ଓଡ଼ିଶାରେ ହେବ ଜୁନିୟର ପୁରୁଷ ହକି ବିଶ୍ୱକପ୍ : ଟ୍ରଫି ଓ ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ହକିପ୍ରେମୀଙ୍କ ପାଇଁ ଖୁସି ଖବର। ଓଡ଼ିଶାରେ ଚଳିତ ବର୍ଷ ହେବ ଜୁନିୟର ପୁରୁଷ ହକି ବିଶ୍ୱକପ୍ । ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଶ୍ୱକପ୍ ଟ୍ରଫି ଓ ଲୋଗୋ ଉନ୍ମୋଚିତ କରିଛନ୍ତି। ଚଳିତ ବର୍ଷ ନଭେମ୍ବର ୨୪ରୁ ଡିସେମ୍ବର ୫ ତାରିଖ ଯାଏ କଳିଙ୍ଗ ଷ୍ଟାଡିୟମରେ ବିଶ୍ୱକପ୍ ଅନୁଷ୍ଠିତ ହେବ। ଚଳିତଥର ଭାରତୀୟ ହକି ଦଳ ହୋମଗ୍ରାଉଣ୍ଡରେ ପ୍ରଦର୍ଶନ କରିବାକୁ ଯାଉଛି। 

ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ଅନେକ ଖେଳାଳୀ ଟିମ୍ ଇଣ୍ଡିଆ ପାଇଁ ଖେଳି ରାଜ୍ୟକୁ ଗର୍ବିତ କରିଛନ୍ତି । ହକିକୁ ଆହୁରି ଆଗକୁ ନେବା ପାଇଁ ଓଡ଼ିଶା ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ଭାରତୀୟ ହକି ଟିମର ପ୍ରାୟୋଜକ ରହିବ । ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ପୁରୁଷ ଜୁନିୟର ହକି ବିଶ୍ୱକପ ପାଇଁ ମାତ୍ର ୨ ମାସ ସମୟ ମିଳିଥିଲା । କରୋନା ଭଳି ସଙ୍କଟଜନକ ପରିସ୍ଥିତିରେ ଓଡିଶା ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରି ଜୁନିୟର ହକି ବିଶ୍ୱକପ ଆୟୋଜନ କରିବା ପାଇଁ ସମ୍ମତି ଦେଇଥିଲା ।

ଲୋକସେବା ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏଫଆଇଏଚ ସଭାପତି ନରିନ୍ଦର ବାତ୍ରା ମଧ୍ୟ ଉପସ୍ଥିତ ଥିଲେ। ସେ କହିଛନ୍ତି ଯେ , ଭାରତୀୟ ହକି ପାଇଁ ଓଡିଶା ହେଉଛି ଅତ୍ୟନ୍ତ ଶୁଭଙ୍କର । ଯେଉଁଥିପାଇଁ ୪୧ ବର୍ଷ ପରେ ଭାରତୀୟ ହକି ଟିମ ଅଲମ୍ପିକ୍ସରେ ପଦକ ବିଜେତା ହୋଇଛି ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ମଧ୍ୟ ଓଡ଼ିଶାର କଳିଙ୍ଗ ଷ୍ଟାଡିୟମରେ ସିନିୟର ପୁରୁଷ ହକି ବିଶ୍ୱକପର ସଫଳ ଆୟୋଜନ ହୋଇସାରିଛି। ୨୦୧୮ରେ ଆୟୋଜିତ ସିନିୟର ପୁରୁଷ ହକି ବିଶ୍ୱକପରେ ବେଲଜିୟମ ଚାମ୍ପିୟନ୍ ହୋଇଥିଲା।

Related Posts