ଓଡ଼ିଶାରେ ଡବଲ୍ ଇଞ୍ଜିନର ସରକାର ଆସିବା ଦରକାର: ଜେପି ନଡ୍ଡା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଏହି ଅବସରରେ ସେ ଜନତା ମଇଦାନରେ ଆୟୋଜିତ ବିଜେପିର ଶକ୍ତିକେନ୍ଦ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗ ଦେଇଛନ୍ତି । ଦଳୀୟ କର୍ମୀଙ୍କୁ ସମ୍ବୋଧନ କରି ନଡ୍ଡା ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ ଓଡ଼ିଶାରେ ମଧ୍ୟ ବିଜେପି ସରକାର ଆସିବା ଦରକାର । ଏଠାରେ ଡବଲ୍ ଇଞ୍ଜିନର ସରକାର ଦରକାର । ରାଜ୍ୟରେ ଭ୍ରଷ୍ଟାଚାରମୁକ୍ତ ସରକାର ଦରକାର । ରାସ୍ତାରେ ଛୁଆ ଜନ୍ମ ହେବା, ଟ୍ରଲିରେ ଶବ ବୁହାହେବା, ଏହା କୁଶାସନର ଛବି । ରାଜ୍ୟ ସରକାର ଏଠାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରୁନାହାନ୍ତି । ଉନ୍ନତ ସ୍ଵାସ୍ଥ୍ୟସେବା ଲୋକେ ପାଆନ୍ତୁ, ଏମାନେ ଚାହୁଁନାହାନ୍ତି । ଏମିତି ସରକାରଙ୍କୁ ବିଦାୟ ଦେବା ସମୟ ଆସିଛି କି ନାହିଁ ? ଓଡ଼ିଶାରେ ହତ୍ୟା ମାମଲାରେ ୩ ମନ୍ତ୍ରୀଙ୍କ ନାଁ ଉଠିଥିଲା କି ନାହିଁ ? ରକ୍ଷକ ଏଠି ଯଦି ଭକ୍ଷକ ସାଜିବ, ତେବେ ଏ ସରକାରକୁ ବିଦାୟ ଦେବା କି ନାହିଁ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ସୁରକ୍ଷିତ ନୁହେଁ ବୋଲି ସେ ପ୍ରଶ୍ନ କରିଛନ୍ତି ନଡ୍ଡା।

ଅନ୍ୟପଟେ ଭୁବନେଶ୍ବରରେ କାର୍ଯ୍ୟକ୍ରମ ଶେଷ ପରେ ସନ୍ଧ୍ୟାରେ ନଡ୍ଡାଙ୍କ ପୁରୀ ଯିବାର କାର୍ଯ୍ୟକ୍ରମ ରହିଛି । ଅଠରନଳା ଛକ ପାଖରେ ଦଳୀୟ କାର୍ଯ୍ୟକର୍ତ୍ତା ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେବେ । ପୁରୀରେ ଆଜି ରାତି ରହଣୀ ପରେ ସକାଳୁ ମହାପ୍ରଭୁଙ୍କୁ ଦର୍ଶନ କରିବେ ନଡ୍ଡା। ଏହାପରେ ହେଲିକପ୍ଟର ଯୋଗେ ଭଦ୍ରକ ଧାମନଗର ଯିବେ । ସେଠାରେ ଦିବଂଗତ ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ପରିବାର ଲୋକଙ୍କୁ ଭେଟିବେ । ଏହାପରେ କଟକ ଓଲଟପୁର ନିରତାରରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ । ସେଠାରୁ ରାଜଧାନୀ ଫେରି ଜନତା ମଇଦାନରେ ଦଳର ୭ଟି ମୋର୍ଚ୍ଚା ପଦାଧିକାରୀଙ୍କୁ ସମ୍ବୋଧିତ କରିବେ ବୋଲି ସୂଚନା ମିଳିଛି।

Related Posts