
ପ୍ରକାଶ ପାଇଛି ୨୦୧୭-୧୮ ବର୍ଷର ଓଏଏସ୍ ପରୀକ୍ଷା ଫଳ । ଏଥର ପୁଅଙ୍କୁ ପଛରେ ପକାଇ ପୁଣି ବାଜି ମାରିଛନ୍ତି ଝିଅ । ପ୍ରଥମ ତିନିଟି ସ୍ଥାନରେ ବି ଝିଅ ହିଁ ରହିଛନ୍ତି । କୃତକାର୍ଯ୍ୟ ହୋଇଥିବା ମୋଟ ୧୦୬ ଜଣଙ୍କ ମଧ୍ୟରେ ଅଛନ୍ତି ୪୨ ଜଣ ଛାତ୍ରୀ । ପ୍ରଥମ ସ୍ଥାନ ହାସଲ କରିଛନ୍ତି ଭୁବନେଶ୍ବରର ଆୟୁଷୀ ମହାପାତ୍ର । ଦ୍ବିତୀୟ ସ୍ଥାନରେ ସଞ୍ଜିତା ମହାପାତ୍ର ଓ ତୃତୀୟରେ ଅଛନ୍ତି ପୁନମ ମହାପାତ୍ର ।
ଭୁବନେଶ୍ବର ଶ୍ରୀରାମନଗରରେ ଆୟୁଷୀଙ୍କର ଘର । ବିଟେକ୍ ପରେ ହାଇଦ୍ରାବାଦରେ ଏକ ଘରୋଇ କମ୍ପାନୀରେ ଚାକିରି କରୁଥିଲେ । ସେହିଠାରେ ହିଁ ସେ ପ୍ରଶାସନିକ ସେବା ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରୁଥିଲେ । ପ୍ରଥମ ଆଟେମ୍ପଟ୍ରେ ହିଁ ଓଏଏସ୍ରେ କୃତକାର୍ଯ୍ୟ ହୋଇଛନ୍ତି ଆୟୁଷୀ । ସେହିପରି ଦ୍ବିତୀୟ ସ୍ଥାନରେ ଥିବା ସଞ୍ଜିତା ରାଉରକେଲାର ଝିଅ । ସେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ମେକାନିକାଲ ଇଞ୍ଜିନିୟର ଭାବେ କାମ କରୁଥିଲେ ।
ଏଥର ଓଡ଼ିଶା ପ୍ରଶାସନିକ ପରୀକ୍ଷା ଓ ଫଳାଫଳ ପ୍ରକାଶନରେ ଏକପ୍ରକାର ରେକର୍ଡ ହୋଇଛି । ଖୁବ କମ୍ ସମୟରେ ପ୍ରକାଶ ପାଇଛି ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ଫଳ । ମାତ୍ର ୫ ମାସ ଭିତରେ ଅନୁଷ୍ଠିତ ହୋଇଥିଲା ପ୍ରିଲିମ, ମେନ୍ ପରୀକ୍ଷା ଓ ବ୍ୟକ୍ତିଗତ ସାକ୍ଷାତକାର ।