ଓଡ଼ିଶା ବଜେଟ; ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୧୮୬୪ କୋଟି ବ୍ୟୟବରାଦ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୧୮୬୪ କୋଟି ବ୍ୟୟବରାଦ । ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ ଆଜି ବିଧାନସଭାରେ କାମଚଳା ବଜେଟ ଉପସ୍ଥାପନ କରିଛନ୍ତି । ଯେଉଁଥିରେ ଏପ୍ରିଲ ମାସରୁ ଜୁଲାଇ ମାସ ପର୍ୟ୍ୟନ୍ତ ଖର୍ଚ୍ଚ ବାବଦକୁ ୧ ଲକ୍ଷ ୬ ହଜାର ୪୯୮ କୋଟି ଟଙ୍କାର ଲେଖାନୁଦାନ ଆଗତ କରାଯାଇଛି । ତେବେ ଏହି ବଜେଟରେ ରାଜ୍ୟ ସରକାର ସ୍ୱାସ୍ଥ୍ୟ କ୍ଷେତ୍ରକୁ ବିଶେଷ ଧ୍ୟାନ ଦେଇଛନ୍ତି । ତେବେ ସାମଗ୍ରିକ ଭାବେ ସ୍ୱାସ୍ଥ୍ୟକ୍ଷେତ୍ରରେ ଖର୍ଚ୍ଚ ନିମନ୍ତେ ୧୨ ହଜାର ୨୪୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଯାହାକି ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ଉଦ୍ଧିଷ୍ଟ ବଜେଟର ୬.୧ ପ୍ରତିଶତ । ତେବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ପ୍ରାୟ ୯୬ ଲକ୍ଷ ପରିବାର କ୍ୟାସଲେସ୍ ସ୍ୱାସ୍ଥ୍ୟ ସେବାର ସୁବିଧା ପାଇପାରୁଛନ୍ତି ବୋଲି ଅର୍ଥମନ୍ତ୍ରୀ ବିଧାନସଭାରେ ସୂଚନା ଦେଇଛନ୍ତି ।

ତେବେ ଖାଲି ସେତିକି ନୁହେଁ. ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡଧାରୀ ରୋଗୀମାନଙ୍କୁ ମାଗଣା ଔଷଧ ଯୋଗାଣ, ରୋଗର ନିଦାନ, ଓ କ୍ୟାସଲେସ୍ ଚିକିତ୍ସା ଯୋଗାଉଥିବା ଘରୋଇ ଡାକ୍ତରଖାନାର ବିଲ୍ ପୈଠ ବାବଦକୁ ସରକାର ଚଳିତ ବଜେଟରେ ୧ ହଜାର ୮୬୪ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି । ଅନ୍ୟପଟେ ରାଜ୍ୟର ସମସ୍ତ ଅଞ୍ଚଳର ଜନସାଧାରଣଙ୍କୁ ସହଜରେ ସ୍ୱାସ୍ଥ୍ୟ ସେବା ଉପଲବ୍ଧ କରାଇବା ପାଇଁ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ ଅଧୀନରେ ୨ ହଜାର ୩୩୫ କୋଟି ଟଙ୍କା ଏବଂ ସ୍ୱାସ୍ଥ୍ୟ ଓ ଚିକିତ୍ସା ଶିକ୍ଷାରେ ମାନବ ସମ୍ବଳ ଯୋଜନା ପାଇଁ ୩୧୨ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସୂଚନା ଦେଇଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts