ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ରୁଜୁ କରିବାରେ ଓଡ଼ିଶା ଦେଶରେ ନମ୍ବର ୱାନ୍ , ଲାଞ୍ଚ ମାମଲାରେ ପଞ୍ଚମ : ଏନସିଆରବି ରିପୋର୍ଟ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି)-୨୦୨୦ ରିପୋର୍ଟ ଅନୁଯାୟୀ ଓଡ଼ିଶା ହେଉଛି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ରୁଜୁ କରିବାରେ ସାରା ଦେଶରେ ଏକ ନମ୍ବର । ଏନସିଆରବି ରିପୋର୍ଟ ଅନୁଯାୟୀ , ୨୦୨୦ ମସିହାରେ ୨୪୫ଟି ଏଭଳି ମାମଲା ରୁଜୁ କରିଛି ଭିଜିଲାନ୍ସ । ତେବେ ୨୦୧୯ ମସିହାରେ ୩୫୩ ଓ ୨୦୧୮ରେ ଏହି ସଂଖ୍ୟା ୪୨୯ ରହିଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଛି । ୨୦୨୦ରେ ୯୩ଟି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ରୁଜୁ ହୋଇଥିଲା ଯାହାକି ସାରା ଦେଶର ସବୁଠୁ ଅଧିକ ବୋଲି ଜଣାପଡ଼ିଛି। ଏହା ପଛକୁ ଗୁଜରାଟରେ ୩୭ଟି ମାମଲା ରୁଜୁ ହୋଇଥିବା ବେଳେ ତାମିଲନାଡ଼ୁ ଏବଂ ଉତ୍ତରପ୍ରଦେଶରେ ୨୧ଟି ମାମଲା, କର୍ଣ୍ଣାଟକରେ ୨୦ଟି ମାମଲା ରୁଜୁ ହୋଇଛି।

ଅପରପକ୍ଷରେ ଲାଞ୍ଚ ମାମଲାରେ ଓଡ଼ିଶାର ସ୍ଥାନ ହେଉଛି ସାରା ଦେଶରେ ପଞ୍ଚମ । ରିପୋର୍ଟ ଅନୁଯାୟୀ, ୨୦୨୦ରେ ରାଜ୍ୟରେ ୧୦୩ଟି ଲାଞ୍ଚ ମାମଲା ରୁଜୁ ହୋଇଥିଲା । ସେହି ବର୍ଷ ମହାରାଷ୍ଟ୍ରରେ ୬୩୧ ମାମଲା ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ୩୧୩ ମାମଲା ସହ ରାଜସ୍ଥାନ ଦ୍ବିତୀୟ ସ୍ଥାନରେ , ୧୮୫ ମାମଲା ସହ କର୍ଣ୍ଣାଟକ ତୃତୀୟ ସ୍ଥାନରେ ଓ ୧୪୬ ମାମଲା ସହ ଗୁଜୁରାଟ ଚତୁର୍ଥ ସ୍ଥାନରେ ରହିଥିବା ଜଣାପଡ଼ିଛି ।

ସେହିପରି ତଦନ୍ତାଧୀନ ମାମଲାରେ ସାରା ଦେଶରେ ଓଡ଼ିଶାର ସ୍ଥାନ ଦ୍ବିତୀୟ । ମହାରାଷ୍ଟ୍ରରେ ସର୍ବାଧିକ ୫୯୭୧ ମାମଲା ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ଓଡ଼ିଶାରେ ୩୩୫୬ଟି ତଦନ୍ତାଧୀନ ମାମଲା ସହିତ ଦ୍ବିତୀୟ ସ୍ଥାନରେ ରହିଛି । ସେହିପରି ୩୦୦୨ ମାମଲା ସହ ରାଜସ୍ଥାନ ତୃତୀୟ ସ୍ଥାନରେ ରହିଛି। ଗତବର୍ଷ ୧୬ଟି ମାମଲାରେ ଦଣ୍ଡବିଧାନ ହୋଇଥିବା ବେଳେ ୧୬ଟି ମାମଲାରେ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ଏହାର ଅର୍ଥ ହେଉଛି ଦଣ୍ଡବିଧାନ ହାର ୫୦ ପ୍ରତିଶତ ରହିଥିବା ଵେଳେ ମାମଲା ହାର ୯୮.୭ ପ୍ରତିଶତ ରହିଥିବା ନେଇ ଏନସିଆରବି ରିପୋର୍ଟରୁ ଜଣାପଡ଼ିଛି।

Related Posts