ନବ ନେତା ନୁହଁନ୍ତି ବେପାରୀ !

ଭୁବନେଶ୍ୱର- ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କୁ ବାଧିଛି ବିଧାୟକ ନବ ଦାସଙ୍କ ଦଳ ଛାଡିବା ନିଷ୍ପତି । ଏ ନିଷ୍ପତି ଏତେ କଷ୍ଟ ଦେଇଛି ଯେ, ନିରଂଜନ ଚାହିଁକି ବି ସାମ୍ବାଦିକଙ୍କ ସାମ୍ନାରେ ନିଜ କୋହ ଓ ମନର ଭାବନାକୁ ରୋକି ପାରିନଥିଲେ । ନବୀନଙ୍କ ସହ ନବ ହାତ ମିଳାଇବା ପ୍ରସଙ୍ଗରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ନିରଂଜନ ଏପରି ଏକ କଥା କହିଲେ, ଯାହା ରାଜନୀତିକ ମହଲରେ ଝଡ ଛିଡା କରିଛି ।

ପ୍ରଥମେ କହିଲେ ମୁଁ ଦୁଃଖିତ । କିନ୍ତୁ ତା ପରେ ଯାହା କହିଲେ, ଏଭଳି ପ୍ରତିକ୍ରିୟା ହୁଏତ କେହି ଆଶା କରି ନଥିଲେ । ଖୋଦ ନବ ବି କେବେ ଏହା ଆଶା କରି ନଥିବେ । ନବଙ୍କ ନାଁ ନ ନେଇ ନିରଂଜନ କହିଥିଲେ, ନିର୍ବାଚନ ପୂର୍ବରୁ ଦଳ ବଦଳ କିଛି ନୂଆ କଥା ନୁହେଁ । ହେଲେ ନୀତି ଓ ଆଦର୍ଶକୁ ଭୁଲି ଜଣେ ଯେତେବେଳେ ଅନ୍ୟ ଦଳରେ ଯୋଗ ଦିଅନ୍ତି ସେତେବେଳେ ସେମାନେ ଆଉ ରାଜନେତା ହୋଇ ରୁହନ୍ତି ନାହିଁ । ଆଉ ଯାହା କରନ୍ତି ତାହା ରାଜନୀତି ନୁହେଁ ବରଂ କେବଳ ବ୍ୟବସାୟ । ନିରଂଜନଙ୍କ ଏହି ସନ୍ଦେଶ ଓ ନିଶାନା ଏକ ଦମ ସ୍ପଷ୍ଟ ଥିଲା, ନବଙ୍କ କଂଗ୍ରେସ ଛାଡିବା ନିଷ୍ପତି ନିରଂଜନଙ୍କୁ କେତେ କଷ୍ଟ ଦେଇଛି । ନିରଂଜନ ବୁଲେଇ ବଙ୍କେଇ ହେଉ ପଛେ ଏକଥା ସ୍ପଷ୍ଟ କରିଛନ୍ତି ଏହା ରାଜନୀତି ନୁହେଁ ବରଂ ବ୍ୟବସାୟ ଏବଂ ନବ ରାଜନେତା ନୁହଁନ୍ତି ବରଂ ବ୍ୟବସାୟୀ ।

ନବ କଂଗ୍ରେସ ଛାଡିବା ଓ ବିଜେଡିରେ ମିଶିବା ନିରଂଜନଙ୍କୁ ଯେତିକି ବାଧିନି, ସେ କେଉଁ ସମୟରେ ଦଳ ଛାଡୁଛନ୍ତି, ତାହା ବେଶୀ ବାଧିଛି । ନିରଂଜନଙ୍କ ନେତୃତ୍ୱ ଉପରେ ଏହା ଏକ ବଡ ଧରଣର ଝଟକା ବୋଲି କହିଲେ କିଛି ଭୁଲ ହେବନାହିଁ । ଦଳ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆସିବା ଠିକ ଦିନକ ପୂର୍ବରୁ ବିଧାୟକ ନବ ବିଜେଡିରେ ଯୋଗଦେବା ଅର୍ଥ ରାହୁଲ ଗାନ୍ଧୀଙ୍କୁ ଏ ଘଟଣା ଅପ୍ରସ୍ତୁତ କରିବ ଓ ଓଡିଶାରେ ପ୍ରଦେଶ କଂଗ୍ରେସରେ ନିରଂଜନଙ୍କ ନେତୃତ୍ୱର ଗ୍ରହଣୀୟତା ଉପରେ ମଧ୍ୟ ପ୍ରଶ୍ନ ଉଠାଇବ ।

ତାର କାରଣ, ଗୋଟିଏ ପଟେ ଭଦ୍ରକର ମାଧବାନନ୍ଦ ମଲ୍ଲିକ, ପୂର୍ବତନ ମନ୍ତ୍ରୀ ତଥା ସିମୁଳିଆର କଂଗ୍ରେସ ନେତା ପଦ୍ମଲୋଚନ ପଣ୍ଡା , ବସ୍ତାର ଜୟ ନାରାୟଣ ମହାନ୍ତି ପ୍ରମୁଖ ଦଳ ଛାଡିବା ଏବଂ ଅନ୍ୟପଟେ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ଖୁଲମଖୁଲା ନିରଂଜନଙ୍କ ନେତୃତ୍ୱକୁ ଚ୍ୟାଲେଞ୍ଜ କରିବା ସମୟରେ ହିଁ ନବ ଦାସ ଦଳ ଛାଡିବା ନିରଂଜନଙ୍କୁ ଦୋହଲାଇ ଦେଇଛି । ଏତିକିରେ ଶେଷ ହୋଇନି ନିରଂଜନଙ୍କ ଦୁଃଖ । ତଳସରାର ବିଧାୟକ ପ୍ରଫୁଲ ମାଝୀ, ସୁନ୍ଦରଗଡ ଯୋଗେଶ ସିଂ ଓ ପୂର୍ବତନ ସାନଖେମୁଣ୍ଡି ବିଧାୟକ ରମେଶ ଜେନା ମଧ୍ୟ ଦଳ ଛାଡିବେ ବୋଲି ଆଲୋଚନା ଆରମ୍ଭ ହୋଇଗଲାଣି ।

ଗତ ପଂଚାୟତ ନିର୍ବାଚନରେ ଝାରସୁଗୁଡାରେ ହିଁ କଂଗ୍ରେସ ସର୍ବାଧିକ ଭୋଟ ପାଇଥିଲା । ଯେଉଁଥିପାଇଁ ଏଇଠି ହିଁ ନବୀନ ଖେଳିଛନ୍ତି ମାଷ୍ଟରଷ୍ଟ୍ରୋକ । ଅବଶ୍ୟ ନିରଂଜନ କହିଛନ୍ତି ନବ ଦାସ ଦଳ ଛାଡିଲେ ଦଳ ଉପରେ କୌଣସି ପ୍ରଭାବ ପଡିବ ନାହିଁ, ଏପରିକି ସେ ନିଜେ ଦଳ ଛାଡିଲେ ମଧ୍ୟ କିଛି ବି ପ୍ରଭାବ ପଡିବ ନାହିଁ । କିନ୍ତୁ ଏକଥା କେବଳ ଶୁଣିବା ପାଇଁ ଭଲ ଲାଗିବ ସିନା ବାସ୍ତବତା ହେଉଛି ଏହି ଦଳଡିଆଁ ପ୍ରକ୍ରିିୟା ଦଳ ଓ ସଂଗଠନ ଉପରେ ବଡ ପ୍ରଭାବ ପକାଇବ ନିଶ୍ଚିତ ।

Related Posts