ଅକ୍ଟୋବର ୧୭ରେ ହାଇଦ୍ରାବାଦରେ ଅନୁଷ୍ଠିତ ହେବ ଓଡ଼ିଶା ନିବେଶକ ସମ୍ମିଳନୀ, ଯୋଗଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍ ପାଇଁ ରାଜ୍ୟକୁ ପୁଞ୍ଜିନିବେଶକାରୀଙ୍କୁ ନିମନ୍ତ୍ରଣ କରିବା ପାଇଁ ବିଭିନ୍ନ ସହରରେ ନିବେଶକ ସମ୍ମିଳନୀ ଆୟୋଜନ କରିବାର ଯେଉଁ ଧାରା ଦୁବାଇରୁ ଆରମ୍ଭ ହୋଇଥିଲା ତାହା ଜାରି ରହିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ପରବର୍ତ୍ତୀ ନିବେଶକ ସମ୍ମିଳନୀକୁ ହାଇଦ୍ରାବାଦର ବଞ୍ଜାରା ହିଲ୍‌ସରେ ଥିବା‌ ହୋଟେଲ୍‌ ତାଜ୍ କ୍ରିଷ୍ଣାରେ ଚଳିତ ମାସ ୧୭ ତାରିଖରେ ଆୟୋଜନ କରାଯିବ।

ଶିଳ୍ପ ସଂସ୍ଥା ଫିକି ସହଯୋଗରେ ଆୟୋଜନ କରାଯିବାକୁ ଥିବା ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ହାଇଦ୍ରାବାଦ ଗସ୍ତ କରିବ। ମୁଖ୍ୟମନ୍ତ୍ରୀ ସେଠାରୁ ମୁମ୍ବାଇ ଯିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ମୁଖ୍ୟ ସଚିବ ସୁରେଶ ମହାପାତ୍ର, ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, ଆଇଟି ସଚିବ ମନୋଜ କୁମାର ମିଶ୍ର, ଷ୍ଟାର୍ଟଅପ୍ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡକ୍ଟର ଓମ୍‌କାର୍‌ ରାଏ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ହାଇଦ୍ରାବାଦ ଗସ୍ତ କରିବେ।

ହାଇଦ୍ରାବାଦରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କିଛି ପ୍ରମୁଖ ନିବେଶକଙ୍କୁ ସାକ୍ଷାତ କରି ସେମାନଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ସିଧାସଳଖ ଆଲୋଚନା କରିବେ। ସନ୍ଧ୍ୟାରେ ନିବେଶକ ସମ୍ମିଳନୀ ଆୟୋଜନ କରାଯିବ ଯାହାକୁ ଅନ୍ୟସହର ଭଳି ସେ ନିଜେ ସମ୍ବୋଧିତ ମଧ୍ୟ କରିବେ। ମେକ୍ ଇନ୍ ଓଡ଼ିଶା ୨୦୨୨ରେ ଅଂଶଗ୍ରହଣ କରିବା ଲାଗି ସେ ନିବେଶକମାନଙ୍କୁ ଆମନ୍ତ୍ରଣ ମଧ୍ୟ କରିବେ। ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍ ଚଳିତ ବର୍ଷ ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରରେ ଆୟୋଜନ କରାଯିବ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଦୁବାଇ, ଦିଲ୍ଲୀ, ମୁମ୍ବାଇ, ଅହମ୍ମଦାବାଦ ଓ ବେଙ୍ଗାଲୁରୁରେ ଓଡ଼ିଶା ନିବେଶକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଏହି ସମ୍ମିଳନୀଗୁଡ଼ିକରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦେଶର ବହୁ ପ୍ରମୁଖ ଶିଳ୍ପପତିଙ୍କୁ ପ୍ରତ୍ୟକ୍ଷ ସାକ୍ଷାତ କରିଥିଲେ। ପୂର୍ବ ସମ୍ମିଳନୀଗୁଡ଼ିକ ଭଳି ହାଇଦ୍ରାବାଦ ସମ୍ମିଳନୀରେ ମଧ୍ୟ ସେ ତିନି ପ୍ରମୁଖ କ୍ଷେତ୍ର ଆଇଟି, ସ୍ବାସ୍ଥ୍ୟ ସେବା ଓ ଫାର୍ମାସ୍ୟୁଟିକାଲ୍, ବୟନ ଓ ପୋଷାକ, ଇଏସ୍‌ଡିଏମ୍‌ ଓ ଡାଟା ସେଣ୍ଟର, ଖାଦ୍ୟ ପ୍ରକ୍ରିୟାକରଣ ଓ ଅକ୍ଷୟ ଶକ୍ତି ‌କ୍ଷେତ୍ରରେ ପୁଞ୍ଜିନିବେଶ କରିବାକୁ ନିବେଶକମାନଙ୍କୁ ଆହ୍ବାନ ଦେବେ ବୋଲି ସୂଚନା ମିଳିଛି।

Related Posts