ଜଳଦ ତ୍ରିପାଠୀ ହେଲେ ରାଜ୍ୟ ମୁଖ୍ୟ ସୂଚନା କମିଶନର : ଚୟନ କମିଟି ସୁପାରିଶ ଉପରେ ମୋହର ମାରିଲେ ରାଜ୍ୟପାଳ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟ ମୁଖ୍ୟ ସୂଚନା କମିଶନର ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ତଥା ତାମିଲନାଡୁର ପୂର୍ବତନ ଡିଜିପି ଜଳଦ କୁମାର ତ୍ରିପାଠୀ । ଚୟନ କମିଟିର ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍। ଏ ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୧୯୮୫ ବ୍ୟାଚର ଆଇପିଏସ ଅଫିସର ହେଉଛନ୍ତି ଜଳଦ ତ୍ରିପାଠୀ ।ତେବେ ପୂର୍ବତନ ମୁଖ୍ୟ ସୂଚନା କମିଶନର ସୁନୀଲ ମିଶ୍ର ଗତ ମାସ ୧୫ ତାରିଖରେ ଅବସର ଗ୍ରହଣ କରିଥିଲେ । ସେବେଠାରୁ ଏହି ପଦବୀ ଖାଲି ପଡ଼ିଥିଲା । ପୂର୍ବରୁ ଜୁନ୍ ମାସରେ ଏହି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା । ଜୁଲାଇ ୩୧ ତାରିଖ ଥିଲା ଆବେଦନ କରିବାର ଶେଷ ତାରିଖ  । ଗତ ୨୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଚୟନ କମିଟିର ଭର୍ଚୁଆଲ ବୈଠକରେ ଜଳଦ ତ୍ରିପାଠୀଙ୍କ ନାଁ ଚୂଡ଼ାନ୍ତ ହୋଇଥିଲା। ବର୍ତ୍ତମାନ ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ଜଳଦ କୁମାର ତ୍ରିପାଠୀଙ୍କ ନାଁରେ ମୋହର ବାଜିଛି ।

ଜଳଦ ତ୍ରିପାଠୀଙ୍କ ଜନ୍ମ ହେଉଛି କଟକ ଜିଲ୍ଲାର ଭେଡ଼ା ଠାରେ।  ସେ ୧୯୮୫ ବ୍ୟାଚ୍ ତାମିଲାନାଡୁ କ୍ୟାଡରର ଆଇପିଏସ୍ ଅଫିସର ଥିଲେ । ଦୀର୍ଘ ୩୦ ବର୍ଷର ଚାକିରି କାଳ ଭିତରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ ତୁଲାଇଥିଲେ । ପୂର୍ବରୁ ଚେନ୍ନାଇ ପୁଲିସ କମିଶନର ଭାବେ ସେ ମଧ୍ୟ କାର୍ଯ୍ୟ କରିଛନ୍ତି। 

ତେବେ ଏଠାରେ ସୂଚନା ଥାଉକି, ୨୦୦୫ ନଭେମ୍ବର ମାସରୁ ରାଜ୍ୟ ସୂଚନା କମିସନ କାର୍ଯ୍ୟକ୍ଷମ ହେଲା ପରେ ତିନି ଜଣ ମୁଖ୍ୟ ସୂଚନା କମିସନର ଭାବେ କାର୍ଯ୍ୟ କରିଛନ୍ତି । ସେମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଆଇଏଏସ୍ ଅଫିସର୍ ଡି ଏନ୍ ପାଢ଼ୀ ପ୍ରଥମ ମୁଖ୍ୟ ସୂଚନା କମିସନର୍ ଭାବେ ନିଯୁକ୍ତି ପାଇଥିଲେ । ତାଙ୍କ ପରେ ପୂର୍ବତନ ମୁଖ୍ୟ ଶାସନ ସଚିବ ତରୁଣକାନ୍ତି ମିଶ୍ର ଏବଂ ତାଙ୍କ ପରେ ପରେ ଅବସରପ୍ରାପ୍ତ ଆଇଆର୍‌ଏସ୍‌ ଅଫିସର ସୁନିଲ ମିଶ୍ର ମୁଖ୍ୟ ସୂଚନା କମିସନର୍ ଭାବେ କାର୍ଯ୍ୟ କରି ଗତ ଅଗଷ୍ଟ ମାସରେ ଅବସର ଗ୍ରହଣ କରିଛନ୍ତି ।

Related Posts