟ ବିଧାୟକଙ୍କ ଗସ୍ତ ଦ୍ବାରା ପ୍ରଭାବିତ ହେଉଥିବା ଅଭିଯୋଗ କରିଛନ୍ତି ସେଠାକାର ବ୍ୟବସାୟୀ। ସେମାନଙ୍କ ଅଭିଯୋଗ ଅନୁଯାୟୀ ଅପରାହ୍ନ ୩ଟା ପରେ ପାର୍କ ନିକଟସ୍ଥ ସମସ୍ତ ଦୋକାନ ବନ୍ଦ ରଖିବାକୁ ପ୍ରଶାସନ ସେମାନଙ୍କୁ ନିର୍ଦ୍ଦେଶ ଦେଇଛି। ଯାହାକୁ ନେଇ ଏବେ ଚିନ୍ତାରେ ବ୍ୟବସାୟୀ। ପୂର୍ବରୁ ରାତି ୮ଟା ଯାଏଁ ବ୍ୟବସାୟ ହେଉଥିବା ବେଳେ ଏବେ ୩ଟା ଯାଏଁ ଦୋକାନ ଖୋଲିବାକୁ ଅନୁମତି ଥିବା କାରଣରୁ ସ୍ଥାନୀୟ ବ୍ୟବସାୟୀ ପ୍ରଭାବିତ ହୋଇଛନ୍ତି।

ବ୍ରହ୍ମପୁର ମହାନଗର ନିଗମର ଏଭଳି ଆଭିମୁଖ୍ୟକୁ ନେଇ କେବଳ ସହରବାସୀ କ୍ଷୁବ୍ଧ ନୁହଁନ୍ତି ବରଂ , ବିରୋଧୀ ବିଜେପି ମଧ୍ୟ ଏହାକୁ ନେଇ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି। ଗଂଜାମ ଜିଲ୍ଲାର ପୂର୍ବତନ ବିଜେପି ସଭାପତି କାହ୍ନୁଚରଣ ପତି କହିଛନ୍ତି, ସାଧାରଣ ଲୋକଙ୍କ ପାଇଁ ଶୀଘ୍ର ପାର୍କ ଖୋଲା ନହେଲେ ତାଙ୍କ ଦଳ ଆନ୍ଦୋଳନକୁ ଓହ୍ଲାଇବ। ଜବାବରେ ଜିଲ୍ଲା ବିଜେଡି ସଭାପତି କହିଛନ୍ତି-ଏମିତି ପାର୍କ ଓଡ଼ିଶାରେ ନାହିଁ। ଯେହେତୁ ବିଧାୟକମାନେ ଆମ ଅତିଥି, ତେଣୁ ସହରବାସୀ ସେମାନଙ୍କ ପାଇଁ କିଛି ଦିନ ସହ୍ୟ କରିବାରେ ବିଶେଷ ଅସୁବିଧା ନାହିଁ।

ଏହି ଅଭିଯୋଗ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ରମେଶ ଚାଉ ପଟ୍ଟନାୟକ ଯୁକ୍ତି ବାଢିଛନ୍ତି ଯେ , “ଓଡ଼ିଶାରେ ରାମଲିଙ୍ଗମ୍ ପରି ପାର୍କ ବିରଳ। ଯେହେତୁ ବିଧାୟକମାନେ ଜିଲ୍ଲା ପରିଦର୍ଶନ କରୁଛନ୍ତି, ସେମାନେ ଆମ ପାଇଁ ଅତିଥି ପରି ଏବଂ ଆମକୁ ସେମାନଙ୍କୁ ସ୍ୱାଗତ କରିବାକୁ ହେବ । ଲୋକଙ୍କ ପାଇଁ ୧୦ ଦିନ ଅସୁବିଧା ହୋଇପାରେ , କିନ୍ତୁ ଏ ବିଷୟରେ ଚିନ୍ତା କରିବା ଉଚିତ୍ ନୁହେଁ ବୋଲି ବିଜେଡି ନେତା କହିଛନ୍ତି। ”

Related Posts