ଆନ୍ଦୋଳନ ପୂର୍ବରୁ ଓଡିଶାରେ ଡାକ୍ତରଙ୍କ ଛୁଟି ବାତିଲ

ସତ୍ୟପାଠ ବ୍ୟୁରୋ : ପଶ୍ଚିମବଙ୍ଗ ଡାକ୍ତର ଆନ୍ଦୋଳନ ତୀବ୍ରତର ହେବା ପରେ ଏହା ଏବେ ପୁରା ଦେଶକୁ ବ୍ୟାପିବାରେ ଲାଗିଛି । ତେବେ ଓଡିଶାରେ ଏହାର କିଛିଟା ପ୍ରଭାବ ପୂର୍ବରୁ ଦେଖିବାକୁ ମିଳିଥିବା ବେଳେ ଆସନ୍ତାକାଲି ଠାରୁ ରାଜ୍ୟରେ ଏହାର ପ୍ରଭାବ ଜୋର ପଡିପାରେ ବୋଲି ସୂଚନା ପାଇଛି ସ୍ୱାସ୍ଥ୍ୟବିଭାଗ ।

ଏହା ଜାଣିବା ପରେ ଆଗୁଆ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ରାଜ୍ୟର ମେଡିକାଲ କଲେଜର ସମସ୍ତ ଶିକ୍ଷକ ଓ ବରିଷ୍ଠ ଡାକ୍ତରଙ୍କ ଛୁଟି ବାତିଲ କରିଛନ୍ତି ରାଜ୍ୟ ସରକାର । ବ୍ରହ୍ମପୁର ସ୍ଥିତ ଏମକେସିଜିର କନିଷ୍ଠ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଉଥିବାର ଖବର ମିଳିବା ପରେ କୌଣସି ଠାରେ ଯେପରି ରୋଗୀସେବା ପ୍ରଭାବିତ ନହୁଏ ସେନେଇ ସମସ୍ତ ମେଡିକାଲ କଲେଜ ଓ ସିଡିଏମଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମେଡିକାଲ କଲେଜର ପ୍ରତ୍ୟେକ ବିଭାଗୀୟ ମୁଖ୍ୟ, ଶିକ୍ଷକ, ପାରା କ୍ଲିନିକାଲ ମୁଖ୍ୟମାନେ ଆନ୍ଦୋଳନ ସମୟରେ ରୋଗୀଙ୍କୁ ସେବା ଯୋଗାଣ ଲାଗି ବିକଳ୍ପ ବ୍ୟବସ୍ଥା କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।
ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସମେତ ଜରୁରୀକାଳୀନ ସ୍ଥିତିରେ ଆସୁଥିବା ରୋଗୀଙ୍କର ଚିକିତ୍ସାରେ ଯେଭଳି କୌଣସି ବାଧା ନଉପୁଜେ ଆନ୍ଦୋଳନ ପ୍ରତ୍ୟାହର ପର‌୍ୟ୍ୟନ୍ତ ସେଥିପାଇଁ ସୁବ୍ୟବସ୍ଥା କରିବାକୁ କୁହାଯାଇଛି । ସରକାରଙ୍କ ଏହି ନିର୍ଦ୍ଦେଶକୁ ତୁରନ୍ତ କାର‌୍ୟ୍ୟକାରୀ ଲାଗି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି ।
ସରକାରଙ୍କ ପକ୍ଷରୁ ଦର୍ଶାଯାଇଛି ଯେ ରାଜ୍ୟରେ କାର‌୍ୟ୍ୟରତ ଡାକ୍ତରମାନଙ୍କ ସୁରକ୍ଷା ପାଇଁ ସରକାର ୨୦୦୯ ମସିହାରୁ ଆଇନ୍ ପ୍ରଣୟନ କରିଛନ୍ତି । ଏଥିରେ ଆକ୍ରମଣକାରୀଙ୍କୁ ୩ବର୍ଷ ପର‌୍ୟ୍ୟନ୍ତ ଜେଲ୍ ଓ ୫୦ହଜାର ଟଙ୍କାର ଜୋରିମାନା ବ୍ୟବସ୍ଥା ରହିଛି । ଡାକ୍ତର ଆକ୍ରମଣ ଘଟଣାରେ ଜାମିନ୍ ବିହୀନ ଦଫା ଲଗାଇବାର ବ୍ୟବସ୍ଥା ଆଇନ୍ରେ ରହିଛି ।

Related Posts