ସାରିଦେଲେ ସୁକାନ୍ତ !

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ନିଜ PROଙ୍କ ପ୍ରେସ୍ ରିଲିଜ୍‌କୁ ନେଇ ହଟହଟା ହେଲେ ନବୀନ ବାବୁ । ଅତ୍ୟନ୍ତ ଖାମଖିଆଲ ଓ ବେପରୁଆପଣ ଯୋଗୁଁ ସବୁ ପାଠ ବିଗାଡ଼ି ଦେଲେ ମୁଖ୍ୟମନ୍ତ୍ରୀଙ୍କ PRO ସୁକାନ୍ତ ପଣ୍ଡା । ପ୍ରେସ୍‌ ରିଲିଜ୍‌ରେ କେବଳ ‘ଅ’ ଅକ୍ଷରକୁ ନେଇ ପଟ୍ଟନାୟକଙ୍କ ମହାନ ବାର୍ତ୍ତାରେ ପାଣି ପକେଇ ଦେଲେ ପଣ୍ଡା ମହାଶୟ ।  ୩୩ତମ ସ୍ୱାଧିନତା ସଂଗ୍ରାମୀ ମହୋତ୍ସବରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ କରାଯାଇଥିବା ପ୍ରେସ୍ ରିଲିଜ୍‌ରେ ଗୁରୁଚଣ୍ଡାଳ ତ୍ରୁଟି କରି ଅହିଂସା ବଦଳରେ “ହିଂସା ମହାତ୍ମାଗାନ୍ଧୀଙ୍କ ବିଶ୍ୱକୁ ଶ୍ରେଷ୍ଠ ଦାନ” ବୋଲି ଲେଖିଲେ PRO । ଯାହାକୁ ନେଇ ଏବେ ଉଠିଛି ଅନେକ ପ୍ରଶ୍ନ ।

ମୁଖ୍ୟମନ୍ତ୍ରୀଙ୍କ PRO ଗାନ୍ଧିଙ୍କ ନୀତି ଆଦର୍ଶ ଉପରେ ପ୍ରଶ୍ନ ଉଠାଇବାର ସାହସ କଲେ କିଭଳି ?

ଯଦି ଟାପିଙ୍ଗରେ ତ୍ରୁଟି ଥିଲା ତେବେ ତାକୁ ସୁଧାରିବାର ଦାୟିତ୍ବ କାହାର ଥିଲା ?

ଫାଇନାଲ୍ ପ୍ରିଣ୍ଟ କାଢିବା ପୂର୍ବରୁ ଏ ଭୁଲକୁ କିଭଳି ଅଣଦେଖା କଲେ PRO ?

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଆଉ କେତେ ଲୋକ ରହିଲେ ଏଭଳି ଖୁଚୁରା ତ୍ରୁଟିକୁ ରୋକାଯାଇପାରିବ ?

ଗାନ୍ଧିଙ୍କ ନୀତି ଆଦର୍ଶ ଉପରେ ପ୍ରଶ୍ନ ଉଠାଇଥିବା ଏହି ପ୍ରେସ୍‌ ରିଲିଜ ପାଇଁ PROଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନେବେ ମାନ୍ୟବର ?

ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ ଯେତେବେଳେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ କୌଣସି ଲେଖା ଆସେ ତାକୁ ଏକାଧିକ ବାର ଚେକ୍‌ କରାଯାଇଥାଏ । ଆଉ ଏଥିପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ରହିଛି । ଏଥିରେ ବହୁ କର୍ମଚାରୀ ବି କାମ କରୁଛନ୍ତି । ବିଶେଷ କରି ପଣ୍ଡାବାବୁଙ୍କ ଭଳି ଜଣେ PRO ଅଛନ୍ତି । ଯାହାଙ୍କର କାମ ହେଲା ସେ ଲୋକଙ୍କ ନିକଟରେ ସରକାରଙ୍କ ସଠିକ ଏବଂ ନିର୍ଭୁଲ ସୂଚନା ପହଞ୍ଚାଇବା ।  33ତମ ସ୍ବାଧିନତା ସଂଗ୍ରାମୀ ମହୋତ୍ସବ ପାଇଁ ସରକାର ଦେଇଥିବା ପ୍ରେସ୍‌ ରିଲିଜ ଏତେ ବଡ଼ ନଥିଲା । ଗୋଟିଏ ପୃଷ୍ଠାରୁ କମ୍, ଅର୍ଥାତ ମୋଟ 225ଟି ଶବ୍ଦ ଥିବା ଏହି ପ୍ରେସ୍‌ ରିଲିଜ୍‌କୁ ପ୍ରୁଫ୍ ରିଡିଙ୍ଗ କରିବାକୁ କେତେ ସମୟ ଲାଗିଥାନ୍ତା । କିନ୍ତୁ ପଣ୍ଡାବାକୁ ତାହା କଲେ ନାହିଁ । ଆଶ୍ଚର୍ଯ୍ୟର କଥା ହେଲା ପ୍ରେସ୍‌ ରିଲିଜ୍‌ରେ ଥିବା ସବୁଠୁ ଗୁରୁତ୍ବପୂର୍ଣ୍ଣ ବିଷୟ ବସ୍ତୁ ‘ଅହିଂସା’କୁ ହିଂସା କରିଦିଆଯିବା ପଣ୍ଡା ବାବୁଙ୍କ ବେପରୁଆ ପ୍ରଫେସନାଲିଜିମକୁ ଦର୍ଶାଉଛି ।

ଭୁବନେଶ୍ବର ସ୍ବାଧିନତା ସଂଗ୍ରାମୀ ପଡ଼ିଆରେ 33ତମ ସ୍ବାଧିନତା ସଂଗ୍ରାମୀ ମହୋତ୍ସବକୁ ଗୁରୁବାର ଉଦ୍‌ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ।  ସେଠାରେ ଅହିଂସା ମାଧ୍ୟମରେ ହିଁ ବିଶ୍ବର ବିଭିନ୍ନ ସମସ୍ୟାର ସମାଧାନ କରାଯାଇପାରିବ ବୋଲି ମତ ଦେଇ ଅହିଂସାକୁ ଜୀବନର ମୂଳମନ୍ତ୍ର କରିବା ପାଇଁ ଆହ୍ବାନ ଦେଇଥିଲେ ନବୀନ । କିନ୍ତୁ ତାଙ୍କ PROଙ୍କ ଗୁରୁଚଣ୍ଡାଳ ଦୋଷ ନବୀନଙ୍କୁ କରିଛି ଅପଦସ୍ତ । ଗଣମାଧ୍ୟମକୁ ପଣ୍ଡାବାବୁ ଦେଇଥିବା ପ୍ରେସ୍‌ ରିଲିଜ୍‌ରେ ଅହିଂସା ନୁହେଁ ବରଂ ହିଂସା ମହାତ୍ମାଗାନ୍ଧୀଙ୍କ ବିଶ୍ୱକୁ ଶ୍ରେଷ୍ଠ ଦାନ” ବୋଲି ଲେଖିାଯାଇଛି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚଳିତ ବର୍ଷ ସାରା ବିଶ୍ବ ବାପୁଙ୍କ ୧୫୦ତମ ଜୟନ୍ତୀ ପାଳନ କରୁଛି । ସ୍ବାଧିନତା ସଂଗ୍ରାମୀ ମାନେ ବାପୁଙ୍କ ଡାକରାରେ ଦେଶର ସଂଗ୍ରାମରେ ଯୋଗ ଦେବାର ସୌଭାଗ୍ୟ ପାଇଥିଲେ ଏବଂ ଏବେ ତାଙ୍କର ୧୫୦ତମ ଜୟନ୍ତୀ ପାଳନର ସୁଯୋଗ ମଧ୍ୟ ପାଇଛନ୍ତି । ସ୍ଵାଧିନ ଭାରତ ପାଇଁ ଆମର ସଂଗ୍ରାମୀଙ୍କ ତ୍ୟାଗକୁ ଏ ଜାତି କେବେ ଭୁଲିପାରିବ ନାହିଁ । କେବଳ ସ୍ବାଧିନତା ଗାନ୍ଧୀଙ୍କ ଲକ୍ଷ୍ୟ ନଥିଲା, ଏକ ଶୋଷଣମୁକ୍ତ ସୁସ୍ଥ ସମାଜ ଓ ସ୍ବାବଲମ୍ବୀ ଅର୍ଥନୀତି କରିବା ତାଙ୍କର ଲକ୍ଷ୍ୟ ଥିଲା ବୋଲି କହିଥିଲେ ମହାତ୍ମା ଗାନ୍ଧି । ଏ ଦିଗରେ ଅମେ ସମସ୍ତେ ନିଷ୍ଠାପର ଭାବରେ କାର୍ଯ୍ୟ କଲେ ତାହା ହେବ ବାପୁଙ୍କ ୧୫୦ତମ ଜୟନ୍ତୀର ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

Related Posts