ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡକୁ ନେଇ ରାଜନୀତି : ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ମୁହାଁମୁହିଁ ହେଲେ ବିଜେଡି-ବିଜେପି

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଗତ କାଲି ବଲାଙ୍ଗୀରରେ ଶୁଭାରମ୍ଭ ହୋଇଛି ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ଟିଟିଲାଗଡ, ପାଟଣାଗଡ ଓ ବଲାଙ୍ଗୀରରେ ହିତାଧିକାରୀଙ୍କୁ ସ୍କାର୍ଟ କାର୍ଡ ବାଣ୍ଟିଛନ୍ତି । ତେବେ ଗତକାଲିର ଏହି ସଭାରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ମୁହାଁମୁହିଁ ହୋଇଥିଲେ ବିଜେପି ଓ ବିଜେଡିର ଦୁଇ ନାରୀନେତ୍ରୀ । ବିଜେପି ସାଂସଦ ସଙ୍ଗୀତା ସିଂଦେଓ ଓ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। କେନ୍ଦ୍ରର ‘ଆୟୁଷ୍ମାନ ଭାରତ’ ଯୋଜନା ଓ ରାଜ୍ୟର ‘BSKY’ ଏବଂ ରେଳ ପ୍ରକଳ୍ପକୁ ନେଇ ଦୁଇ ନେତ୍ରୀ ମୁହାଁମୁହିଁ ହୋଇଥିଲେ।

ଆୟୁଷ୍ମାନ ଯୋଜନାକୁ ଲାଗୁ କରିବାକୁ ରାଜ୍ୟ ସରକାର ବିଚାର କରିବା ଉଚିତ ବୋଲି ବଲାଙ୍ଗୀରର ବିଜେପି ସାଂସଦ ସଂଗୀତା ସିଂହଦେଓ କହିଥିଲେ । ଏହାର ଜବାବ ଦେବାକୁ ଯାଇ ଓଟିଡିସି ଅଧ୍ୟକ୍ଷା ତଥା ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର କହିଥିଲେ ଯେ , ଓଡ଼ିଶା ସରକାରଙ୍କ ପଦକ୍ଷେପକୁ କେନ୍ଦ୍ର ଅନୁକରଣ କରୁଛି । ବଲାଙ୍ଗୀର-ନୂଆପଡ଼ା ଓ ସମ୍ବଲପୁର-ସୁବର୍ଣ୍ଣପୁର ରେଲୱେ ଲାଇନ ପ୍ରସଙ୍ଗକୁ ନେଇ ମଧ୍ୟ ବିଜେପି ଏବଂ ବିଜେଡି ନେତ୍ରୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା ।

ବିଜେପି ସାଂସଦ କହିଥିଲେ , “ବଲାଙ୍ଗିରରୁ ନୂଆପଡ଼ା ଭାୟା ପାଟଣାଗଡ଼ ରେଲୱେ ଲାଇନ୍‌ ୮୦ କିମି ରାସ୍ତାର ସର୍ଭେ କାମ ୨୦୦୮ ମସିହାରେ ଆରମ୍ଭ ହୋଇଥିଲା। ସେତେବେଳେ ମୁଁ ସାଂସଦ ଥିଲି। ସେହି କାମକୁ ରାଜ୍ୟ ସରକାର ଆଉଥରେ ପୁନରୁଦ୍ଧାର କରନ୍ତୁ। ସମ୍ୱଲପୁରରୁ ଗୋପାଳପୁର ଭାୟା ସୁବର୍ଣ୍ଣପୁର ରେଲୱେ ଲାଇନ୍‌କୁ ମଧ୍ୟ ଆଉ ଥରେ ପୁନରୁଦ୍ଧାର କରାଯାଉ।” ଏହାର କାଉଣ୍ଟରରେ ଶ୍ରୀମୟୀ କହିଥିଲେ ,“ରେଲୱେ ଲାଇନ୍‌ ପାଇଁ ସାଂସଦ ଯଦି କେନ୍ଦ୍ରରୁ ଅଧିକ ବଜେଟ ଆଣିପାରିବେ, ତାହାହେଲେ ଆମେ ଅଧିକ ଉପକୃତ ହୋଇପାରିବୁ।”

ତେବେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ସହ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରସିଦ୍ଧ ହରିଶଙ୍କର ପୀଠର ବିକାଶ ପାଇଁ ଭିତ୍ତିିପ୍ରସ୍ତର ସ୍ଥାପନ କରାଯିବା ସହ ୬୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି । ଏହା ସହ ୨୦୦ କୋଟି ଟଙ୍କାର ଉନ୍ନୟନମୂଳକ ପ୍ରକଳ୍ପ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Related Posts