ପାଟନା : ଅଗ୍ନିପଥ ଯୋଜନାକୁ ବିରୋଧ କରି ଦେଶବ୍ୟପି ବିକ୍ଷୋଭ ର ନିଆଁ ଜଳୁଥିବା ବେଳେ, ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ରବିବାର ନିଜ ମତ ଉପସ୍ଥାପନ କରିଛନ୍ତି । ବିହାରରେ ଦୁଇ କ୍ଷମତାସୀନ ସହଯୋଗୀ ଜନତାଦଳ–ୟୁ ଓ ବିଜେପି ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ ଏଠାରେ ଉଭୟ ପାର୍ଟି ପରସ୍ପର ସହ ଲଢୁଥିବା ବେଳେ ରାଜ୍ୟ ଏଣେ ଜଳୁଛି। ଏ ନେଇ ପିକେ ଏକ ଟ୍ୱିଟ୍ ମଧ୍ୟ କରିଛନ୍ତି। ଏଥିରେ ଅଗ୍ନିପଥକୁ ନେଇ ଆନ୍ଦୋଳନ ହେବା ଦରକାର ବୋଲି ଉଲ୍ଲେଖ କରିଛନ୍ତି, ତେବେ ହିଂସା ଓ ଭଙ୍ଗାରୁଜା ହେବା କଥା ନୁହେଁ ବୋଲି କହିଛନ୍ତି।
ସେ କହିଛନ୍ତି ଯେ ବିହାର ଜଳୁଥିବା ବେଳେ ଉଭୟ କ୍ଷମତାସୀନ ପାର୍ଟି ପରସ୍ପର ଉପରେ ଆରୋପ ଓ ପ୍ରତ୍ୟାରୋପ ଲଗାଇଚାଲିଛନ୍ତି। ସେମାନଙ୍କ ପାରସ୍ପାରିକ ବିବାଦର ପରିଣାମ ଏବେ ରାଜ୍ୟବାସୀଙ୍କୁ ଭୋଗିବାକୁ ପଡୁଛି। ଦିନକ ପୂର୍ବରୁ ଶନିବାର ବିହାର ବିଜେପି ସଭାପତି ସଞ୍ଜୟ ଜୟସ୍ୱାଲ ନିତିଶ କୁମାର ନେତୃତ୍ୱାଧୀନ ସରକାରଙ୍କ ସମାଲୋଚନା କରିଥିଲେ। ରାଜ୍ୟରେ ହିଂସକ ବିରୋଧ ରୋକିବା ଲାଗି ସରକାରଙ୍କ ପ୍ରୟାସ ଅପର୍ଯ୍ୟାପ୍ତ ଥିଲା ବୋଲି ଜୟସ୍ୱାଲ ଅଭିଯୋଗ କରିଥିଲେ।
ଅଗ୍ନିପଥ ବିରୋଧୀ ତାଙ୍କ ଘରେ ଭଙ୍ଗାରୁଜା କରିବା ପରେ ସେ ଏହି ମନ୍ତବ୍ୟ ଦେଇଥିଲେ। ରାଜ୍ୟରେ ବିଜେପି ନେତାଙ୍କୁ ଟାର୍ଗେଟ କରି ହେଉଥିବା ଆକ୍ରମଣକୁ ନେଇ ସେ ମେଣ୍ଟ ସରକାରଙ୍କୁ ଆକ୍ରମଣ କରିଥିଲେ। ଜୟସ୍ୱାଲ ସାମ୍ବାଦିକଙ୍କୁ କହିଥିଲେ ଯେ ଶୁକ୍ରବାର ବତିୟା ଜିଲ୍ଲାରେ ମୋ ଘର ଉପରେ ବିକ୍ଷୋଭକାରୀଙ୍କ ଆକ୍ରମଣ କାଳରେ ମୋତେ ଦମକଳକୁ ଫୋନ କରି ଡାକିବାକୁ ପଡିଥିଲା । ବିକ୍ଷୋଭକାରୀମାନେ ବିହାର ଉପମୁଖ୍ୟମନ୍ତ୍ରୀଙ୍କ ଘର ସମେତ ଅନେକ ବିଜେପି କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଥିଲେ।
ରାଜ୍ୟରେ କ୍ଷମତାସୀନ ମେଣ୍ଟରେ ଆମେ ସହଯୋଗୀ ହେଲେ ଦେଶର କୌଣସି ଠାରେ ଏପରି ହୋଇ ନଥିବ ବୋଲି ଜୟସ୍ୱାଲ କହିଥିଲେ। ଜଣେ ବିଜେପି ନେତା ହୋଇଥିବାରୁ ମୁଁ ଏହାକୁ ନିନ୍ଦା କରୁଛି ବୋଲି କହିଥିଲେ।
