ବ୍ୟାପୁଛି ଡାକ୍ତରଙ୍କ ଆନ୍ଦୋଳନ; ସରକାର ନିରବ, ରୋଗୀ ହନ୍ତସନ୍ତ

ସତ୍ୟପାଠ ବ୍ୟୁରୋ : ସାରା ଦେଶକୁ ବ୍ୟାପିଛି ଡାକ୍ତରଙ୍କ ଆନ୍ଦୋଳନର ନିଆଁ । ଗୋଟିଏ ଦିନ ପୂର୍ବରୁ ପଶ୍ଚିମବଙ୍ଗରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଏବେ ବାଙ୍ଗାଲୋର, ଦିଲ୍ଲୀ, ହାଇଦ୍ରାବାଦ, ଚେନ୍ନାଇ, ମୁମ୍ବାଇ ଓ ଭୁବନେଶ୍ୱର ଭଳି ଦେଶର ବିଭିନ୍ନ ପ୍ରାନ୍ତକୁ ବ୍ୟାପିଛି । କଲିକତାରେ ଆକ୍ରମଣର ଶୀକାର ହୋଇଥିବା ଜୁନିଅର ଡାକ୍ତରଙ୍କ ସପକ୍ଷରେ ବିଭିନ୍ନ ମେଡିକାଲରେ କାର୍ଯ୍ୟରତ ଡାକ୍ତର ଓ କର୍ମଚାରୀ ବାହାରି ଆନ୍ଦୋଳନରେ ଯୋଗଦେଇଛନ୍ତି । ଆନ୍ଦୋଳନକୁ ସମର୍ଥନ କରି ଭୁବନେଶ୍ୱର ଏମସରେ ୫୦୦ ଡାକ୍ତର ଧାରଣା ଦେଇଛନ୍ତି ।

ଡାକ୍ତରଙ୍କୁ ସୁରକ୍ଷା ଦାବୀରେ ଚାଲିଛି ଆନ୍ଦୋଳନ । କଲିକତାଏନଆରଏସ ମେଡିକାଲ ଜଲେଜ ଓ ହସ୍ପିଟାଲରେ ରୋଗୀ ମୃତ୍ୟୁକୁ ନେଇ ଡାକ୍ତର ଓ ସହକର୍ମୀଙ୍କୁ ଆକ୍ରମଣ ପରେ ଏହି ଆନ୍ଦୋଳନ ତୀବ୍ରତର ହୋଇଛି । ଜୁନିଅର ଡାକ୍ତରଙ୍କ ଆନ୍ଦୋଳନକୁ ଅଗଣତାନ୍ତ୍ରୀକ କହିବା ସହ କାର୍ଯ୍ୟରେ ଯୋଗ ନଦେଲେ କାର୍ଯ୍ୟାନୁଷ୍ଠାନ ନେବାକୁ ଧମକ ଦେଇଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଯାହାକୁ ନେଇ ଅଧିକ ପ୍ରତିକ୍ରିୟାଶୀଳ ହୋଇଛନ୍ତି ଡାକ୍ତରମାନେ ।

ମହାରାଷ୍ଟ୍ର ଡାକ୍ତର ଆସୋସିଏସନ, ଏମସ ରେସିଡେଣ୍ଟ ଡାକ୍ତର ଆସୋସିଏସନ, ଦିଲ୍ଲୀ ମେଡିକାଲ ଆସୋସିଏସନ ଡାକରାରେ ସାରା ଦେଶରେ ଡାକ୍ତରମାନଙ୍କ ଆନ୍ଦୋଳନ ଯୋଗୁଁ ରୋଗୀସେବା ଏକପ୍ରକାର ପଙ୍ଗୁ ହୋଇ ଯାଇଛି । ବିଭିନ୍ନ ଡାକ୍ତରଖାନାର ଓପିଡିରେ ରୋଗୀ ହନ୍ତସନ୍ତ ହେଉଛନ୍ତି । ଗତକାଲି କଟକ ଏସସିବି ଓ ବୁର୍ଲା ଏମସରେ ଡାକ୍ତରମାନେ ଏହା ସମର୍ଥନରେ ଆନ୍ଦୋଳନ କରିଥିବା ବେଳେ ଆଜି ଏମସ ପରିସରରେ ୫ଶହରୁ ଅଧିକ ଡାକ୍ତର ଧାରଣା ଦେଇଛନ୍ତି । ଫଳରେ ଓପିଡିରେ ଏକ ପ୍ରକାର ତାଲା ପଡିଯାଇଛି । କଲିକତାରେ ଇଣ୍ଟର୍ଣ୍ଣ ଡାକ୍ତରଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତ ଗିରଫ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ଡାକ୍ତରମାନେ ଚେତାବନୀ ଦେଇଛନ୍ତି ।

Related Posts