ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବେ ଓପି ରାଜଭର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବେ ଓପି ରାଜଭର । ତେବେ ସୁହେଲଦେବ ଭାରତୀୟ ସମାଜ ପାର୍ଟି(ଏସ୍‌ବିଏସ୍‌ପି)ସଭାପତି ଓମ ପ୍ରକାଶ ରାଜଭର ଶୁକ୍ରବାର ଏକ ବଡ଼ ଘୋଷଣା କରିଛନ୍ତି। ରାଷ୍ଟ୍ରପତି ନିର୍ବାଚନରେ ସେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ସମର୍ଥନ ଦେବେ ବୋଲି ଘୋଷଣା କରିଛନ୍ତି। ସେପଟେ ସେ କହିଛନ୍ତି, ରାଷ୍ଟ୍ରପତି ନିର୍ବାଚନରେ ଆମ ଦଳର ୬ ବିଧାୟକ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବେ। ଏନେଇ ବିଧାୟକଙ୍କ ସହ ଆଲୋଚନା କରିଛି। ଦ୍ରୌପଦୀ ମୁର୍ମୁ ଆସିବା ପରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆମକୁ ରାତ୍ରୀ ଭୋଜନ ପାଇଁ ଡାକିଥିଲେ। ଯୋଗୀଙ୍କ ସହ ମୋର ଏକ ଆଲୋଚନା ହୋଇଛି। ଏଥି ସହିତ ଦ୍ରୌପଦୀ ମୁର୍ମୁ ଆମର ସମର୍ଥନ ଲୋଡିଥିଲେ। ତେଣୁ ଆମେ ତାଙ୍କୁ ସମର୍ଥନ ଦେବାକୁ ନିଷ୍ପତ୍ତି ନେଇଛୁ।ସୂଚନାଯୋଗ୍ୟ, ସମାଜବାଦୀ ପାର୍ଟି(ଏସପି)ର ସହଯୋଗୀ ଥିବା ରାଜଭର ୟୁପି ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ଏସପି ସଭାପତିଙ୍କୁ ସର୍ବସାଧାରଣରେ ଟାର୍ଗେଟ କରିବା ଆରମ୍ଭ କରିଥିଲେ। ଏହାକୁ ନେଇ ଉଭୟ ନେତାଙ୍କ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇଯାଇଥିଲା। ନିକଟରେ ଅନୁଷ୍ଠିତ ବିଧାନ ପରିଷଦ ନିର୍ବାଚନକୁ ନେଇ ଉଭୟଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିଲା।

ରାଜଭର ତାଙ୍କ ପୁଅ ଅରବିନ୍ଦ ରାଜଭରଙ୍କୁ ବିଧାନ ପରିଷଦକୁ ପଠାଇବାକୁ ଚାହୁଁଥିଲେ, କିନ୍ତୁ ଅଖିଳେଶ ତାଙ୍କ ସ୍ଥାନରେ ଆରଏଲଡି ସଭାପତି ଜୟନ୍ତ ଚୌଧୁରୀଙ୍କୁ ପଠାଇଥିଲେ। ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ବିରୋଧୀ ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ଅଖିଳେଶ ରାଜଭାରଙ୍କୁ ପଚାରି ନ ଥିଲେ ଏବଂ ଜୟନ୍ତ ଚୌଧୁରୀଙ୍କୁ ଡାକି ମଞ୍ଚ ଶେୟାର କରିଥିଲେ। ସେବେଠାରୁ ରାଜଭର ଖୋଲାଖୋଲି ଭାବେ ଅଖିଳେଶଙ୍କ ଉପରେ ଆକ୍ରମଣ କରିଆସୁଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶ୍ରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।

Related Posts