ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିଜେଡିରୁ ବହିଷ୍କୃତ ହେବାପରେ ରାଜେନ୍ଦ୍ର ଦାସଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସଭାପତିଙ୍କ ନିଷ୍ପତ୍ତିକୁ ମୁଣ୍ଡ ପାତି ସହୁଛି ଓ ସ୍ୱାଗତ କରୁଛି । କାର୍ଯ୍ୟାନୁଷ୍ଠାନ ବଡ କଥା ନୁହେଁ, ଆମେ ଲୋକଙ୍କ ସହ ଅଛୁ। ଲୋକଙ୍କ ସେବା ପାଇଁ ରାଜନୀତି କରୁଛି । ଧାମନଗରବାସୀଙ୍କ ସ୍ୱାଭିମାନ ରକ୍ଷା ପାଇଁ ସଂଗ୍ରାମ ଜାରି ରହିବ । ଧାମନଗରବାସୀଙ୍କ ସମର୍ଥନ ରହିଛି, ଏବଂ ମୁଁ ନିଶ୍ଚୟ ବିଜୟୀ ହେବି ବୋଲି କହିଛନ୍ତି ରାଜେନ୍ଦ୍ର ଦାସ ।
ସୂଚନାଯୋଗ୍ୟ ଯେ, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜେନ୍ଦ୍ର ଦାସଙ୍କୁ ଦଳରୁ ବହିସ୍କାର କରିଥିଲେ। ତେବେ ରାଜେନ୍ଦ୍ର ଦଳ ବିରୋଧରେ ଯାଇ ଧାମନଗର ଉପନିର୍ବାଚନରେ ସ୍ଵାଧୀନ ଭାବେ ପ୍ରାର୍ଥୀ ହୋଇଛନ୍ତି। ଏଥିପାଇଁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜଣାପଡ଼ିଛି।
ଅନ୍ୟପଟେ ଧାମନଗର ରାଜନୀତି ଏବେ ରୋଚକ ମୋଡ଼ରେ ରହିଛି। ଧାମନଗର ଉପନିର୍ବାଚନରେ ଏଥର ଚତୁଃମୁଖୀ ଲଢେଇ ହେବ। ବିଜେଡିରୁ ଅବନ୍ତୀ ଦାସ ପ୍ରତିଦ୍ଵନ୍ଦୀତା କରୁଥିବା ବେଳେ ସ୍ଵର୍ଯ୍ୟବଂଶୀ ସୂରଜ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି। ସେହିପରି ବାବା ହରେକୃଷ୍ଣ ସେଠୀ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ବେଳେ ରାଜେନ୍ଦ୍ର ଦାସ ସ୍ଵାଧୀନ ପ୍ରାର୍ଥୀ ହୋଇଛନ୍ତି। ତେବେ ରାଜେନ୍ଦ୍ର ସ୍ଵାଧୀନ ପ୍ରାର୍ଥୀ ହେବା ପରେ ବିଜେଡି ଉପରେ ଏହାର ପ୍ରଭାବ ପଡ଼ିପାରେ। ଭୋଟ୍ ବିଭାଜନ ହେବାର ଆଶଙ୍କା ରହିଛି। ତେଣୁ ବିଜେଡି ଏଭଳି ଆଭିମୁଖ୍ୟ ଗ୍ରହଣ କରାଯାଇଛି।
