
ୱାସିଂଟନ୍: ଆମେରିକା ଓ ଉତ୍ତର କୋରିଆ ମଧ୍ୟରେ ତିକ୍ତତା ଲାଗି ରହିଛି । ତେବେ ଉଭୟଙ୍କ ମଧ୍ୟରେ ଥିବା ଶତ୍ରୁତାପୂର୍ଣ୍ଣ ମନୋବୃତ୍ତିକୁ ମୁକାବିଲା କରିବା ଲାଗି ଉତ୍ତର କୋରିଆ ଆବଶ୍ୟକ ଆଣବିକ ଅସ୍ତ୍ର ଓ କ୍ଷେପଣାସ୍ତ୍ର ନିର୍ମାଣ ପରିତ୍ୟାଗ କରିବ ନାହିଁ କିମ୍ ଜୋଙ୍ଗ୍ ଉନ୍ କହିଛନ୍ତି।
ଉତ୍ତର କୋରିଆର ପ୍ରତିରକ୍ଷା ବ୍ୟବସ୍ଥାକୁ ଦୁର୍ବଳ କରି ଶେଷରେ ତାଙ୍କ ସରକାରକୁ ଭାଙ୍ଗିବାକୁ ଆମେରିକା ଅଭିଯାନ ଚଳାଇଛି ବୋଲି କିମ୍ ଅଭିଯୋଗ କରିଛନ୍ତି।
ଶୁକ୍ରବାର ଦିନ ରାଷ୍ଟ୍ରାୟତ ‘କୋରିୟାନ୍ ସେଣ୍ଟ୍ରାଲ୍ ନିଉଜ୍ ଏଜେନ୍ସି’ (କେସିଏନ୍ଏ) ରିପୋର୍ଟ କରିଛି ଯେ, ଗୁରୁବାର ଦିନ ଉତ୍ତର କୋରିଆର ‘ରବର୍-ଷ୍ଟାମ୍ପ୍’ ପାର୍ଲାମେଣ୍ଟ୍ରେ ଉଦ୍ବୋଧନ ଦେବା ବେଳେ କିମ୍ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ଯଦି ଉତ୍ତର କୋରିଆର ନେତାଙ୍କୁ ଆକ୍ରମଣ କରାଯାଏ ତେବେ ଶତ୍ରୁ ସୈନ୍ୟଙ୍କ ବିରୋଧରେ ଉତ୍ତର କୋରିଆ ଆପଣାଛାଏଁ ଆଣବିକ ଅସ୍ତ୍ର ପ୍ରୟୋଗ କରିବ ବୋଲି ଉତ୍ତର କୋରିଆର ସେନାବାହିନୀକୁ କ୍ଷମତା ଦେବା ପାଇଁ ପାର୍ଲାମେଣ୍ଟ୍ରେ ଆଗତ ଆଇନକୁ ସାଂସଦମାନେ ପାରିତ କରିଛନ୍ତି ।