ପାରମ୍ପରିକ ଧାନ ବିହନ ସଂରକ୍ଷଣ କ୍ଷେତ୍ରରେ ଓଡିଶା ଦେଶରେ ପ୍ରଥମ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ପାରମ୍ପରିକ ଧାନ ବିହନ ସଂରକ୍ଷଣ କ୍ଷେତ୍ରରେ ଓଡିଶା ସମଗ୍ର ଦେଶରେ ଏକ ନମ୍ବର ସ୍ଥାନରେ ରହିଛି । କେନ୍ଦ୍ର ସରକାର ଓଡ଼ିଶାରେ ସଂରକ୍ଷଣ କରାଯାଇଥିବା ହଜାରେରୁ ଅଧିକ କିସମର ପାରମ୍ପରିକ ଧାନ ବିହନ ମଧ୍ୟରୁ ୭୫୦ରୁ ଅଧିକ କିସମର ବିହନକୁ ଚାଷୀଙ୍କ ସମ୍ପଦ ଭାବରେ ପଞ୍ଜିକରଣ କରିସାରିଛନ୍ତି ।

ଯେହେତୁ ପାରମ୍ପରିକ ଧାନ ବିହନର ରୋଗ ପ୍ରତିରୋଧଶକ୍ତି ଅଧିକ ସାଙ୍ଗକୁ ଓଡିଶାର ଜଳବାୟୁ ପାଇଁ ଅନୁକୂଳ ହୋଇଥିବା କାରଣରୁ ପାରମ୍ପରିକ ଧାନ ବିହନର ସଂରକ୍ଷଣ ଉପରେ ଗୁରୁତ୍ୱ ଦିଆଯାଉଛି । କାରଣ ଦିନକୁ ଦିନ ଚାଷୀମାନେ ପାରମ୍ପରିକ ବିହନ ବଦଳରେ ଅଧିକ ଉତ୍ପାଦନ ପାଇଁ ହାଇବ୍ରିଡ କିସମର ବିହନ ଉପରେ ଅଧିକ ଜୋର ଦେଉଛନ୍ତି । ଏହା ଯୋଗୁ ଗ୍ରାମାଞ୍ଚଳ ଚାଷୀଙ୍କ ପାଖରେ ଥିବା ପାରମ୍ପରିକ ଧାନ ବିହନ ଦିନକୁ ଦିନ ଲୋପ ପାଇବାକୁ ବସିଛି ।

ଏ ସବୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ୨୦୧୧ ମସିହାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧିନରେ ଥିବା କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ପାରମ୍ପରିକ ଧାନ ବିହନ ସଂରକ୍ଷଣ ପାଇଁ ପଦକ୍ଷେପ ନିଆଯାଉଛି । ସୂଚନା ମୁତାବକ, ଏଯାବତ୍ ୧୦୭୮ ପ୍ରକାରର ଧାନ ବିହନ ରାଜ୍ୟର ଚାଷୀଙ୍କ ଠାରୁ ସଂଗ୍ରହ କରାଯାଇଛି । ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ପ୍ରତିଷ୍ଠା ହୋଇଥିବା ୨ଟି ଜିନ୍‍ ବ୍ୟାଙ୍କ୍‍ରେ ଏହି ପାରମ୍ପରିକ ଧାନ ବିହନ ସଂରକ୍ଷଣ କରାଯାଇଛି । ଭୁବନେଶ୍ୱର ଠାରେ ଥିବା ରାଜ୍ୟ ବିହନ ପରୀକ୍ଷାଗାରରେ ପ୍ରତିଷ୍ଠା କରାଯାଇଥିବା ଜିନ୍‍ ବ୍ୟାଙ୍କ୍‍ ମଧ୍ୟରୁ ଗୋଟିଏ ଥିରେ ମଧ୍ୟବର୍ତ୍ତୀକାଳୀନ ଓ ଆଉ ଗୋଟିଏ ଥିରେ ଦୀର୍ଘକାଳୀନ ସଂରକ୍ଷଣ ବ୍ୟବସ୍ଥା ରହିଛି । ଦୀର୍ଘକାଳୀନ ବ୍ୟବସ୍ଥାରେ ବିହନକୁ ୪୦ରୁ ୫୦ ବର୍ଷ ସଂରକ୍ଷିତ ରଖାଯାଇ ପାରିବ ।

ସଂରକ୍ଷିତ ରଖାଯାଇଥିବା ଏହି ପାରମ୍ପରିକ ବିହନ ମଧ୍ୟରୁ ୭୫୦ ପ୍ରକାର ବିହନକୁ କେନ୍ଦ୍ର ସରକାର ଚାଷୀଙ୍କ ସମ୍ପଦ ଭାବେ ପଞ୍ଜିକରଣ କରିସାରିଛନ୍ତି । ଏହି ଦେଶୀ ବିହନ ମଧ୍ୟରୁ କଳାଚମ୍ପା ନାମକ ଧାନ ବିହନକୁ ୨୦୧୫ ମସିହାରେ କେନ୍ଦ୍ର ସରକାର ଅନୁମୋଦନ କରିଥିଲେ । ଏହା ପରେ ୨୦୧୭ ପର ଠାରୁ ଓଡିଶା ରାଜ୍ୟ ବିହନ ନିଗମ ମାଧ୍ୟମରେ କଳାଚମ୍ପା କିସମର ବିହନ ଚାଷୀମାନଙ୍କୁ ପ୍ରାମାଣିକ ବିହନ ଆକାରରେ ଯୋଗାଇ ଦିଆଯାଉଛି ।

ଏହି ବିହନରୁ ଅଧିକ ଅମଳକ୍ଷମ ବିହନ ବିକଶିତ ପାଇଁ ଗବେଷଣା ଜାରି ଥିବାବେଳେ ଏଥିରୁ ସେତକ-ବି, ଗୋତ୍ର-ବି, ମୟୁରକଣ୍ଠ, ଝିଲ୍ଲୀ ଏବଂ ହଳଦୀଚୁଡି ଆଦିର ପ୍ରମାଣୀକରଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ଅନ୍ୟପକ୍ଷରେ ରାଜ୍ୟରେ ଗୋଟିଏ କିସମର ଧାନ ବିହନକୁ ଅଧିକ ଦିନ ଚାଷ କରିବା ସପକ୍ଷରେ ନାହାଁନ୍ତି କେନ୍ଦ୍ର ସରକାର। ଏମିତିକି ୧୦ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ଚାଷ ହେଉଥିବା ଧାନ ବିହନ ଉପରେ କେନ୍ଦ୍ର ସରକାର ସବ୍‍ସିଡ୍‍ ଦେବାକୁ ମଧ୍ୟ ମନାକରି ଦେଇଛନ୍ତି । କାରଣ ଅଧିକ ବର୍ଷ ଗୋଟିଏ ବିହନ ବ୍ୟବହାର ହେଲେ ଏହାର ରୋଗପ୍ରତିରୋଧ ଶକ୍ତି ସହିତ ଅମଳକ୍ଷମତା ମଧ୍ୟ ହ୍ରାସ ପାଉଛି ବୋଲି କେନ୍ଦ୍ର ସରକାର କହିଛନ୍ତି।

Related Posts