
ଭୁବନେଶ୍ୱର ୨୮/୦୫ : ଏପ୍ରିଲ ମାସ ଶେଷ ସପ୍ତାହ ବେଳକୁ ଜାତୀୟ ରାଜଧାନୀ ଦିଲ୍ଲୀରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇଥିଲା। ଡାକ୍ତରଖାନାରେ ଅମ୍ଳଜାନର ଘୋର ଅଭାବ ସାଙ୍ଗକୁ ଜରୁରୀ ମେଡିସିନ ଏବଂ କୋଭିଡ୍ ରୋଗୀଙ୍କୁ ବେଡ୍ ନମିଳିବାରୁ ଅନେକ ରୋଗୀ ପ୍ରାଣ ହରାଇଥିଲେ। ପରିସ୍ଥିତି ଏତେ ଭୟାନକ ହୋଇଥିଲା ଯେ ଶ୍ମଶାନରେ ଶବଦାହ ପାଇଁ ଲାଇନ୍ ରେ ଛିଡା ହେବାକୁ ପଡ଼ିଥିଲା। ସାରା ଦିଲ୍ଲୀରେ ଲକଡାଉନ୍ ଲଗାଇ ଦିଆଗଲା। ଦୋକାନ ବଜାର, ନିର୍ମାଣ କାର୍ଯ୍ୟ ଇତ୍ଯାଦି ସବୁ ଠପ୍। କିନ୍ତୁ ପ୍ରତିଦିନ ସକାଳେ, ଜଣେ ୫୦ ବର୍ଷ ବୟସ୍କ ବ୍ୟକ୍ତି କନଷ୍ଟ୍ରକସନ୍ ସୁପରଭାଇଜର ପଶ୍ଚିମ ଦିଲ୍ଲୀ ସ୍ଥିତ ନିଜ ଘରୁ ୨୦ କିଲୋମିଟର ଦୂରରେ ସହରର ମଧ୍ୟଭାଗକୁ ଯାଉଥିଲେ। ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମହତ୍ତ୍ବକାକ୍ଷୀଂ ଯୋଜନା ସେଣ୍ଟ୍ରାଲ ଭିସ୍ଟା ନିର୍ମାଣ କାର୍ଯ୍ୟର ଏକ ଛୋଟିଆ ଅଂଶର ତଦାରଖ କରୁଥିଲେ। ଲକଡାଉନ୍ ହେତୁ ବ୍ୟସ୍ତବହୁଳ ଦିଲ୍ଲୀର ଅଧିକାଂଶ ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଯାଇଥିଲା। କିଛି କିଛି ସ୍ଥାନରେ ସିମୀତ ସଂଖ୍ୟକ ଶ୍ରମିକଙ୍କ ସହ ନିର୍ମାଣ କାର୍ଯ୍ୟ ପାଇଁ ଅନୁମତି ଦିଆଯାଉଥିଲା। କିନ୍ତୁ ସେଣ୍ଟ୍ରାଲ୍ ଭିସ୍ଟା ପ୍ରକଳ୍ପ କ୍ଷେତ୍ରରେ ଏକ ବ୍ୟତିକ୍ରମ ଥିଲା। ଏହାକୁ କେନ୍ଦ୍ର ସରକାର “ଅତ୍ୟାବଶ୍ୟକ ସେବା” ଭାବରେ ଘୋଷିତ କରିଦେଇଥିଲେ। ଏଥିପାଇଁ ଶ୍ରମିକ ମାନଙ୍କୁ ନେବା ଆଣିବା କରିବା ପାଇଁ ସ୍ବତନ୍ତ୍ର ବସ୍ ର ବ୍ୟବସ୍ଥା କରାଯାଇଥିଲା। ଏହି ସୁପରଭାଇଜର ଜଣଙ୍କ ରାଜପଥ ଏବଂ ରାଷ୍ଟ୍ରପତି ଭବନ ମଧ୍ୟରେ ଥିବା ୩.୨ କିଲୋମିଟର ରାସ୍ତାର ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ପ୍ରାୟ ୩୦ ଜଣ ଶ୍ରମିକଙ୍କ ତଦାରଖ କରିଥିଲେ। ସେ ଗତ ଫେବୃଆରୀ ମାସରୁ ଏହି ସାଇଟରେ ଦୈନିକ ୧୨ ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟ କରିଆସୁଥିଲେ। କିନ୍ତୁ ଏପ୍ରିଲ ମାସ ୨୬ ତାରିଖରେ ତାଙ୍କୁ ଜ୍ବର ହେଲା। ସେ କାମ ଛାଡ଼ିବାକୁ ନିଷ୍ପତ୍ତି ନେଲେ। ସୁପରଭାଇଜରଙ୍କ ସୂଚନା ମୁତାବକ ଯେତେବେଳେ ଜ୍ୱର କମିଲା ନାହିଁ ସେ ମେ ୧ ତାରିଖରେ ଏକ ସରକାରୀ ଆୟୁର୍ବେଦିକ ଡାକ୍ତରଖାନାକୁ ଯାଇଥିଲେ । ସେଠାରେ ସେ ଟୋକେନ୍ ପାଇଁ ଲାଇନ୍ ରେ ଛିଡା ହୋଇଥିଲେ , ପ୍ରାୟ ଏକ ଘଣ୍ଟା ଅପେକ୍ଷା କରିବା ପରେ ତାଙ୍କୁ ନାକରୁ ଜଣେ ସ୍ବାସ୍ଥ୍ୟ କର୍ମୀ ସ୍ବାବ ନେଇଥିଲେ। ସ୍ବାବ ନେବାର ଘଣ୍ଟାଏ ପରେ, ତାଙ୍କୁ କୁହାଯାଇଥିଲା ଯେ ସେ କୋଭିଡ୍ ପଜିଟିଭ୍। ସେ ତାଙ୍କର ଟେଷ୍ଟ ରିପୋର୍ଟ ମାଗିଥିଲେ, କିନ୍ତୁ ତାଙ୍କୁ ଡାକ୍ତରଖାନା ପକ୍ଷରୁ ରିପୋର୍ଟ ଦିଆଯାଇନଥିଲା ବୋଲି ସେ କହିଛନ୍ତି। ଆଗାମୀ କିଛି ଦିନ ପର୍ଯ୍ୟନ୍ତ ତାଙ୍କୁ ଜ୍ବର ଲାଗି ରହିଥିଲା, ସେ ଗନ୍ଧ କି ସ୍ୱାଦ ବାରି ପାରୁ ନଥିଲେ। ଏବଂ ନିଶ୍ୱାସ ପ୍ରଶ୍ୱାସ ନେବାରେ ଯନ୍ତ୍ରଣା ଅନୁଭବ କରୁଥିଲେ ବୋଲି ସେ କହିଛନ୍ତି। ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ କୋଭିଡ ଲକ୍ଷଣ ଦେଖାଦେଇଥିବା ଅନୁଭବ କରିଥିଲେ। ଯଦିଓ ତାଙ୍କ ପାଖରେ କୋଭିଡ୍ ପଜିଟିଭ୍ ଟେଷ୍ଟ ରିପୋର୍ଟ ନାହିଁ ତଥାପି ବି ସେ ଦୃଢ ଭାବରେ କହିଛନ୍ତି ଯେ ସେ ସେଣ୍ଟ୍ରାଲ ଭିସ୍ଟା ସାଇଟରୁ ସଂକ୍ରମିତ ହୋଇଛି ଏବଂ ଅନ୍ୟ କର୍ମଚାରୀମାନେ ମଧ୍ୟ ଅସୁସ୍ଥ ହୋଇପଡିଥିଲେ। ମହାମାରୀ ସମୟରେ ରଖି ସେଣ୍ଟ୍ରାଲ ଭିସ୍ଟା ନିର୍ମାଣ କାର୍ଯ୍ୟ ଚାଲୁଥିବା ହେତୁ ସରକାରଙ୍କୁ କଡା ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଫଳରେ ସରକାର ନିର୍ମାଣ କାର୍ଯ୍ୟ ଚାଲିଥିବା ସାଇଟ ଉପରକୁ ପ୍ରବେଶ ଉପରେ, ଫଟୋଗ୍ରାଫି ଉପରେ ମଧ୍ୟ ରୋକ୍ ଲଗାଇଦେଲେ । କିନ୍ତୁ Scroll.in ର ରିପୋର୍ଟ ଅନୁଯାୟୀ ସେଠାରେ କାମ କରୁଥିବା ଶ୍ରମିକ ମାନଙ୍କୁ ଯେଉଁ ତମ୍ବୁ ତଳେ ରଖାଯାଇଥିଲା ସେଠାରେ ସାମାଜିକ ଦୂରତା ନିୟମ ପାଳନ କରିବା ଅସମ୍ଭବ। ସେହି ସାଇଟ୍ ରେ କାମ କରୁଥିବା ଜଣେ ବ୍ୟକ୍ତି କହିଛନ୍ତି ଯେ ତିନିଜଣ ଶ୍ରମିକ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଦାୟିତ୍ବରେ ଥିବା ସରକାରୀ ଏଜେନ୍ସି ସେଣ୍ଟ୍ରାଲ ପବ୍ଲିକ୍ ୱାର୍କସ ବିଭାଗର ମୁଖପାତ୍ର ତିନି ଜଣ ଶ୍ରମିକ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ନିଶ୍ଚିତ କରିଛନ୍ତି । Scroll.in କୁ ଦେଇଥିବା ସୂଚନା ଅନୁଯାୟୀ ,” ଏଜେନ୍ସି ମେ ମାସରେ ସାଇଟରେ ୨୬୩ ଟି RT-PCR ଟେଷ୍ଟ କରିଥିଲା, ଏବଂ ସେଥିମଧ୍ୟରୁ ୨୬୦ ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବା ବେଳେ କେବଳ ୩ ଜଣଙ୍କର ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି। ସଂକ୍ରମିତଙ୍କୁ ସଙ୍ଗରୋଧରେ ରଖାଯିବା ସହ ମାଗଣାରେ ଚିକିତ୍ସା ସହାୟତା ଦିଆଯାଉଛି। ” ତେବେ ଏଜେନ୍ସି ତିନି ଜଣଙ୍କ ପଜିଟିଭ୍ ସୁନିଶ୍ଚିତ କରିଥିବାବେଳେ ସୁପରଭାଇଜରଙ୍କର ସେଠାରେ ଟେଷ୍ଟ କରାଯାଇନଥିବା ଜଣାପଡିଛି। ଯାହା ଦ୍ବାରା ଆହୁରି ଅଧିକ ଲୋକ ସଂକ୍ରମିତ ହେବା ଆଶଙ୍କା କରାଯାଉଛି। ସୁପରଭାଇଜରଙ୍କ ନଜଫଗଡ ସ୍ଥିତ ସସରକାରୀ ଆୟୁର୍ବେଦିକ ଡାକ୍ତରଖାନା, ବ୍ରଜ ପ୍ରକାଶ ଆୟୁର୍ବେଦ ଚାରକ ସଂସ୍ଥାନରେ ହୋଇଥିବା ଟେଷ୍ଟ ଏବେ ରହସ୍ୟ ଘେରରେ। କାରଣ ତାଙ୍କୁ ରିପୋର୍ଟ ଦିଆଯାଇନଥିଲା। କିନ୍ତୁ ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ଯେ , “ ଯେଉଁମାନଙ୍କ ରିପୋର୍ଟ ପଜିଟିଭ ଚିହ୍ନଟ ହୋଇଥିଲା ସେମାନେ ଆନ୍ୟ ଏକ କୋଠରୀକୁ ଯାଇ ସେଠାରୁ ଔଷଧ ନେବା ଉଚିତ୍ ବୋଲି କହିଥିଲେ , କିନ୍ତୁ ଯେଉଁମାନେ ନେଗେଟିଭ୍ ଚିହ୍ନଟ ହୋଇଥିଲେ ସେମାନଙ୍କୁ ରିପୋର୍ଟ ଦିଆଯାଇଥିଲା। ତେବେ ହସ୍ପିଟାଲର ଜଣେ ଅଧିକାରୀ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ଉଭୟ ପଜିଟିଭ୍ ଏବଂ ନେଗେଟିଭ୍ ପାଇଁ ହେଉଥିବା ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ରିପୋର୍ଟ ଦିଯାଉଥିବାବେଳେ ତିନି ଦିନ ମଧ୍ୟରେ ଆରଟିପିସିଆର ଟେଷ୍ଟ ରିପୋର୍ଟ ଦିଆଯାଉଛି। ଅନ୍ୟପକ୍ଷରେ ସୁପରଭାଇଜର କହିଛନ୍ତି ଯେ ସେ ଏକ ଘରୋଇ ଲାବୋରେଟୋରୀରେ କୋଭିଡ ଟେଷ୍ଟ କରିବା ପାଇଁ ଅସମର୍ଥ ଅଟନ୍ତି। କିନ୍ତୁ ସେ ପଶ୍ଚିମ ଦିଲ୍ଲୀର ଏକ ଲ୍ୟାବରେ ଅନେକ ରକ୍ତ ପରୀକ୍ଷା କରିଥିଲେ, ଏବଂ ଟାଇଫ୍ଏଡ୍ ହୋଇଥିବା ଜଣାପଡିଥିଲା। ପରବର୍ତ୍ତୀ କିଛି ଦିନ, ସେ ଘରେ ଜ୍ୱରରେ ପଡ଼ି ରହିଲେ ଏବଂ ନିଶ୍ୱାସ ନେବା କଷ୍ଟକର ହୋଇପଡିଲା । ସେ କହିଥିଲେ, “ମୁଁ କ୍ୱଚିତ୍ ସଚେତନ ଥିଲି। ଏକ ଅକ୍ସିମିଟର ଉପରେ ତାଙ୍କର ଅମ୍ଳଜାନ ସ୍ତର ଉପରେ ସେ ନଜର ରଖିଥିଲେ । ଯେତେବେଳେ ତାଙ୍କ ପରିବାରର ଅନ୍ୟମାନଙ୍କ ଠାରେ କୋଭିଡ୍ ଲକ୍ଷଣ ଦେଖାଗଲା ସେମାନେ ଟେଷ୍ଟ କଲେ ନାହିଁ। ସେମାନେ ଜଣେ ଡାକ୍ତରଙ୍କ ପରାମର୍ଶ କ୍ରମେ ମେଡିସିନ ଖାଇଥିଲେ ବୋଲି ସେ ଦାବି କରିଛନ୍ତି। ଯେଉଁଥିରେ ଭିଟାମିନ୍ ସି ଟାବଲେଟ୍ ବ୍ୟତୀତ ଆଜିଥ୍ରୋମାଇସିନ୍, ଆଣ୍ଟିବାୟୋଟିକ୍ ଏବଂ ଆଇଭର୍ମେକ୍ଟିନ୍ ନାମକ ଏକ ଆଣ୍ଟିଭାଇରାଲ୍ ମେଡିସିନ ମଧ୍ୟ ଅନ୍ତର୍ଭୁକ୍ତ, ଯାହାକି କୋଭିଡ୍ -19 ରୋଗୀଙ୍କ ଚିକିତ୍ସାରେ ବ୍ୟବହୃତ ହେଉଥିଲା। ତେବେ ଏହାକୁ ନେଇ କୌଣସି ପ୍ରାମଣ ମିଳି ନାହିଁ। ମେ ମାସର ତୃତୀୟ ସପ୍ତାହ ସୁଦ୍ଧା ସୁପରଭାଇଜର ଏବଂ ତାଙ୍କ ପରିବାର ଅସୁସ୍ଥ ହୋଇପଡିଥିଲେ। ମେ ୧୯ ତାରିଖରେ, ସେ ସେହି ଡାକ୍ତରଖାନାରେ ଆଉ ଏକ କୋଭିଡ -19 ଟେଷ୍ଟ କରିଥିଲେ – ଏଥର ତାଙ୍କୁ ରିପୋର୍ଟ ଦିଆଗଲା ଯେ ତାଙ୍କ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ନେଗେଟିଭ୍ ଆସିଥିଲା। କିନ୍ତୁ ସେ ତଥାପି ଦୁର୍ବଳ ଅନୁଭବ କରୁଛନ୍ତି। ସେଣ୍ଟ୍ରାଲ ଭିଷ୍ଟା ନିର୍ମାଣ କାର୍ଯ୍ୟ ଭାରତର ଏକ ବଡ କନଷ୍ଟ୍ରକସନ୍ କମ୍ପାନୀ ଶାପୁରଜୀ ପାଲୋଞ୍ଜୀ ଆଣ୍ଡ୍ କମ୍ପାନୀ ପ୍ରାଇଭେଟ ଲିମିଟେଡ୍ କୁ ପ୍ରଦାନ କରାଯାଇଥିଲା। ତେବେ ସୁପରଭାଇଜର ଜଣକ ଗର୍ଗ ବିଲଡର୍ସ କମ୍ପାନୀ( ଯାହା ଅଧୀନରେ କାମ କରୁଥିଲେ) ବିରୋଧରେ ଗୁରୁତର ଅଭିଯୋଗ କରିଛନ୍ତି। ଗର୍ଗ ବିଲଡର୍ସ କମ୍ପାନୀ ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କରୁଛି। ସେ କହିଛନ୍ତି ଯେ ଅସୁବିଧା ସମୟରେ କମ୍ପାନୀ ତାଙ୍କୁ ସାହାଯ୍ୟ କଲା ନାହିଁ।” ସେ ଗର୍ଗ ବିଲଡର୍ସ କମ୍ପାନୀରେ ୩୦ ବର୍ଷ ଧରି କାମ କରୁଛନ୍ତି। ସୁପରଭାଇଜର ଜଣକ ଅଭିଯୋଗ କରିଛନ୍ତି ଯେ , “ ମୁଁ କୋଭିଡ ପଜିଟିଭ ଚିହ୍ନଟ ହେବା ନେଇ କମ୍ପାନୀକୁ ଜଣାଇବା ପରେ ସେମାନେ ମୋ ଆକାଉଣ୍ଟକୁ ଟଙ୍କା ପଠାଇବେ ବୋଲି ସେମାନେ କହିଥଲେ, କିନ୍ତୁ ସେମାନେ ମୋତେ ବୋକା ବନେଇଦେଲେ। କମ୍ପାନୀ ପକ୍ଷରୁ ମେଡିସିନ କି ଦରମା କିଛି ବି ଦିଆଯାଇନଥିବା ସେ ଅଭିଯୋଗ କରିଛନ୍ତି। ସୁପରଭାଇଜର କହିଛନ୍ତି ଯେ ତାଙ୍କୁ ମାର୍ଚ୍ଚ ମାସରେ ଶେଷ ଥର ପାଇଁ ମାସିକ ୨୭ ହଜାର ଟଙ୍କା ଦରମା ଦିଆଯାଇଥିଲା। ତେବେ କୋଭିଡ୍ ରେ ଆକ୍ରାନ୍ତ ହୋଇ ତାଙ୍କ ପରିବାର ଚିକିତ୍ସାରେ ୩୦ ହଜାର ଟଙ୍କା ଖର୍ଚ୍ଚ କରିଥିଲା। ଏବଂ ସେମାନେ ଏହି ଖର୍ଚ୍ଚ ବହନ କରିବା ପାଇଁ ତାଙ୍କ ସମ୍ପର୍କୀୟ ମାନଙ୍କ ଠାରୁ କରଜ ନେଇଥିଲେ। ତେବେ Scroll.in ର ରିପୋର୍ଟ ଅନୁଯାୟୀ ଗାର୍ଗ ବିଲଡର୍ସ କମ୍ପାନୀର ପରିଚାଳକ ସ୍ବୀକାର କରାଯାଇଥିଲା ଯେ ମାର୍ଚ୍ଚ ମାସ ପରଠାରୁ ସୁପରଭାଇଜରଙ୍କୁ ଦରମା ଦିଆଯାଇ ନଥିଲା। ତେବେ କମ୍ପାନୀ ପକ୍ଷରୁ କୁହାଯାଇଥିଲା ଯେ ଲକଡାଉନ୍ ହେତୁ ନଗଦ ଟଙ୍କା କିମ୍ବା ଚେକ୍ ଦେବା କଷ୍ଟକର ହୋଇପଡିଥିଲା। ଲକଡାଉନ୍ ଖୋଲିବା ପରେ ଆକାଉଣ୍ଟକୁ ଦରମା ଟଙ୍କା ପଠା ହୋଇଯିବ ବୋଲି କମ୍ପାନୀର ମ୍ୟାନେଜର ପୱନ କହିଛନ୍ତି। ତେବେ କମ୍ପାନୀ ମ୍ୟାନେଜର ପୱନ କହିଥିଲେ ଯେ ଯେଉଁ କର୍ମଚାରୀମାନେ ଅସୁସ୍ଥ ଅଛନ୍ତି ସେ ଅନ୍ୟ କେହି ସମ୍ପର୍କୀୟଙ୍କୁ ପଠାଇ ଟଙ୍କା ନେବାକୁ କୁହାଯାଇଥିଲା। କିନ୍ତୁ ସୁପରଭାଇଜର କହିଛନ୍ତି, କିନ୍ତୁ କୋଭିଡ କାରଣରୁ ଅସୁସ୍ଥ ଥିବା କାରଣରୁ ଟଙ୍କା ଆଣିବା ପାଇଁ ସେ ତାଙ୍କ ପୁଅକୁ ମଧ୍ୟ ପଠାଇ ପାରି ନଥିଲେ। ସେ କହିଛନ୍ତି, “ତାଙ୍କର [ମ୍ୟାନେଜର] ଦଶରୁ 15 ଜଣ କର୍ମଚାରୀ ଅଛନ୍ତି, ସେ ସେମାନଙ୍କ ଜରିଆରେ ପଠାଇ ପାରିଥାନ୍ତେ।

ମହାମାରୀକୁ ଦୃଷ୍ଟିରେ ରଖି ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପର ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବାକୁ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଏକ ପିଟିସନର ଜବାବରେ ମୋଦୀ ସରକାର ଦାବି କରିଛନ୍ତି ଯେ ଏହି ସାଇଟରେ କୋଭିଡ -19 ପ୍ରୋଟୋକଲ ପାଳନ କରାଯାଉଛି । ସାନିଟାଇଜେସନ୍ , ଥର୍ମାଲ୍ ସ୍କ୍ରିନିଂ, କୋଭିଡ୍ ପରୀକ୍ଷା, ଚିକିତ୍ସା ସହାୟତା ଏବଂ ଯଦି କେହି ଅସୁସ୍ଥ ହୁଅନ୍ତି ତାଙ୍କ ପାଇଁ ସଙ୍ଗରୋଧ ବ୍ୟବସ୍ଥା କରାଯାଇଥିଲା। ତେବେ ଏହା ମଧ୍ୟ ଦାବି କରାଯାଇଥିଲା ଯେ କଣ୍ଟ୍ରାକ୍ଟରମାନେ ସେମାନଙ୍କ ଶ୍ରମିକମାନଙ୍କୁ ସ୍ୱାସ୍ଥ୍ୟ ବୀମା ଯୋଗାଇ ଦେଇଛନ୍ତି। କିନ୍ତୁ ସୁପରଭାଇଜର ଅଭିଯୋଗ କରିଛନ୍ତି ଯେ ଶ୍ରମିକମାନଙ୍କ ସୁରକ୍ଷା ପାଇଁ ସେଠାରେ ସେମିତି କିଛି ଆଖିଦୃଶିଆ ପଦକ୍ଷେପ ନିଆଯାଉ ନାହିଁ। ସେ କହିଛନ୍ତି, “ଆମେ ଏକ ମାସ୍କ ପିନ୍ଧିଥିଲୁ, କିନ୍ତୁ ଏହା ବ୍ୟତୀତ ଅନ୍ୟ କୌଣସି ସତର୍କତା ଅବଲମ୍ବନ କରାଯାଇ ନାହିଁ। ତାଙ୍କର କିମ୍ବା ଅନ୍ୟ ଶ୍ରମିକମାନଙ୍କର କମ୍ପାନୀ ଦ୍ୱାରା ସ୍ବାସ୍ଥ୍ୟ ବୀମା ହୋଇନଥିବା ସେ ଅଭିଯୋଗ କରିଛନ୍ତି । ରବିବାର ଅପରାହ୍ନ ଥିଲା, ଶ୍ରମିକମାନେ ୟାର୍ଥ ମୁଭର୍ସ ଚଳାଉଥିଲେ, ଇଣ୍ଡିଆ ଗେଟ୍ ନିକଟରେ ଥିବା କେନାଲଗୁଡ଼ିକରେ ଖୋଳୁଥିଲେ ଏବଂ ପାଇପଲାଇନ ବିଛାଉଥିଲେ।

ସେମାନଙ୍କ ମଧ୍ୟରେ ପଞ୍ଜାବର ଅମୃତସରର ଦୁଇଜଣ ଯୁବକ କ୍ରେନ୍ ଅପରେଟର କହିଛନ୍ତି ଯେ ସେମାନେ ଗୁରୁଗ୍ରାମ ଭିତ୍ତିକ କମ୍ପାନୀ ଜସପାଲ୍ କ୍ରେନ୍ ରେ କାମ କରିଥିଲେ ସେମାନଙ୍କୁ ମାସିକ ମଜୁରୀ ଭାବରେ 23,000 ଟଙ୍କା ଦେଇଥିଲା। ଫେବୃଆରୀରେ ସେମାନେ ଷ୍ଟ୍ରେଚରେ କାମ ଆରମ୍ଭ କରିଥିଲେ। ସେମାନେ କହିଛନ୍ତି ଯେ କେବଳ ଏପ୍ରିଲ ମାସରେ ଥରେ ମାତ୍ର ସେମାନଙ୍କର କୋଭିଡ୍ ଟେଷ୍ଟ କରାଯାଇଥିଲା। ତେବେ ମଜୁରୀ ଠିକ୍ ସମୟରେ ମିଳିଯାଉଥିଲା। ବେଳେବେଳେ ଆଗୁଆ ମଧ୍ୟ ମିଳିଯାଉଥିଲା। ଗତ ସପ୍ତାହର ବର୍ଷା ଠାରୁ ସେମାନେ ଜନପଥ ରୋଡ୍ ନିକଟରେ ଅସ୍ଥାୟୀ ଘର କରି ରହୁଥିଲେ। ତିନୋଟି ଅସ୍ଥାୟୀ ଘର ସେଠାରେ ଥିଲା । ପ୍ରତ୍ୟେକଟିର ଚଉଡା ସାତ ଫୁଟରୁ ଅଧିକ ନଥିଲା ଯାହାକି ଜଣେ ବ୍ୟକ୍ତିଙ୍କୁ ରହିବା ପାଇଁ ଯଥେଷ୍ଟ ଥିଲା, କିନ୍ତୁ କମ୍ପାନୀ ଦୁଇଜଣ ଶ୍ରମିକଙ୍କୁ ଗୋଟିଏ ଅସ୍ଥାୟୀ ଟିଣ ଘରେ ରହିବାକୁ କହିଥିଲା ।

ଶୋଇବା ପାଇଁ ଏକ ବେଡ୍ ଦିଆଯାଇଥିଲା ଯେଉଁଥିରେ କୌଣସି ଗଦିର ବ୍ଯବସ୍ଥା ନଥିଲା। ସେଠାରେ ରହୁଥିବା ଦୁଇ ଜଣ ଶ୍ରମିକ ଚଟାଣରେ ରଖାଯାଇଥିବା ଏକ ପତଳା ଗଦିରେ ଶୋଇଥିଲେ । ଗତ ସପ୍ତାହରେ ହୋଇଥିବା ବର୍ଷାରେ ଏହି ଅସ୍ଥାୟୀ ଘରେ ବର୍ଷା ଜଳ ପ୍ରବେଶ କରିଥିଲା ବୋଲି ଶ୍ରମିକମାନେ କହିଛନ୍ତି। ଜଣେ 23 ବର୍ଷ ବୟସ୍କା କହିଛନ୍ତି, “ଆମେ ସାରା ରାତି ଅନିଦ୍ରା ଥିଲୁ। ସବୁଆଡେ ପାଣି ଭର୍ତ୍ତି ହୋଇଥିଲା । ” ତେବେ ଅନ୍ୟ ସମୟରେ ଅତ୍ୟଧିକ ଗରମ ହେଉଥିବା ହେତୁ ସେମାନେ ୪୫୦୦ ଟଙ୍କା ଦେଇ ଏକ କୁଲର କିଣିଥିଲେ।

ଅମୃତସରର ଜଣେ ୨୨ ବର୍ଷ ବୟସ୍କ କର୍ମଚାରୀ କହିଛନ୍ତି ଯେ, “ଆମକୁ ନିଜ ଗଦି , ଗ୍ୟାସ୍ ଚୁଲା ଆଣିବାକୁ ପଡିଲା। କଣ୍ଟ୍ରାକ୍ଟର ଦେଇଥିବା ସାପ୍ତାହିକ ୧୦୦୦ ଟଙ୍କାରେ ରୋଷେଇ କରିଥିଲେ ।ମୋବାଇଲ୍ ଶୌଚାଳୟ ବ୍ଯବହାର କରିବା ପାଇଁ ସେମାନଙ୍କୁ ଅତି କମରେ ୫୦୦ ମିଟର ଚାଲି ଯିବାକୁ ପଡୁଥିଲା । ଅପରପକ୍ଷରେ ସେଣ୍ଟ୍ରାଲ ପବ୍ଲିକ୍ ୱାର୍କସ ବିଭାଗର ମୁଖପାତ୍ର କହିଛନ୍ତି ଯେ ଶ୍ରମିକମାନେ ଟିଣ ଘରେ ରହୁଛନ୍ତି, କିନ୍ତୁ ତମ୍ବୁର ବ୍ୟବସ୍ଥା କରାଯାଇଛି ।

ସେ କହିଛନ୍ତି, “ଆମେ ୱାଟର ପ୍ରୁଫ୍ ତମ୍ବୁ ଯୋଗାଇଛୁ। 15 ଫୁଟ ଲମ୍ବ ଏବଂ 15 ଫୁଟ ଓସାରର ଏହି ଅସ୍ଥାୟୀ ଘରେ କେବଳ 6-8 କର୍ମଚାରୀ ବାସ କରୁଛନ୍ତି। ସୂଚନାଯୋଗ୍ୟ, ଏହି ପ୍ରକଳ୍ପ ପାଇଁ ଅନୁମୋଦିତ 20,000 କୋଟି ଟଙ୍କା ମଧ୍ୟରୁ 971 କୋଟି ଟଙ୍କା ନୂତନ ସଂସଦ ଭବନରେ ଏବଂ 13,450 କୋଟି ଟଙ୍କା ପ୍ରଧାନମନ୍ତ୍ରୀ ଆବାସ ଏବଂ ଉପରାଷ୍ଟ୍ରପତି ଭବନ ନିର୍ମାଣ ପାଇଁ ଖର୍ଚ୍ଚ ହେବ।
( ଏହି ରିପୋର୍ଟ ଵିଜେତା ଲାଲଓ୍ଵାନି ଙ୍କ ଦ୍ବାରା www.scroll.in ରେ ପ୍ରକାଶିତ। ଏଥିରେ ପ୍ରକାଶ କରାଯାଇଥିବା ତଥ୍ୟ ର ମୂଳ ସ୍ଵତାଧୀକାର scroll.in ଅଟେ। ସତ୍ୟପାଠରେ କେଵଳ ଅନୁଵାଦ ପ୍ରକାଶ ପାଇଛି।)