ମୋ ବାସଭବନରେ କାର୍ଯ୍ୟାଳୟ ଖୋଲନ୍ତୁ ସିବିଆଇ ଓ ଇଡି, ସେମାନଙ୍କ ପାଇଁ ସୁବିଧା ହେବ: ତେଜସ୍ଵୀ ଯାଦବ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି ଗୁଡ଼ିକୁ ପୁଣି ଟାର୍ଗେଟ କରିଛନ୍ତି ଆରଜେଡି ନେତା ତଥା ବିହାରର ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ । ତେଜସ୍ଵୀ କଟାକ୍ଷ କରି କହିଛନ୍ତି ଯେ, ସମସ୍ତ କେନ୍ଦ୍ରୀୟ ଏଜେନ୍ସି ଯେପରିକି ସିବିଆଇ, ଇଡି ଓ ଆୟକର ବିଭାଗ ମୋ ବାସଭବନରେ ନିଜର କାର୍ଯ୍ୟାଳୟ ଖୋଲିଦିଅନ୍ତୁ । ତେବେ ଆଇଆରସିଟିସି ଦୁର୍ନୀତି ମାମଲାରେ ତେଜସ୍ୱୀଙ୍କ ଜାମିନ ରଦ୍ଦ କରିବାକୁ ସିବିଆଇ କୋର୍ଟରେ ଦାବି କରିବା ପରେ ସେ ଏଭଳି ବୟାନ ଦେଇଛନ୍ତି । କେବଳ ଏତିିକି ନୁହେଁ ତେଜସ୍ଵୀ କେନ୍ଦ୍ରର ବିଜେପି ସରକାର ଉପରେ ମଧ୍ୟ ବର୍ଷିଛନ୍ତି । ସେ କହିଛନ୍ତି ଯେ, ବିଜେପି ଏବେ ଲୋକଙ୍କ ବିଶ୍ୱାସ ହରାଇ ସାରିଲାଣି, ସେମାନେ ୨୦୨୪ ନିର୍ବାଚନରେ ପରାଜିତ ହେବାର ଭୟ ରହିଛନ୍ତି। ସେଥିପାଇଁ କେନ୍ଦ୍ର ସରକାର କେନ୍ଦ୍ରୀୟ ଏଯେନ୍ସି ଗୁଡ଼ିକର ଅପବ୍ୟବହାର କରୁଛନ୍ତି ବୋଲି ସେ କହିଛନ୍ତି ।

ଏହାସହ ତେଜସ୍ୱୀ କହିଛନ୍ତି ଯେ, ମୁଁ ପୂର୍ବରୁ ମଧ୍ୟ କହିଛି କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ମୋ ଘରେ ନିଜର ଅଫିସ ଖୋଲନ୍ତୁ । ସେମାନଙ୍କ ଅଧିକାରୀଙ୍କ ପାଇଁ ଏହା ସୁବିଧାଜନକ ହେବ । ମୁଁ ସବୁବେଳେ ସିବିଆଇକୁ ସହଯୋଗ କରିଛି । ଆଗକୁ ମଧ୍ୟ ସହଯୋଗ କରିବି । ଏହାସହ କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଓ ଯାଞ୍ଚ ଏଜେନ୍ସିର ଅଧିକାରୀଙ୍କୁ ଧମକ ଦିଆଯାଇଥିବା ନେଇ ବିଜେପି ନେତା ଆଣିଥିବା ଅଭିଯୋଗକୁ ଖଣ୍ଡନ କରି ଏହା ସମ୍ପୂର୍ଣ୍ଣ ମିଛ ବୋଲି କହିଛନ୍ତି ତେଜସ୍ୱୀ ଯାଦବ ।

Related Posts