ଭାରତୀୟ ହକିକୁ ୨୦୩୩ ଯାଏଁ ସ୍ପନସର କରିବ ଓଡ଼ିଶା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଆଗାମୀ ଦଶ ବର୍ଷ ପର୍ଯ୍ୟନ୍ତ ଅର୍ଥାତ୍ ୨୦୩୩ ପର୍ଯ୍ୟନ୍ତ ଭାରତୀୟ ହକି ଟିମର ପ୍ରାୟୋଜକ ହେବ ଓଡିଶା। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ଘୋଷଣା କରିଛନ୍ତି। ଅଲିମ୍ପିକ୍ସରେ ଇତିହାସ ରଚିଥିବା ଉଭୟ ପୁରୁଷ ଏବଂ ମହିଳା ହକି ଦଳ ଓଡ଼ିଶା ଗସ୍ତରେ ଥିବାବେଳେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହା ପୂର୍ବରୁ ଓଡ଼ିଶା ୨୦୧୮ରେ ହକି ଇଣ୍ଡିଆ ସହ ୫ ବର୍ଷ ପାଇଁ ଚୁକ୍ତି କରିଥିଲା। କିନ୍ତୁ ଏବେ ଓଡ଼ିଶା ଆଉ ୧୦ ବର୍ଷ ହକି ଇଣ୍ଡିଆ ସହ ରହିବାକୁ ନିଷ୍ପତ୍ତି ନେଇଛି। ପୂର୍ବରୁ ୨୦୨୩ ଯାଏଁ ଓଡ଼ିଶା ହକିର ପ୍ରୟୋଜକ ରହିଥିବା ବେଳେ ଆସନ୍ତା ୨୦୩୩ ଯାଏଁ ଏହାର ଅବଧି ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହା ସହିତ ସମସ୍ତ ଖେଳାଳିଙ୍କୁ ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକ । ଦୁଇ ଦଳର ଗୋଲକିପର ପି ଆର ଶ୍ରୀଜେସ ଓ ସବିତା ପୁନିଆଙ୍କୁ ଶ୍ରେଷ୍ଠ ଗୋଲ କିପର ଘୋଷଣା କରାଯାଇଛି । ଏହା ସହିତ ମହିଳା ଦଳର ଉପ ଅଧିନାୟିକା ରହିଥିବା ଦୀପଗ୍ରେସ ଏକ୍କାଙ୍କୁ ଶ୍ରେଷ୍ଠ ଡିଫେଣ୍ଡର ଭାବରେ ଘୋଷଣା କରାଯାଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ହକି ଇଣ୍ଡିଆ ସହ ଆମର ପାର୍ଟନରଶିପ୍ ଦେଶ ପାଇଁ ଏକ ବଡ଼ ଉପଲବ୍ଧି। ଆମେ ଆମର ଏହି ପାର୍ଟନରଶିପକୁ ଆଗକୁ ବଢ଼ାଇବୁ। ଏହା ଭାରତୀୟ ହକିରେ ନୂଆ ଅଧ୍ୟାୟ ସୃଷ୍ଟି କରିବା ସହ ଦେଶକୁ ତା’ର ପୂର୍ବ ଗୌରବ ଫେରାଇବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ଭାରତୀୟ ହକିର ପ୍ରାୟୋଜକ ଥିବା ସାହାରା ପୁରୁଷ ଓ ମହିଳା ଦଳର ସ୍ପନସରରୁ ଓହରି ଯାଇଥିଲା। ଏହିପରି ଏକ ଘଡ଼ି ସନ୍ଧି ମୁହୁର୍ତ୍ତରେ ହକିର ହାତ ଧରିଥିଲା ଓଡିଶା। ୨୦୧୮ରେ ଓଡ଼ିଶା ସରକାର ହକି ଇଣ୍ଡିଆ ସହ ୫ ବର୍ଷ ପାଇଁ ୧୦୦ କୋଟି ଟଙ୍କାର ଚୁକ୍ତି କରିଥିଲା। ଏହାବ୍ୟତୀତ ଓଡ଼ିଶା ସରକାର ବିଶ୍ୱସ୍ତରୀୟ ଟ୍ରେନିଂ, ରିହ୍ୟାବ ସୁବିଧା, ପ୍ରାକ୍ଟିସ୍ ମ୍ୟାଚ୍ ଓ ଟୁର୍ଣ୍ଣାମେଣ୍ଟ ଜରିଆରେ ହକିକୁ ନୂଆ ଜୀବନ ଦେଇଛନ୍ତି।

Related Posts