ବିଦା ହେବେ ବାଂଲାଦେଶୀ !

କେନ୍ଦ୍ରାପଡ଼ାରୁ ବିଦା ହୋଇପାରନ୍ତି ବାଲାଂଦେଶୀ । ଜିଲ୍ଲାରେ ଥିବା ବାଂଲାଦେଶୀ ଅନୁପ୍ରେବେଶକାରୀ ଚିହ୍ନଟ ପାଇଁ ପଦକ୍ଷେପ ନେବାକୁ  ରେଜିଷ୍ଟ୍ରାର ଜେନେରାଲଙ୍କୁ  ଚିଠି ଲେଖିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ନାଗରିକ ପଞ୍ଜୀକରଣ ତାଲିକା ବା NRC ପ୍ରସ୍ତୁତ କରିବାକୁ କହିଛି କେନ୍ଦ୍ର ।  ଏବେ କେନ୍ଦ୍ରାପଡ଼ାରେ ରହୁଥିବା ବାଂଲାଦେଶୀଙ୍କ ନିଦ ହଜାଇଛି ଏହି ଚିଠି ।  ଜନ୍ମରୁ କେନ୍ଦ୍ରପଡ଼ାରେ ରହି ଆସୁଥିବା ବାଂଲାଦେଶୀଙ୍କ ମନରେ ଆଶଙ୍କା ପଶିଛି । ସେପଟେ ନିର୍ଦ୍ଦେଶ ଆସିଲେ ଗାଇଡ୍‌ଲାଇନ ଅନୁସାରେ ତାଲିକା ପ୍ରସ୍ତୁତ ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ସୂଚନା ଅନୁସାରେ ୧୯୫୦ରେ ପୂର୍ବ ପାକିସ୍ତାନରେ ଭୟଙ୍କର ଗୃହ ଯୁଦ୍ଧ ଯୋଗୁଁ ଜୀବନ ବଞ୍ଚାଇ ପ୍ରାୟ ୨୫ ହଜାର ଶରଣାର୍ଥୀ ଭାରତ ଆସିଥିଲେ। ସେଥିରୁ କେନ୍ଦ୍ରାପଡ଼ା ଆସିଥିବା ୧୨୩୭ ଶରଣାର୍ଥୀଙ୍କୁ ମହାକାଳପଡ଼ା ଓ ରାଜନଗର ଅଞ୍ଚଳରେ ଥଇଥାନ କରାଯାଇଥିଲା । ସେବେ ଠାରୁ କେନ୍ଦ୍ରାପଡ଼ା ଜିଲ୍ଲାରେ ଅନୁପ୍ରବେଶ କାରୀଙ୍କ ସଂଖ୍ୟା ବଢ଼ିଚାଲିଛି । ବର୍ଷ ବର୍ଷ ଧରି ସମୁଦ୍ର ପଥ ଦେଇ ବାଂଲାଦେଶରୁ ଭିତରକନିକା ଦେଇ ଆସୁଛନ୍ତି ଅନୁପ୍ରେବେଶକାରୀ । ଜିଲ୍ଲାର ତାଳଚୁଆ, ରଂଗଣୀ, ଗୁପ୍ତି, ଡଙ୍ଗମାଳ, ଗହୀରମଥା, ଅହିରାଜ ପୁର, ଅମରାବତୀ, କନକ ନଗର, ବତୀଘର, ପିତାପାଟ ଆଦି ଅଞ୍ଚଳରେ ପ୍ରାୟ ନବେ ପ୍ରତିଶତ ଲୋକ ବାଂଲାଦେଶୀ । ସେଠାରେ ବେଆଇନ ଚିଙ୍ଗୁଡ଼ି ଘେରି କରି ହେନ୍ତାଳ ବଣ ନଷ୍ଟ କରି ଚାଲିଛନ୍ତି । ୨୦୦୫ରେ ୧୫୫୧ ଜଣ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଇ ଦେଶାନ୍ତର ନୋଟିସ ଜାରି କରିଥିଲେ କେନ୍ଦ୍ର ସରକାର । ହେଲେ ଏହା ଲାଗୁ ହୋଇପାରି ନଥିଲା। 2004ରେ ୟୁପିଏ ସରକାର ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ, ଓଡ଼ିଶାରେ ବେଆଇନ ଅନୁପ୍ରବେଶକାରୀଙ୍କ ସଂଖ୍ୟା 30 ହଜାର 850 ଥିବା କହିଥିଲେ । ଦେଢ଼ ଦଶନ୍ଧୀ ମଧ୍ୟରେ ଏହି ସଂଖ୍ୟା ଢେର ବଢ଼ିଥିବା ସମ୍ଭାବନା ରହିଛି । ତେଣୁ ସରକାରୀ ନିର୍ଦ୍ଦେଶ ଆସିବା ପରେ ପୁଣି ଗଣତି ଓ ଚିହ୍ନଟ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

Related Posts