
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବନ୍ଦେ ଭାରତ ଏକ୍ସପ୍ରେସ ଶନିବାର ପୁଣିଥରେ ଚର୍ଚ୍ଚାକୁ ଆସିଛି । ଶନିବାର ସକାଳେ ବାରାଣାସୀ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ରାସ୍ତାରେ ଚକା ଜାମ ହୋଇଯାଇଥିଲା । ସୌଭାଗ୍ୟବଶତଃ ଗ୍ରାଉଣ୍ଡ କର୍ମଚାରୀମାନେ ସମସ୍ୟାକୁ ଠିକ୍ ସମୟରେ ବୁଝି ତୁରନ୍ତ ରେଳ ଅପରେଟରମାନଙ୍କୁ ସତର୍କ କରାଇଥିଲେ । ଏହି ଅବରୋଧ ବିଷୟରେ ଜଣାପଡିବା ବେଳେ ଟ୍ରେନଟି ୧୦୦ କିଲୋମିଟର ବେଗରେ ଚାଲୁଥିଲା । ସୂଚନା ଅନୁସାରେ ଟ୍ରେନର ଗୋଟିଏ ଚକ ଜାମ୍ ହୋଇଯାଇଥିଲା ।
ନୂଆଦିଲ୍ଲୀ ଠାରୁ ୬୭ କିଲୋମିଟର ଦୂରରେ ଥିବା ଵୈର ରେଳ ଷ୍ଟେସନ (ବୁଲନ୍ଦଶହର)ରେ ସକାଳ ପ୍ରାୟ ୭.୨୦ ସମୟରେ ଏହି ଟ୍ରେନ୍ ଅଟକି ଯାଇଥିଲା । ରାତି ପ୍ରାୟ ୧୨.୪୦ ସମୟରେ ବନ୍ଦେ ଭାରତ ଏକ୍ସପ୍ରେସର ଯାତ୍ରୀମାନଙ୍କୁ ନୂଆଦିଲ୍ଲୀରୁ ପଠାଯାଇ ଶତାବ୍ଦୀ ଏକ୍ସପ୍ରେସକୁ ସ୍ଥାନାନ୍ତର କରାଯାଇଥିଲା ।
ତେବେ ତୃତୀୟ ଥର ପାଇଁ ବନ୍ଦେ ଭାରତ ଏକ୍ସପ୍ରେସ ବ୍ୟାହତ ହୋଇଛି । ଏହାପୂର୍ବରୁ ଟ୍ରେନ୍ ଲଗାତାର ଦୁଇ ଦିନ ଗାଈ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଏହାପୂର୍ବରୁ ଗୁଜୁରାଟର ମୁମ୍ବାଇ ସେଣ୍ଟ୍ରାଲ ଓ ଗାନ୍ଧିନଗର ମଧ୍ୟରେ ଚାଲୁଥିବା ବନ୍ଦେ ଭାରତ ଏକ୍ସପ୍ରେସ ଗୁରୁବାର ସକାଳ ପ୍ରାୟ ୧୧.୧୫ ସମୟରେ ବଟଭା ଷ୍ଟେସନ ଓ ମଣିନଗର ଷ୍ଟେସନ ମଧ୍ୟରେ ରେଳ ଲାଇନରେ ଏକ ଗୋରୁ ପଲ ଆସିବା କାରଣରୁ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ।