ବିଜେପିକୁ କେବଳ ଦ୍ୱିତୀୟ ସାମ୍ମୁଖ୍ୟ ହିଁ ପରାସ୍ତ କରିପାରିବ: ପ୍ରଶାନ୍ତ କିଶୋର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦେଶରେ ବର୍ତ୍ତମାନ ଭାରତୀୟ ଜନତା ପାର୍ଟି ଏକ ବୃହତ ଦଳ ଭାବରେ ଉଭା ହୋଇଛି । ସେପଟେ ବିଜେପିକୁ ପରାସ୍ତ କରିବା ପାଇଁ ପ୍ରାୟତଃ ସମସ୍ତ ରାଜନୈତିକ ଦଳ ଏକାଠି ହେବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି । ଏହା ମଧ୍ୟରେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ବିଜେପିକୁ ନେଇ ବଡ଼ ବୟାନ ଦେଇଛନ୍ତି । ତେବେ ଦେଶରେ କୌଣସି ତୃତୀୟ କିଂବା ଚତୁର୍ଥ ସାମ୍ମୁଖ୍ୟ ନିର୍ବାଚନ ଜିଣିବାରେ ସମର୍ଥ ହେବ ନାହିଁ ବୋଲି ତାଙ୍କର ବିଶ୍ବାସ ନ ହେଉଥିବା କଥା ନିର୍ବାଚନ ରଣନିତୀଜ୍ଞ ପ୍ରଶାନ୍ତ କିଶୋର କହିଛନ୍ତି। କେବଳ ଏତିକି ନୁହେଁ ବରଂ ଯଦି କୌଣସି ଦଳ ‘ବିଜେପି’କୁ ପରାସ୍ତ କରିବାକୁ ଇଚ୍ଛା କରେ ତାହାକୁ ଦ୍ବିତୀୟ ସାମ୍ମୁଖ୍ୟ ହୋଇ ବାହାରିବାକୁ ପଡ଼ିବ ବୋଲି ନିର୍ବାଚନ ରଣନୀତିଜ୍ଞ କହିଛନ୍ତି । ସେପଟେ ଏକଥା ସେ ଏକ ନ୍ୟୁଜ ଚ୍ୟାନେଲରେ ସାକ୍ଷାତକାର ସମୟରେ କହିଥିଲେ।

୨୦୨୪ ନିର୍ବାଚନରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ‘ତୃଣମୂଳ କଂଗ୍ରେସ’କୁ ତୃତୀୟ ସାମ୍ମୁଖ୍ୟ ଭାବେ ଅବତୀର୍ଣ୍ଣ କରାଇବାରେ ସାହାଯ୍ୟ କରୁଛନ୍ତି କି, ବୋଲି ତାଙ୍କୁ ପଚରାଯାଇଥିଲା।ସେ କହିଥିଲେ, କୌଣସି ତୃତୀୟ ଓ ଚତୁର୍ଥ ସାମ୍ମୁଖ୍ୟ ଏ ଦେଶରେ ନିର୍ବାଚନ ଜିଣିପାରିବ ବୋଲି ମୁଁ କଦାପି ବିଶ୍ବାସ କରେନାହିଁ। ଯଦି ଆମେ ‘ବିଜେପି’କୁ ପ୍ରଥମ ସାମ୍ମୁଖ୍ୟ ବୋଲି ବିବେଚନା କରିବା, ତାକୁ ପରାସ୍ତ କରିବା ଲାଗି ‘ତୃଣମୂଳ କଂଗ୍ରେସ’କୁ ଦ୍ବିତୀୟ ସାମ୍ମୁଖ୍ୟ ହେବାକୁ ପଡ଼ିବ। ଯଦି କୌଣସି ଦଳ ‘ବିଜେପି’କୁ ପରାସ୍ତ କରିବାକୁ ଇଚ୍ଛା କରୁ ଥାଏ, ତାକୁ ଦ୍ବିତୀୟ ସାମ୍ମୁଖ୍ୟ ଭାବେ ଉଭା ହେବାକୁ ପଡ଼ିବ। କଂଗ୍ରେସକୁ ସେ ଦ୍ବିତୀୟ ସାମ୍ମୁଖ୍ୟ ଭାବେ ବିବେଚନା କରୁଛନ୍ତି କି, ବୋଲି ପଚରାଯିବାରୁ ସେ କହିଲେ, ନା। କଂଗ୍ରେସ ହେଉଛି ଦେଶର ଦ୍ବିତୀୟ ବୃହତ୍ ଦଳ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts