ମହାନଦୀ ରେ ହାତୀ ଉଦ୍ଧାର କଭରେଜ୍ ବେଳେ ଅଘଟଣ: ଓଟିଭି ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ

କଟକ : ମହାନଦୀରେ ଭୟଙ୍କର ଅଘଟଣ। କଟକ ନିକଟସ୍ଥ ମୁଣ୍ଡଳି ବ୍ୟାରେଜ୍ ନିକଟରେ ବନ୍ୟା ଜଳରେ ଫସିଥିବା ହାତୀକୁ ଉଦ୍ଧାର କରିବାକୁ ଯାଇଥିବା ଓଡ୍ରାଫ ଟିମର ବୋଟ ପ୍ରଖର ପାଣି ସ୍ରୋତରେ ଭାରସାମ୍ୟ ହରାଇ ଓଲଟିବା ଘଟଣାରେ ରାଜ୍ୟର ଜଣେ ଲୋକପ୍ରିୟ ଯୁବସାମ୍ବାଦିକ ଅରିନ୍ଦମ ଦାସଙ୍କର ଅକାଳ ବି‌ୟୋଗ ଘଟିଛି। ଏହି ଅଭାବନୀୟ ଘଟଣା ରାଜ୍ୟର ଗଣମାଧ୍ୟମ ଜଗତରେ ଶୋକର ଛାୟା ଖେଳାଇ ଦେଇଛି। ମୃତ ଅରିନ୍ଦମ ଦାସ ସମ୍ପ୍ରତି ଲୋକପ୍ରିୟ ନ୍ୟୁଜ୍ ଚ୍ୟାନେଲ ଓ ଟି ଭି ରେ କାର୍ଯ୍ୟରତ ଥିଲେ। OTV ପୂର୍ବରୁ ଅରିନ୍ଦମ ଦୈନିକ ଧରିତ୍ରୀ ଖବର କାଗଜରେ ଭୁବନେଶ୍ବରରେ କ୍ରାଇମ୍ ରିପୋର୍ଟର ଭାବେ କାର୍ଯ୍ୟ କରୁଥିଲେ। କ୍ରାଇମ୍ ରିପୋର୍ଟ ଠାରୁ ଆରମ୍ଭ କରି ପଲିଟିକାଲ reporting ତଥା ବନ୍ୟା, ବାତ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ରିପୋର୍ଟିଂ ରେ ଅରିନ୍ଦମ ଜଣେ ଦକ୍ଷ ରିପୋର୍ଟର ଭାବରେ ମିଡିଆ ମହଲରେ ପରିଚିତ ଥିଲେ।

ସୂଚନା ଅନୁସାରେ, ହାତୀକୁ ଉଦ୍ଧାର କରିବାକୁ ଯାଇଥିବା ବୋଟଟି ପାଣିର ପ୍ରଖର ସ୍ରୋତରେ ଖସିପଡ଼ିଥିଲା । ସେଥିରେ ଖବର ସଂଗ୍ରହ ଲାଗି ଯାଇଥିବା  ଓଟିଭିର ପ୍ରତିନିଧି ଅରିନ୍ଦମ ଦାସ ଏବଂ  କ୍ୟାମେରାମ୍ୟାନ୍ ପ୍ରଭାତ ସିହ୍ନା ପାଣିରେ ପଡ଼ିଯାଇଥିଲେ । ଏଥିସହ ଜଣେ ଓଡ୍ରାଫ୍ କର୍ମଚାରୀ ମଧ୍ୟ ପାଣିରେ ବୁଡ଼ି ଯାଇଥିଲେ। ଏହାପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ସାମ୍ବାଦିକ ଅରିନ୍ଦମ ଦାସ ଓ କ୍ୟାମେରାମ୍ୟାନ ସିହ୍ନାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

ସଙ୍ଗେସଙ୍ଗେ ଦୁଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଅରିନ୍ଦମଙ୍କର ମୃତ୍ୟୁ ହୋଇଥିଲା। ପ୍ରଭାତ ସିହ୍ନାଙ୍କ ଅବସ୍ଥା ଗୁରୁତର ରହିଥବା ବେଳେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ସାମ୍ବାଦିକ ଅରିନ୍ଦମ ଦାସଙ୍କ ମୃତ୍ୟୁ ସମ୍ପର୍କରେ କଟକ ବଡ଼ ମେଡିକାଲର ଅଧିକାରୀ ଡ.ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି।

ଅରିନ୍ଦମଙ୍କ ମୃତ୍ୟୁ ଏବେ ଡିଯାଷ୍ଟର କଭରେଜ କୁ ନେଇ ଅନେକ ପ୍ରଶ୍ନ ଉଠୁଛି। ଏ ନେଇ ସୋସିଆଲ ମିଡ଼ିଆରେ ମଧ୍ଯ ବିତର୍କ ଆରମ୍ଭ ହୋଇଯାଇଛି। କାହିକି ଏଵଂ କେଉଁ ସ୍ଥିତିରେ ଅରିନ୍ଦମ ଏଭଳି ବିପଜ୍ଜନକ ସ୍ଥିତିରେ ନ୍ୟୁଜ କଭରେଜ ପାଇଁ ଉଚ୍ଛୁଲା ନଦୀ ଭିତରକୁ ଯାଇଥିଲେ। ଓଡ୍ରାଫ ଟିମ୍ କାହିଁକି ଓଟିଭି ଟିମ୍ କୁ ପାଣି ଭିତରକୁ ଯିବାକୁ ଅନୁମତି ଦେଇଥିଲା?

Related Posts