ଗୁଜୁରାଟରେ ପିଏମଓ ର ଏକ ଅସ୍ଥାୟୀ କାର୍ଯ୍ୟାଳୟ ଖୋଲି ଦିଅନ୍ତୁ; ମୋଦୀଙ୍କ ବାରମ୍ବାର ଗୁଜୁରାଟ ଗସ୍ତକୁ ନେଇ ଗେହଲଟଙ୍କ କଟାକ୍ଷ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟା‌ର୍ଗେଟ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍। ତେବେ ଗୁଜୁରାଟ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବାରମ୍ବାର ରାଜ୍ୟ ଗସ୍ତକୁ ଦୃଷ୍ଟିରେ ରଖି ରାଜ୍ୟରେ ପିଏମଓ (ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ)ର ଏକ ଅସ୍ଥାୟୀ କାର୍ଯ୍ୟାଳୟ ପ୍ରତିଷ୍ଠା କରାଯିବା ଉଚିତ ବୋଲି କହି କଟାକ୍ଷ କରିଛନ୍ତି ଅଶୋକ ଗେହଲଟ୍ ।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗେହଲଟ୍ ଗୁଜୁରାଟରେ ଏକ ସାମ୍ବାଦିକ ସମ୍ମିଳନୀ କରି ପ୍ରଧାନମନ୍ତ୍ରୀଙ୍କ ସହ ଆମ୍ ଆଦମୀ ପାର୍ଟି (ଆପ୍) ନେତା ଅରବିନ୍ଦ କେଜ୍ରିୱାଲଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ମୋତେ ମୋଦୀଜୀଙ୍କ ଭାଇ ଭଳି ଲାଗନ୍ତି ଏବଂ ସେ ମୋଦୀଜୀଙ୍କ ପରି କଥାବାର୍ତ୍ତା କରନ୍ତି। ତାଙ୍କର ଅଙ୍ଗଭଙ୍ଗୀ ମଧ୍ୟ ମୋଦୀଜୀଙ୍କ ପରି ଅଟେ। ଏଭଳି କହିବା ସହ ସେ ଗୁଜରାଟରେ ନିର୍ବାଚନ ପ୍ରଚାର ପାଇଁ ଆପ୍ ଖର୍ଚ୍ଚ କରୁଥିବା ଅର୍ଥର ଉତ୍ସ ଉପରେ ମଧ୍ୟ ପ୍ରଶ୍ନ କରିଛନ୍ତି।

ଗୁଜରାଟରେ ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବାରମ୍ବାର ଗୁଜରାଟ ଗସ୍ତରେ ଆସୁଥିବାବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅନୁପସ୍ଥିତି ସ୍ପଷ୍ଟ ହୋଇଛି। ଗୁଜରାଟ ନିର୍ବାଚନ ପାଇଁ କଂଗ୍ରେସର ବରିଷ୍ଠ ପର୍ଯ୍ୟବେକ୍ଷକ ଗେହଲଟ୍ କହିଛନ୍ତି ଯେ, ଉତ୍ତରପ୍ରଦେଶ ନିର୍ବାଚନରେ ​​ଜିତିବାର ପରଦିନ ପ୍ରଧାନମନ୍ତ୍ରୀ ଗୁଜୁରାଟ ଗସ୍ତ ଆରମ୍ଭ କରିଥିଲେ। ଏହା ଦ୍ବାରା ଦିଲ୍ଲୀରେ କାର୍ଯ୍ୟ ପ୍ରଭାବିତ ହେଉଛି। ତେଣୁ ସେମାନେ ଗୁଜରାଟରେ ପିଏମଓର ଏକ ଅସ୍ଥାୟୀ କାର୍ଯ୍ୟାଳୟ ଖୋଲିବା ଉଚିତ୍, ଯାହାଦ୍ୱାରା ଦେଶର କାମ ସୁରୁଖୁରୁରେ ଚାଲିବ। ପ୍ରଧାନମନ୍ତ୍ରୀ ଜଣେ ବ୍ୟସ୍ତ ବ୍ୟକ୍ତି। ସେ କାହିଁକି ବାରମ୍ବାର ରାଜ୍ୟ ଗସ୍ତ କରିବେ? କେବଳ ତାଙ୍କ ନାମ ଯଥେଷ୍ଟ। ଏହି ରାଜ୍ୟର ନେତା ଦେଶର ପ୍ରଧାନମନ୍ତ୍ରୀ ହେବା ଏକ ଛୋଟ କଥା କି ? ବୋଲି ଗେହଲଟ୍ ପ୍ରଶ୍ନ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଶେଷ ଆଡ଼କୁ ଗୁଜୁରାଟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ବୋଲି ସୂଚନା ରହିଛି। ଏହାକୁ ଦୃଷ୍ଟିରେ ରଖି ସେଠାରେ ରାଜନୈତିକ ଗତିବିଧି ମଧ୍ୟ ତୀବ୍ର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରମ୍ବାର ରାଜ୍ୟକୁ ଗସ୍ତ କରି ବିଭିନ୍ନ ଯୋଜନାର ଶୁଭାରମ୍ଭ କରିବା ସହିତ ସାଧାରଣ ସଭା ଓ ରାଲି କରି ଆସୁଛନ୍ତି। ସେହିଭଳି ନୂଆକରି ରାଜ୍ୟରେ ପାଦ ଥାପିବାକୁ ଚେଷ୍ଟା କରୁଛି ଆମ ଆଦମୀ ପାର୍ଟି। ଆପ ପ୍ରମୁଖ ଅରବିନ୍ଦ କେଜ୍ରିୱାଲ ଓ ଦଳର ନେତା ମାନେ ମଧ୍ୟ ଘନ ଘନ ଗୁଜୁରାଟ ଗସ୍ତ କରୁଛନ୍ତି ଓ ରାଜ୍ୟବାସୀଙ୍କୁ ବିଭିନ୍ନ ଲୋଭନୀୟ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଉଭୟ ମୋଦି ଓ କେଜ୍ରିୱାଲଙ୍କ ଏଭଳି ଗୁଜୁରାଟ ଗସ୍ତକୁ ନାପସନ୍ଦ କରିଛନ୍ତି ଅଶୋକ ଗେହଲଟ।

Related Posts