ଜୁଲାଇ ୨୨ ତାରିଖରେ ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନ, ଘୋଷଣା କଲେ ବାଚସ୍ପତି ଆବେବର୍ଦ୍ଦନା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଶ୍ରୀଲଙ୍କାର ରାଷ୍ଟ୍ରପତି ପଦରୁ ଗୋଟାବାୟା ରାଜପକ୍ଷେ ଇସ୍ତଫା ଦେଇଛନ୍ତି। ଆଜି ବାଚସ୍ପତି ମହିନ୍ଦା ୟାପା ଆବେବର୍ଦ୍ଦନା ଔପଚାରିକ ଭାବେ ଏହା ଘୋଷଣା କରିଛନ୍ତି।୧୪ ତାରିଖରେ ଗୋଟାବାୟା ଇ-ମେଲ୍‌ ଜରିଆରେ ପଠାଇଥିବା ଇସ୍ତଫା ପତ୍ରଟିକୁ ବାଚସ୍ପତି ଆବେବର୍ଦ୍ଦନା ଗ୍ରହଣ କରିଥିବା କହିଛନ୍ତି। ସେ କହିଛନ୍ତି ୧୬ ତାରିଖରେ ପାର୍ଲାମେଣ୍ଟ୍‌ ଅଧିବେଶନ ବସିବ ଓ ଆଗାମୀ ୨୨ ତାରିଖରେ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହେବ।ବାଚସ୍ପତି ଆବେବର୍ଦ୍ଦନା ଦେଶରେ ଶାନ୍ତି ବଜାୟ ରଖିବା ଲାଗି ଜନସାଧାଣଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ସମସ୍ତ ସାଂସଦଙ୍କୁ ଶାନ୍ତିପୂର୍ଣ୍ଣ ବାତାବରଣରେ ଛାଡ଼ନ୍ତୁ। ଫଳରେ ଆଗାମୀ ୭ ଦିନ ମଧ୍ୟରେ ହେବାକୁ ଥିବା ପରବର୍ତ୍ତୀ ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟାରେ ସେମାନେ ଅଂଶଗ୍ରହଣ କରିପାରିବେ।

ତେବେ ନିୟମ ଅନୁସାରେ ଶ୍ରୀଲଙ୍କାର ସଂସଦ ଜଣେ ନୂତନ ରାଷ୍ଟ୍ରପତିଙ୍କୁ ନିର୍ବାଚିତ ନକରିବା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରାନିଲ୍‌ ବିକ୍ରମସିଂଘେ ହିଁ କାର୍ଯ୍ୟନିର୍ବାହୀ ରାଷ୍ଟ୍ରପତି ଭାବେ ଦାୟିତ୍ବରେ ରହିବେ।

Related Posts