ଲୋକସଭାରେ ସର୍ବ ସମ୍ମତିରେ ଗୃହୀତ ହେଲା ଓବିସି ସଂରକ୍ଷଣ ବିଲ୍‌

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ନିଜସ୍ୱ ଜାତଭିତ୍ତିକ ତାଲିକା ପ୍ରସ୍ତୁତ କରିବାକୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କ୍ଷମତା ଦେଉଥିବା ଓବିସି ସଂଶୋଧନ ବିଲ୍‌ ( ସମ୍ବିଧାନ ୧୨୭ ତମ ସଂଶୋଧନ ବିଲ୍, ୨୦୨୧) ମଙ୍ଗଳବାର ଦିନ ଲୋକସଭାରେ ପାସ୍‌ ହୋଇଯାଇଛି। ଏହି ଓବିସି ସଂଶୋଧନ ବିଲ୍‌ ସପକ୍ଷରେ ଲୋକସଭାରେ ଉପସ୍ଥିତ ଥିବା ସମସ୍ତ ୩୮୫ ସାଂସଦ ଭୋଟ ଦେଇଛନ୍ତି। ଏହି ବିଲ୍ କୁ କେହି ବି ବିରୋଧ କରି ନାହାନ୍ତି । ଲୋକସଭାରେ ବିଲ୍‌ ପାରିତ ହୋଇଥିବାରୁ ଏବେ ଏହାକୁ ରାଜ୍ୟସଭାରେ ଉପସ୍ଥାପନ କରାଯିବ। ସେଠାରେ ଏହା ପାସ ହେବା ପରେ ଏହା ଆଇନରେ ପରିଣତ ହେବ। ରାଜ୍ୟମାନେ ଏହି ଆଇନ ବଳରେ ପ୍ରସ୍ତୁତ କରୁଥିବା ଓବିସି ତାଲିକା କେନ୍ଦ୍ର ଠାରୁ ମଧ୍ୟ ଭିନ୍ନ ହୋଇପାରିବ। ଏହା ଉପରେ କେହି ବି ପ୍ରଶ୍ନ ଉଠାଇ ପାରିବେ ନାହିଁ। ତେବେ ଏହା ବ୍ୟତୀତ ଆରକ୍ଷଣ ସୀମାକୁ ୫୦ ପ୍ରତିଶତରୁ ଅଧିକ କରିବାକୁ ବିରୋଧୀ ମାନେ ଦାବି କରିଛନ୍ତି।

ଏହାର ଜବାବରେ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ବିରେନ୍ଦ୍ର କୁମାର କହିଛନ୍ତି ଯେ, “ଇନ୍ଦ୍ର ସାୱନି ମାମଲାରେ କୋର୍ଟ କହିଛନ୍ତି ଯେ ଆରକ୍ଷଣ ସୀମାକୁ କିଛି ବିଶେଷ ପରିସ୍ଥିତିରେ ୫୦% ରୁ ଅଧିକ ହୋଇପାରିବ । ତେଣୁ ସଦସ୍ୟମାନଙ୍କ ଚିନ୍ତା ବିଷୟରେ ସରକାର ଅବଗତ ଅଛନ୍ତି ବୋଲି ସେ କହିଛନ୍ତି।”

ସେ ଆହୁରି ମଧ୍ୟ କହିଛନ୍ତି ଯେ, ” ବର୍ତ୍ତମାନର ସାମ୍ବିଧାନିକ ସଂଶୋଧନ ବିଲ୍ ଏକ ଐତିହାସିକ ଆଇନ କାରଣ ଦେଶରେ ୬୭୧ ଜାତି ଏହି ଆଇନ ଦ୍ବାରା ଉପକୃତ ହେବେ ଏବଂ OBC ତାଲିକା ପ୍ରସ୍ତୁତ କରିବା ପାଇଁ ରାଜ୍ୟଗୁଡିକ ନିକଟରେ ଅଧିକାର ରହିବ।

ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, “୧୨୭ ତମ ସମ୍ବିଧାନ ସଂଶୋଧନ ବିଲକୁ ପାରିତ କରିବାରେ ଲୋକସଭାରେ ସବୁ ସଦସ୍ୟ ସହଯୋଗ କରିଛନ୍ତି। ଏଥିପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ଏହା ରାଜ୍ୟସଭାରେ ଥରେ ପାସ୍‌ ହୋଇଗଲେ ଓବିସି ବର୍ଗର ଲୋକଙ୍କ ସ୍ୱାର୍ଥକୁ ସୁରକ୍ଷା ଦେବାରେ ସହାୟକ ହେବ।”

ସୂଚନାଯୋଗ୍ୟ ଯେ ସୁପ୍ରିମକୋର୍ଟ ମେ’ ମାସରେ ମରାଠା ଆରକ୍ଷଣ ଉପରେ ରାୟ ଦେଇ ସୁପ୍ରିମକୋର୍ଟ କହିଥିଲେ ଯେ, “ଓବିସି ତାଲିକା କେବଳ କେନ୍ଦ୍ର ସରକାର ହିଁ ପ୍ରସ୍ତୁତ କରିବେ। ରାଜ୍ୟମାନେ କୌଣସି ଜାତିକୁ ସଂରକ୍ଷଣ ତାଲିକାରେ ସାମିଲ କରିପାରିବେ ନାହିଁ ସଂସଦରେ ଆଇନ ପ୍ରଣୟନ ହୋଇଥିବା ସୁପ୍ରିମକୋର୍ଟ କହିଥିଲେ।” ଏହାକୁ ବଦଳାଇବା ପାଇଁ ତଥା ରାଜ୍ୟମାନଙ୍କୁ ସ୍ୱତନ୍ତ୍ର କ୍ଷମତା ଦେବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ୧୨୭ତମ ସମ୍ବିଧାନ ସଂଶୋଧନ ବିଲ ଆଣିଥିଲେ। ଲୋକସଭାରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ବିରେନ୍ଦ୍ର କୁମାର ଏହାକୁ ଆଗତ କରି ଏକ ଐତିହାସିକ ପଦକ୍ଷେପ ବୋଲି କହିଛନ୍ତି। ଏହି ବିଲ୍‌ ଦ୍ୱାରା ୬୭୧ଟି ଜାତିର ଲୋକମାନେ ଲାଭବାନ ହେବେ ବୋଲି ସେ କହିଥିଲେ।

ବିରୋଧୀ ଦଳ ନେତା ତଥା କଂଗ୍ରେସ ସାସଂଦ ଆଧୀର ରଂଜନ ଚୌଧୁରୀ କହିଛନ୍ତି ଯେ ୧୦୨ ତମ ସାମ୍ବିଧାନିକ ସଂଶୋଧନ ଉପରେ ବିତର୍କ ସମୟରେ ନରେନ୍ଦ୍ର ମୋଦୀ ସରକାର ବିରୋଧୀଙ୍କ ପରାମର୍ଶକୁ ନଜର ଅନ୍ଦାଜ କରିଦେଇଛନ୍ତି। ଏହି ବିଲ୍ କୁ ସମର୍ଥନ କରି ଶ୍ରୀ ଚୌଧୁରୀ କହିଛନ୍ତି ଯେ,” ଆପଣ (ବିଜେପି) ୧୦୨ ତମ ସାମ୍ବିଧାନିକ ସଂଶୋଧନ ବିଲ୍, ୨୦୧୮ ଆଣି ସମ୍ବିଧାନର ବିରୋଧ କରିଛନ୍ତି, ଯାହା ଫଳରେ ଲୋକଙ୍କୁ କୋର୍ଟକୁ ଯିବାର ସୁଯୋଗ ମିଳିଛି ଏବଂ ସୁପ୍ରିମକୋର୍ଟ ରାଜ୍ୟଗୁଡିକର କ୍ଷମତା ହଟାଇ ଦେଇଛନ୍ତି। ତେବେ ଆମେ ଏହି ବିଲ୍ କୁ ସମର୍ଥନ କରୁଛୁ କିନ୍ତୁ ସଂରକ୍ଷଣରେ ୫୦% ରୁ ଅଧିକ ବୃଦ୍ଧି ହେଉଛି ଆମର ଦାବି। ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ସୁପ୍ରିୟା ସୁଲେ, ମଧ୍ୟ ଏହି ବିଲ୍ କୁ ସମର୍ଥନ କରିଛନ୍ତି।

ସେହିପରି ସମାଜବାଦୀ ପାର୍ଟିର ନେତା ଅଖିଳେଶ ଯାଦବ, କହିଛନ୍ତି ଯେ, ଜାତିଭିତ୍ତିକ ଜନଗଣନା କରିବାର ସମୟ ଆସି ଯାଇଛି। ଯଦି ଆପଣ ଏମିତି କରିବେ ନାହିଁ ତେବେ ୟୁପିରେ ସମାଜବାଦ ସରକାର ଗଠନ ପରେ ଆମେ ଏମିତି କରିବୁ। କେବଳ ଏତିକି ନୁହେଁ ବିଜେପିକୁ କେନ୍ଦ୍ର ଓ ବିହାରରେ ସମର୍ଥନ ଦେଉଥିବା ଜେଡିୟୁ ମଧ୍ୟ ଜାତିଭିତ୍ତିକ ଜନଗଣନା କରିବାକୁ ଦାବି କରିଛି। ସଂସଦରେ ଜେଡିୟୁର ସାଂସଦ ରାଜୀବ ରଞ୍ଜନ ସିଂହ ଏହି ଦାବି କରିଛନ୍ତି। ଏହା ପୂର୍ବରୁ ଜେଡିୟୁର ମୁଖ୍ୟ ତଥା ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଅନେକ ଥର ଏମିତି ଦାବି କରି ସାରିଛନ୍ତି।

ଶିବସେନା ପକ୍ଷରୁ ଏହି ବିଲ୍‌ରେ ଗୋଟିଏ ସଂଶୋଧନ ପ୍ରସ୍ତାବ ଆଗତ କରାଯାଇଥିଲା। କିନ୍ତୁ ଏହା ବିରୋଧରେ ୩୦୫ ଭୋଟ ପଡ଼ିଥିବା ବେଳେ ୭୧ଟି ଭୋଟ ସପକ୍ଷରେ ଯାଇଥିଲା। ଫଳରେ ଏହି ପ୍ରସ୍ତାବ ଗୃହରେ ଅଗ୍ରାହ୍ୟ ହୋଇଯାଇଥିଲା।

Related Posts