ଜୁନ ୬ରୁ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା ଆରମ୍ଭ, ଜୁଲାଇ ୨୪ରୁ ପାଠପଢ଼ା

ସତ୍ୟପାଠ ବ୍ୟୁରୋ : ଯୁକ୍ତ ଦୁଇ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର ୧୬ଶହରୁ ଅଧିକ କଲେଜ, ସେଲ୍ଫ ଫାଇନାନ୍ସିଂ କଲେଜ, ଉପଶାସ୍ତ୍ରୀ ଓ ଧନ୍ଦାମୂଳକ ଶିକ୍ଷା କଲେଜରେ ନାମଲେଖା ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଜୁନ ୬ତାରିଖ ଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଅନଲାଇନରେ ଛାତ୍ରଛାତ୍ରୀ ନାମଲେଖା ପାଇଁ ଆବେଦନ କରିପାରିବେ । ଅଫଲାଇନରେ କୌଣସି ଫର୍ମ ଗ୍ରହଣ କରାଯିବ ନାହିଁ । ଫର୍ମ ପୂରଣ କରିବା ପୂର୍ବରୁ କମନ ଆପ୍ଲିକେସନ ଫର୍ମକୁ ଭଲଭାବେ ପଢ଼ି ପୂରଣ କରିବାକୁ ପରାମର୍ଶ ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ।

ଜୁନ୍ ୬ ପୂର୍ବାହ୍ନ ୧୧ଟାରୁ www.samodisha.gov.in ୱେବସାଇଟରେ ସିଏଏଫ୍ ଉପଲବ୍ଧ ହେବ। ଜୁନ୨୦ ତାରିଖ ପର‌୍ୟ୍ୟନ୍ତ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ୨୧ ତାରିଖ ଅପରାହ୍ନ ୫ଟା ସୁଦ୍ଧା ସିଏଏଫର ପ୍ରିଣ୍ଟ କପି ସହ ସମସ୍ତ ଡକ୍ୟୁମେଣ୍ଟ ସାମ୍ସ ରିସୋର୍ସ ସେଣ୍ଟର(ଏସଆରସି)ରେ ଦାଖଲ କରିପାରିବେ। ଜୁନ ୨୬ରେ ପ୍ରଥମ ପର‌୍ୟ୍ୟାୟ ମେରିଟ୍ ଲିଷ୍ଟ ତଥା କଟ୍ ଅଫ୍ ମାର୍କ ପ୍ରକାଶ ପାଇବ। ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ଜୁନ୍ ୨୮ରୁ ଜୁଲାଇ ୨ ତାରିଖ ମଧ୍ୟରେ ନାମ ଲେଖାଇପାରିବେ। ଜୁନ୍ ୨୮ରେ ପ୍ରଥମ ପର‌୍ୟ୍ୟାୟରେ ନାମଲେଖାଇଥିବା ଛାତ୍ରଛାତ୍ରୀଙ୍କ ତଥ୍ୟ ଅନଲାଇନରେ ପ୍ରକାଶ କରାଯିବ।

ଜୁଲାଇ ୮ରେ ଦ୍ବିତୀୟ ପର‌୍ୟ୍ୟାୟ ମେରିଟ୍ ଲିଷ୍ଟ ତଥା କଟ୍ ଅଫ୍ ମାର୍କ ତାଲିକା ପ୍ରକାଶ ପାଇବ। ଏଥିପାଇଁ ଜୁଲାଇ ୯ରୁ ୧୧ ମଧ୍ୟରେ ନାମଲେଖା ହେବ। ୧୨ ତାରିଖ ସନ୍ଧ୍ୟା ୫ଟା ସୁଦ୍ଧା ନାମଲେଖା ସମ୍ପର୍କିତ ତଥ୍ୟ ଅନଲାଇନରେ ବାହାରିବ। ଜୁଲାଇ ୧୬ରେ ବଳକା ସିଟ୍ ତାଲିକା ପ୍ରକାଶ କରାଯିବ। ୧୮ ତାରିଖ ଅପରାହ୍ନ ୨ଟା ସୁଦ୍ଧା ସ୍ପଟ୍ ନାମଲେଖା ଲାଗି ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିପାରିବେ। ଜୁଲାଇ ୨୦ରୁ ୨୨ ତାରିଖ ମଧ୍ୟରେ ସ୍ପଟ୍ ନାମଲେଖା ଅନୁଷ୍ଠିତ ହେବ। ଜୁଲାଇ ୨୪ରୁ ଯୁକ୍ତ୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Related Posts