ବନ୍ଧା ହେଲେ ଦୁଷ୍କର୍ମ ଅଭିଯୁକ୍ତ ASI ଚିତ୍ତରଞ୍ଜନ

(ସତ୍ୟପାଠ ବ୍ୟୁରୋ) ପୁରୀ:  ବିବାହିତ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଗିରଫ ହେଲେ ପିପିଲି ବ୍ଲକ ବଳଙ୍ଗା ଥାନା ଏଏସ୍ଆଇ ଚିତ୍ତରଂଜନ ଦାସ । ଜଣେ ୩୦ ବର୍ଷୀୟା ବିବାହିତ ମହିଳାଙ୍କୁ ଏଏସ୍ଆଇ ଚିତ୍ତରଂଜନ ଦାସ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏ ନେଇ ଗତକାଲି ସନ୍ଧ୍ୟାରେ ପୀଡ଼ିତା ପିପିଲି ଏସଡିପିଓଙ୍କ ନିକଟରେ ଅଭିଯୋଗ କରିଥିଲେ । ଏସ୍‌ଡିପିଓ ଦେବଦତ୍ତ ବରାଳ ଅଭିଯୋଗକୁ ଗ୍ରହଣ କରିବା ସହ ଜଣେ ମହିଳା ପୁଲିସ ଅଧିକାରୀଙ୍କ ଦ୍ବାରା ତଦନ୍ତ ଆରମ୍ଭ କରିଥିଲେ ।

ସୂଚନା ଅନୁସାରେ ପୀଡ଼ିତା ଜଣେ ବିବାହିତା ମହିଳା । ପ୍ରାୟ ଛଅ ମାସ ପୂର୍ବେ ତାଙ୍କ ସ୍ବାମୀ ଏକ ଅଟୋ ଆଣିଥିଲେ । ଏହି ଅଟୋକୁ ମହିଳାଙ୍କ ଶ୍ବଶୁର ଘର ଲୋକ ନିଆଁ ଲଗାଇ ପୋଡ଼ି ଦେଇଥିବା ବଳଙ୍ଗା ଥାନାରେ ଅଭିଯୋଗ କରିଥିଲେ ପୀଡ଼ିତା । ଏହି ଘଟଣାର ତଦନ୍ତ ପାଇଁ ଥାନାର ଏଏସ୍ଆଇ ଚିତ୍ତରଂଜନ ଦାସ ପୀଡ଼ିତାଙ୍କୁ ଡକାଇଥିଲେ ମଧ୍ୟ ସେତେବେଳେ ସେ ଯାଇ ପାରିନଥିଲେ। ଏହାର କିଛି ଦିନ ପରେ ଫୋନ୍‌ରେ ଚିତ୍ତରଞ୍ଜନ ଅଟୋ ପୋଡ଼ି ମାମଲାରେ ଶ୍ବଶୁର ଆସିବେ, ତୁମେ ଶୀଘ୍ର ଆସ ବୋଲି କହି ପୀଡିତାଙ୍କୁ ଥାନାକୁ ଡକାଇଥିଲେ । ଥାନା ବାବୁଙ୍କ ଡାକରା ପାଇ ପୀଡ଼ିତା ପହଞ୍ଚିଥିଲେ । ତେବେ ବହୁ ସମୟ ଅପେକ୍ଷା କରିବା ପରେ ମଧ୍ୟ ଶ୍ବଶୁର ଆସି ନଥିଲେ । ଏହି ସମୟରେ ଚିତ୍ତରଂଜନ କାଗଜପତ୍ର ଦେଖିବା ବାହାନାରେ ମହିଳାଙ୍କୁ ନିଜ ରୁମକୁ ଡାକି ତାଙ୍କ ପାଟି ବନ୍ଦକରି ଦୁଷ୍କର୍ମ କରିଥିଲେ ଏବଂ କାହାକୁ କିଛି କହିଲେ ମିଛ ମାମଲାରେ ବାନ୍ଧି ଜେଲ ପଠାଇଦେବେ ବୋଲି ଧମକ ମଧ୍ୟ ଦେଇଥିବା ଅଭିଯୋଗ କରିଛନ୍ତି ପୀଡ଼ିତା । କେବଳ ସେତିକି ନୁହେଁ; ଏହା ପରେ ବିଭିନ୍ନ ସମୟରେ ବିଳମ୍ବିତ ରାତିରେ ଫୋନ୍ କରି ଅଶ୍ଳୀଳ କଥା ହେବା ସହ ବାରମ୍ବାର ରୁମକୁ ଆସିବା ପାଇଁ ବାଧ୍ୟ କରୁଥିଲେ । ରୁମକୁ ଆସି ତାଙ୍କ କଥା ବୁଝିଦେଲେ ଦଫା କୋହଳ କରିଦେବେ ବୋଲି ଥାନା ବାବୁ କହୁଥିବା ପୀଡ଼ିତା ଅଭିଯୋଗରେ ଦର୍ଶାଇଛନ୍ତି ।

Related Posts