(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ମେଡିକାଲ ଶିକ୍ଷାରେ ପଛୁଆ ବର୍ଗ ଓ ଆର୍ଥିକ ଅନଗ୍ରସର ପିଲାଙ୍କ ଲାଗି ଏଣିକି ମେଡିକାଲ ସିଟ୍ ସଂରକ୍ଷଣ ରହିବ ବୋଲି ଗୁରୁବାର ଦିନ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ଏହି ପ୍ରସଙ୍ଗକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ବାହୁଜନ ସମାଜ ପାର୍ଟି ଅଧ୍ୟକ୍ଷା ମାୟାବତୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ ସରକାରୀ କଲେଜଗୁଡ଼ିକର ମେଡିକାଲ ଏବଂ ଡେଣ୍ଟାଲ ପାଠ୍ୟକ୍ରମରେ ଓବିସି ଛାତ୍ର ଛାତ୍ରୀ ମାନଙ୍କୁ ସଂରକ୍ଷଣ ଦିଆଯିବା ନିଷ୍ପତ୍ତି ବିଳମ୍ବ ହୋଇଯାଇଛି । ମାୟାବତୀ କହିଛନ୍ତି ଯେ ନିର୍ବାଚନରେ ଫାଇଦା ଉଠାଇବା ଲକ୍ଷ୍ୟରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

ବିଏସପି ସୁପ୍ରିମୋ ଆହୁରି ମଧ୍ୟ କହିଛନ୍ତି ଯେ ସରକାରୀ ଚାକିରିରେ ସଂରକ୍ଷିତ ବର୍ଗ ସିଟରେ ବ୍ୟାକ୍ ଲଗ୍ ପୂରଣ କରିବାକୁ ତାଙ୍କ ଦଳ ଆଗରୁ ଦାବି କରି ଆସୁଛି। କିନ୍ତୁ ଉତ୍ତରପ୍ରଦେଶ ସମେତ କେନ୍ଦ୍ର ସରକାର ଏବଂ ବିଭିନ୍ନ ରାଜ୍ୟର ରାଜ୍ୟ ସରକାର ମାନେ ଏ ଦିଗରେ ଉଦାସୀନ ମନୋଭାବ ପୋଷଣ କରୁଛନ୍ତି।

ବିଏସପି ମୁଖ୍ୟ ଟୁଇଟ୍ କରି କହିଛନ୍ତି ଯେ , “ଦେଶର ସରକାରୀ ମେଡିକାଲ କଲେଜଗୁଡ଼ିକର ଅଲ ଇଣ୍ଡିଆ ୟୁଜି ଏବଂ ପିଜି ସିଟ୍ ରେ ଓବିସି ମାନଙ୍କୁ ଆରକ୍ଷଣ ଦେବାରେ ସରକାର ବହୁ ବିଳମ୍ବ କରି ଦେଇଛନ୍ତି। ସେ କହିଛନ୍ତି ଯେ ଯଦି କେନ୍ଦ୍ର ସରକାର ପୂର୍ବରୁ ଏହି ନିଷ୍ପତ୍ତି ନେଇଥାନ୍ତେ, ତେବେ ଏହି ପଛୁଆ ବର୍ଗର ଛାତ୍ରଛାତ୍ରୀମାନେ ଉପକୃତ ହୋଇ ପାରିଥାନ୍ତେ। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ସରକାର ଏହି ନିଷ୍ପତ୍ତି ନେଇଥିବା କାରଣରୁ ଲୋକେ ଏହାକୁ ନିର୍ବାଚନୀ ଫାଇଦା ପାଇଁ ନିଆଯାଇଥିବା ନିଷ୍ପତ୍ତି ବୋଲି କହୁଛନ୍ତି।

ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, “ଯଦିଓ ବିଏସପି ଦୀର୍ଘ ଦିନ ଧରି ସରକାରୀ ଚାକିରିରେ ଏସସି, ଏସଟି ଏବଂ ଓବିସି କୋଟାର ବ୍ୟାକ ଲଗ୍ ପଦବୀ ପୂରଣ କରିବାକୁ ଦାବି କରିଆସୁଛି, କିନ୍ତୁ ୟୁପି ସମେତ ବିଭିନ୍ନ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଏଥିପ୍ରତି ଉଦାସୀନ ରହିଆସିଛନ୍ତି ।

ସୂଚନାଯୋଗ୍ୟ ଯେ ଗତ କାଲି ମେଡିକାଲ ପାଠ୍ୟକ୍ରମରେ AIQ ଆଧାରରେ ଓବିସିଙ୍କୁ ୨୭ % ଓ EWS ଙ୍କୁ ୧୦ % ଆରକ୍ଷଣ ଦେବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିଲେ।
କେନ୍ଦ୍ର ସରକାର ନେଇଥିବା ଏହି ନିଷ୍ପତ୍ତି ଅନୁସାରେ, ଦେଶର ପାଖାପାଖି ୫୫୦୦ ଛାତ୍ରଛାତ୍ରୀମାନେ ଉପକୃତ ହୋଇପାରିବେ। ପ୍ରତ୍ୟେକ ବର୍ଷ ୧୫୦୦ OBC ଛାତ୍ର ଛାତ୍ରୀ MBBS ପାଠ୍ୟକ୍ରମରେ ଓ ୨୫୦୦ ପଛୁଆ ବର୍ଗ ପିଲା ପୋଷ୍ଟଗ୍ରାଜୁଏଟ୍‌ରେ ନାମ ଲେଖାଇବା ସମୟରେ ଏହା ଦ୍ଵାରା ଉପକୃତ ହୋଇପାରିବେ।

ସେହିପରି ଆର୍ଥିକ ଅନଗ୍ରସର (EWS) ପିଲାମାନେ MBBSରେ ୫୫୦ ଏବଂ ପୋଷ୍ଟ ଗ୍ରାଜୁଏଟ୍‌ରେ ୧୦୦୦ ଛାତ୍ରଛାତ୍ରୀ ଲାଭ ଉଠାଇ ପାରିବେ। ପ୍ରକାଶ ଥାଉକି, ସରକାରଙ୍କ ଅଧୀନରେ ଥିବା ମୋଟ ସିଟ୍ ମଧ୍ୟରୁ ୧୫ ପ୍ରତିଶତ ୟୁଜି (ସ୍ନାତକୋତ୍ତର) ଏବଂ ୫୦ ପ୍ରତିଶତ ପିଜି (ପୋଷ୍ଟ ଗ୍ରାଜୁଏଟ୍) ସିଟ୍ ଅଲ ଇଣ୍ଡିଆ କୋଟା ଅଧୀନରେ ରହିଛି। ଡାକ୍ତରୀ ଶିକ୍ଷାର ସର୍ବ-ଭାରତ କୋଟାରେ ଓବିସି ସଂରକ୍ଷଣ ପାଇଁ ଡାକ୍ତରୀ ଆଶାୟୀ ଛାତ୍ରଛାତ୍ରୀମାନେ ଦୀର୍ଘ ଦିନରୁ ଦାବି କରି ଆସୁଛନ୍ତି। ଦେଶର ବିଭିନ୍ନ କୋର୍ଟରେ ମଧ୍ୟ ଅନେକ ମକଦ୍ଦମା ଦାୟର କରାଯାଇଛି କିନ୍ତୁ ଦୀର୍ଘ ଦିନ ଧରି ଏହି ମାମଲା ବିଚାରାଧୀନ ରହିଛି।