ଜାତୀୟ ହାରରେ ସବୁଠାରୁ ଅଧିକ ବିଦ୍ୟୁତ କାଟ ହେଉଥିବା ରାଜ୍ୟ ହେଉଛି ଓଡ଼ିଶା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଜାତୀୟ ହାରରେ ସବୁଠାରୁ ଅଧିକ ବିଦ୍ୟୁତ କାଟ ହେଉଥିବା ରାଜ୍ୟ ହେଉଛି ଓଡ଼ିଶା । ସେପଟେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଦିନରେ ବିଦ୍ୟୁତ୍ କାଟ୍ ନ କରିବା ଲାଗି ଦେଇଥିବା ନିର୍ଦେଶର ବି ସାମାନ୍ୟତମ ପ୍ରଭାବ ପଡ଼ିନାହିଁ। ଏହାକୁ ନେଇ ପୂରା ଓଡ଼ିଶାରେ ବିଶେଷକରି ଗ୍ରାମାଞ୍ଚଳରେ ଜନ ଅସନ୍ତୋଷ ତୀବ୍ର ହେଉଥିବା ବେଳେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ନୂଆଦିଲ୍ଲୀସ୍ଥିତ ଶକ୍ତି, ପରିବେଶ ଓ ଜଳ ପରିଷଦ ଘରୋଇ କ୍ଷେତ୍ରରେ ଶକ୍ତି ବ୍ୟବହାର ସଂପର୍କରେ ତାର ରିପୋର୍ଟ ପ୍ରକାଶ କରିଛି। କାଉନସିଲ୍ ଅନ୍ ଏନର୍ଜି, ଏନ୍ଭାୟରନମେଣ୍ଟ ଏଣ୍ଡ ଵାଟର୍, ୨୦୨୦ ମସିହା ରିପୋର୍ଟରେ କୁହାଯାଇଛି ଯେ ଭାରତବର୍ଷରେ କୌଣସି ରାଜ୍ୟ ପାଵାର କଟ୍ରୁ ମୁକ୍ତ ନୁହେଁ।

ହେଲେ ଉଦ୍ବେଗର ବିଷୟଟି ହେଉଛି ଯେ ଓଡ଼ିଶାର ଗ୍ରାମାଞ୍ଚଳର ପାଵାର କଟ୍ ଜାତୀୟ ହାରାହାରି ପାଵାର୍ କଟ୍ ସମୟ ଅବଧି ଠାରୁ ଅଧିକ ରହିଛି। ଜାତୀୟସ୍ତରରେ ସହରାଞ୍ଚଳରେ ଦିନକୁ ହାରାହାରି ୧ ଘଣ୍ଟା ୪୦ ମିନିଟ୍ ପାଵାର୍ କଟ୍ ହେଉଛି; ଗ୍ରାମାଞ୍ଚଳରେ ଏହା ୪ ଘଣ୍ଟା ଅଟେ। ଓଡ଼ିଶାରେ କିନ୍ତୁ ଗ୍ରାମାଞ୍ଚଳରେ ଦୈନିକ ୪ ଘଣ୍ଟା ୧୦ ମିନିଟ୍ ବିଦ୍ୟୁତ୍ କାଟ୍ ହେଉଥିବା ବେଳେ ସହରାଞ୍ଚଳରେ ଜାତୀୟ ହାରଠାରୁ ସାମାନ୍ୟ କମ୍ ଅର୍ଥାତ୍ ୧ ଘଣ୍ଟା ୩୦ ମିନିଟ୍ ପାଖାପାଖି ଲୋକ ଅନ୍ଧାରରେ ରହୁଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts