ରାଜ୍ୟରେ ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ : ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟରେ ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ। ଏହା ଅଧୀନରେ ରାଜ୍ୟରେ ଥିବା ମେଡିକାଲ କଲେଜଗୁଡ଼ିକ ମଧ୍ୟ କାର୍ଯ୍ୟ କରିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ସୂଚନା ଦେଇଛନ୍ତି। ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ଏକ ଦୃଷ୍ଟିକୋଣ ଯୋଜନା ପ୍ରସ୍ତୁତ କରିବା ପାଇଁ ରବିବାର ସ୍ଥାନୀୟ ଏକ ହୋଟେଲରେ ଏକ ଜାତୀୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା।ଦେଶର ବିଭିନ୍ନ ସ୍ଥାନରୁ ବିଶିଷ୍ଟ ଶିକ୍ଷାବିତ୍‌, ସ୍ବାସ୍ଥ୍ୟ ବିଶ୍ୱବିଦ୍ୟାଳୟ କୁଳପତି, ବାଙ୍ଗାଲୁରୁସ୍ଥିତ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସର ଡିନ୍‌, ସ୍ବାସ୍ଥ୍ୟ ବିଭାଗ ପ୍ରଶାସକ, ମେଡିକାଲ କଲେଜ ନିର୍ଦ୍ଦେଶକ, ଡିନ୍‌ ଏବଂ ଅଧ୍ୟକ୍ଷ ପ୍ରମୁଖ ଏଥିରେ ଯୋଗଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ମନ୍ତ୍ରୀ ଦାସ ଯୋଗଦେଇ କହିଛନ୍ତି ଯେ, ଓଡ଼ିଶାରେ ପୂର୍ବରୁ ୩ଟି ମେଡିକାଲ କଲେଜ ରହିଥିଲା। ଏବେ ଆଉ ୭ଟି ମେଡିକାଲ କଲେଜରେ ଏମ୍‌ବିବିଏସ୍‌ ପାଠ୍ୟକ୍ରମ ଆରମ୍ଭ ହୋଇଛି। ଫଳରେ ରାଜ୍ୟରେ ମୋଟ ୧୦ଟି ମେଡିକାଲ କଲେଜ ସହିତ ହୋମିଓପାଥି, ଆୟୂର୍ବେଦ ଓ ଅନ୍ୟାନ୍ୟ ପାଠ୍ୟକ୍ରମ ଚାଲୁ ରହିଛି। ଏଣିକି ଏସବୁ ଶିକ୍ଷାନୁଷ୍ଠାନଗୁଡ଼ିକ ଓଡ଼ିଶା ସ୍ବାସ୍ଥ୍ୟ ବିଶ୍ୱବିଦ୍ୟାଳୟ ଅଧୀନରେ ରହିବେ। ଏହାଦ୍ୱାରା ଗୋଟିଏ ପ୍ଲାଟ୍‌ଫର୍ମ ଷ୍ଟାଣ୍ଡାର୍ଡର ମେଡିକାଲ ଶିକ୍ଷା ପ୍ରଚଳିତ ହେବ। ନିୟମିତ ତାଲିମ, ସମୟାନୁଯାୟୀ ପରୀକ୍ଷା ଓ ଫଳ ପ୍ରକାଶ ପାଇବ। ଏଥିସହିତ ଗବେଷଣା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ। ଏହି ବିଶ୍ୱବିଦ୍ୟାଳୟ ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେଲେ ଏହା ଦେଶର ୧୭ତମ ସ୍ବାସ୍ଥ୍ୟ ବିଶ୍ୱବିଦ୍ୟାଳୟ ଭାବେ ପରିଗଣିତ ହେବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି।

ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତୋ ବାଗ୍‌ଚୀଙ୍କ ଦ୍ୱାରା ପରିଚାଳିତ ଏହି କର୍ମଶାଳାରେ ଡିଏମ୍‌ଇଟି ପ୍ରଫେସର ଡା. ରମାରମଣ ମହାନ୍ତି, ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ଓଏସ୍‌ଡି ପ୍ରଫେସର ଡା. ଦତ୍ତେଶ୍ୱର ହୋତା ପ୍ରମୁଖ ଯୋଗଦେଇଥିଲେ। ସ୍ବାସ୍ଥ୍ୟ ବିଶ୍ୱବିଦ୍ୟାଳୟର ସାଙ୍ଗଠନିକ ଢାଞ୍ଚା, ଅଭିନବ ପାଠ୍ୟକ୍ରମର ବିକାଶ, ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ଉତ୍କର୍ଷ କେନ୍ଦ୍ର ସହିତ ଅନୁସନ୍ଧାନ ଓ ସହଯୋଗ, ବିଶ୍ୱବିଦ୍ୟାଳୟ କାର୍ଯ୍ୟର ଡିଜିଟାଇଜେଶନ, ଅଧ୍ୟାପନା କ୍ଷେତ୍ରରେ ବିକାଶ, ଆଭ୍ୟନ୍ତରୀଣ ସହଯୋଗ ଓ ପ୍ରତିଷ୍ଠିତ ମହାବିଦ୍ୟାଳୟର ଭୂମିକା ସମ୍ପର୍କରେ କର୍ମଶାଳାରେ ଆଲୋଚନା ହୋଇଥିଲା।

Related Posts