ପୋଲସରା ବିଜେଡି ବିଧାୟକଙ୍କୁ ହାଇକୋର୍ଟ ଝଟ୍‌କା, ମିଥ୍ୟା ସତ୍ୟପାଠ ଅଭିଯୋଗର ତଦନ୍ତ ନିର୍ଦ୍ଦେଶ

ମିଥ୍ୟା ସତ୍ୟପାଠ ଅଭିଯୋଗ ମାମଲାରେ ପୋଲସରାର ବିଜେଡି ବିଧାୟକ ଶ୍ରୀକାନ୍ତ ସାହୁଙ୍କ ପାଇଁ ବଢ଼ିଛି ଅଡୁଆ । ଏ ନେଇ ହାଇକୋର୍ଟରେ ହୋଇଥିବା ମାମଲାର ଶୁଣାଣି ହୋଇଛି । 3 ମାସ ଭିତରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ବାଚନ କମିସନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ । ଏ ନେଇ ସୂଚନା ଦେଇଛନ୍ତି ଆବେଦନକାରୀଙ୍କ ଓକିଲ ପୀତାମ୍ବର ଆଚାର୍ଯ୍ୟ । ପୋଲସରା ବିଧାୟକଙ୍କ ମିଥ୍ୟା ସତ୍ୟପାଠକୁ ନେଇ ଉଚ୍ଚ ନ୍ୟାୟାଳୟରେ ଦୁଇଟି ଜନସ୍ୱାର୍ଥ ମାମଲା ଦାଏର ହୋଇଥିଲା ।

ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ମିଥ୍ୟା ସତ୍ୟପାଠ ଓ ଜାଲି ସାର୍ଟିଫିକେଟ୍‌କୁ ନେଇ ଦୀର୍ଘ ଦିନ ହେଲା ଲାଗି ରହିଛି ବିବାଦ । 2014 ସାଧାରଣ ନିର୍ବାଚନ ସମୟରେ ବିଧାୟକ ଶ୍ରୀକାନ୍ତ ସାହୁ ଯେଉଁ ସତ୍ୟପାଠ ଦାଖଲ କରିଥିଲେ ତାହା ମିଥ୍ୟା ବୋଲି ଅଭିଯୋଗ କରିଥିଲା ଗଞ୍ଜାମ ନାଗରିକ ସୁରକ୍ଷା ଓ ଅଧିକାର ମଞ୍ଚ ।

୨୦୧୮ରେ ମିଥ୍ୟା ସତ୍ୟପାଠ ଓ ଜାଲ୍‌ ସାର୍ଟିଫିକେଟ ସମ୍ପର୍କରେ ମଞ୍ଚ ପକ୍ଷରୁ ୧୨/୧୦/୨୦୧୮ ରେ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ବିଧାୟକ ଦେଇଥିବା ସତ୍ୟପାଠରେ ସେ ଦର୍ଶାଇଛନ୍ତି ଯେ ହାତୀଓଟ ହାଇସ୍କୁଲରୁ ଦଶମ ପାସ୍‌ କରିଛନ୍ତି ।

ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ବିଧାନସଭା ୱେବ୍‌ ସାଇଟରେ ଦଶମ ଶ୍ରେଣୀ ପାସ୍‌,ଏଡିଆର ୱେବ୍‌ସାଇଟ୍‌ରେ ଦଶମଶ୍ରେଣୀ ପାସ୍‌, ଓଡ଼ିଶା ହେଲ୍ପ ଲାଇନ୍‌ରେ ଅଣ୍ଡର ଗ୍ରାଜୁଏଟ୍‌ ବୋଲି ଉଲ୍ଲେଖ ଥିବା ଦେଖିବାକୁ ମିଳିଥିଲା ।

କିନ୍ତୁ ନଗରିକ ସୁରକ୍ଷା ଓ ଅଧିକାର ମଞ୍ଚ ଜାଲ୍‌ ସାର୍ଟିପିକେଟ୍‌ ଓ ମିଥ୍ୟା ସତ୍ୟପାଠ ଉପରେ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଉଠାଇବା ଦିନ ହିଁ ବିଧାନସଭା ୱେବ୍‌ସାଇଟ୍‌ରୁ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ସୂଚନାକୁ ହଟାଇ ଦିଆଯାଇଥିଲା।

ସୂଚନା ଅଧିକାର ଆଇନ ବଳରେ ଜଣା ପଡ଼ିଲା ଯେ ଶ୍ରୀ ସାହୁ ଦଶମ ଶ୍ରେଣୀ ଫେଲ୍‌ ହୋଇଛନ୍ତି । ଏ ନେଇ ସୂଚନା ଅଧିକାର ଆଇନର ଚିଠି ନଂ-୫୭/୨୦୧୮(ଖ) ତା-୧୮/୦୭/୨୦୧୬ ରିଖରେ ତଥ୍ୟ ପ୍ରଦାନ କରିଥିଲେ ହାତୀଓଟ ହାଇସ୍କୁଲର ପ୍ରଧାନ ଶିକ୍ଷକ । ସେହିପରି କୋଦଳା ସ୍ଥିତ ଲକ୍ଷ୍ମୀ ନାରାୟଣ ମହାବିଦ୍ୟାଳୟରେ ସେ ଯୁକ୍ତ.୨ କଳା ଶ୍ରେଣୀରେ ନାମ ଲେଖାଇ ଥିବା ଜଣାପଡ଼ିଥିଲା ।

ବିଧାୟକ ଶ୍ରୀ ସାହୁ ହିଂଜିଳିକାଟୁ ସ୍ଥିତ ବୃନ୍ଦାବନ ବିଦ୍ୟାପୀଠ ଓ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ସରକାରୀ ଜୁନିୟର କଲେଜରୁ ଦଶମ ପାସ କରିଥିବା କାଗଜପତ୍ର ଦାଖଲ କରିଥିଲେ । କିନ୍ତୁ ପରୀକ୍ଷା ଫର୍ମ ଫିଲପ ବେଳେ ଅରିଜିନାଲ ସାର୍ଟିଫିକେଟ୍‌ ଦାଖଲ କରିବାରେ ଅସମର୍ଥ ହେବାରୁ ତାଙ୍କ ଆଡମିଶନକୁ ରଦ୍ଦ କରିଦିଆଯାଇଥିଲା।

ସେହିପରି ହିଞ୍ଜିଳିକାଟୁ ବୃନ୍ଦାବନ ବିଦ୍ୟାପୀଠ ପ୍ରଧାନ ଶିକ୍ଷକଙ୍କ ତଥ୍ୟ ଚିଠି ନଂ-୧୨୭/୨୦୧୭ ତା-୧୫/୦୯/୨୦୧୭ ରିଖ ଅନୁଯାୟୀ ଶ୍ରୀକାନ୍ତ ସାହୁଙ୍କ ନାମରେ କୌଣସି ସି.ଏଲ୍‌.ସି ଦିଆଯାଇନଥିଲା ।

ପୋଲସରା ବିଧାୟକଙ୍କ ମିଥ୍ୟା ସତ୍ୟପାଠକୁ ନେଇ ଉଚ୍ଚ ନ୍ୟାୟାଳୟରେ ଦୁଇଟି ଜନସ୍ୱାର୍ଥ ମାମଲା ଦାଏର ହୋଇଥିଲା । ସେଥି ମଧ୍ୟରୁ ଗୋଟିଏ ମାମଲା ଉଚ୍ଚ ନ୍ୟାୟାଳୟରୁ ପ୍ରତ୍ୟାହାର କରି ତଳ କୋର୍ଟରେ ଅପରାଧ ମାମଲା ଦାୟର କରିବା ପାଇଁ ଉଦ୍ୟମ କାରିଥିବା ଯୁବକଙ୍କୁ ମିଥ୍ୟା ମକଦ୍ଦମାରେ ଛନ୍ଦି ଜେଲ ଭିତରେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଥିଲା ।

ରିପୋର୍ଟ – ନୃସିଂହ ନାଥ ସ୍ବାଇଁ

Related Posts