ଭୁବନେଶ୍ଵର,୯/୧୨(ସତ୍ୟପାଠ ବ୍ୟୁରୋ) : ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବେ ବିରୋଧୀ । ମିଳିଥିବା ସୂଚନା ଅନୁଯାୟୀ ୫୦ରୁ ଅଧିକ ବିରୋଧୀ ସାଂସଦ ଏହି ଅନାସ୍ଥା ପ୍ରସ୍ତାବରେ ଦସ୍ତଖତ କରିଛନ୍ତି । ଉପରାଷ୍ଟ୍ରପତି ଧନଖଡ଼ଙ୍କର ଗୃହ କାର୍ଯ୍ୟକୁ ପରିଚାଳନା କରିବାର ଶୈଳୀ ଏବଂ ବିରୋଧୀ ନେତାମାନଙ୍କ ପ୍ରତି ତାଙ୍କ ଆଭିମୁଖ୍ୟକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । ଧନଖଡ଼ ଶାସକ ଦଳକୁ ସମର୍ଥନ କରୁଥିବା ଅଭିଯୋଗ ଆଣି ସମ୍ବିଧାନର ଧାରା ୬୭(ବି) ଅଧୀନରେ ବିରୋଧୀ ଏପରି ଅନାସ୍ଥା ପ୍ରସ୍ତାବ ଆଣିବେ ବୋଲି ସୂଚନା ମିଳିଛି ।
ତେବେ ଏହି ପ୍ରସ୍ତାବକୁ କଂଗ୍ରେସ, ତୃଣମୂଳ କଂଗ୍ରେସ (ଟିଏମସି), ଆମ୍ ଆଦମୀ ପାର୍ଟି (ଏଏପି), ସମାଜବାଦୀ ପାର୍ଟି (ଏସପି) ଏବଂ ବିରୋଧୀ ଦଳର ଅନ୍ୟ ସଦସ୍ୟମାନେ ସମର୍ଥନ କରିଛନ୍ତି ।
ବିରୋଧୀ ନେତାମାନେ ଅଭିଯୋଗ ଆଣିଛନ୍ତି ଯେ ରାଜ୍ୟସଭା ଅଧ୍ୟକ୍ଷ ବାରମ୍ବାର ସେମାନଙ୍କ ଭାଷଣରେ ବାଧା ସୃଷ୍ଟି କରୁଛନ୍ତି । ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିତର୍କ କରିବାକୁ ମନା କରି ଦେଉଛନ୍ତି ଏବଂ ଆଲୋଚନା ସମୟରେ ଶାସକ ଦଳକୁ ସମର୍ଥନ କରୁଛନ୍ତି ।
ତେଣୁ ବିରୋଧୀ ଧନଖଡ଼ଙ୍କୁ ଅଧ୍ୟକ୍ଷ ପଦରୁ ହଟାଇବା ପାଇଁ ଅନାସ୍ଥା ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତ ହୋଇଛନ୍ତି । ସୂଚନା ମୁତାବକ, ବିରୋଧୀ ଦଳଗୁଡ଼ିକ ମଙ୍ଗଳବାର ରାଜ୍ୟସଭାରେ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ଆଣିପାରନ୍ତି ।
ତେବେ ଆଜି ରାଜ୍ୟସଭାରେ ଜର୍ଜ ସୋରୋସ ପ୍ରସଙ୍ଗରେ ହୋ ହଲ୍ଲା ବେଳେ ଜଗଦୀପ ଧନଖଡ଼ଙ୍କ ଆଭିମୁଖ୍ୟ ଦେଖି କଂଗ୍ରେସ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଯାଉଛି । ତେବେ ଆଜି ଏହି ପ୍ରସଙ୍ଗରେ କଂଗ୍ରେସ ଅଧକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ ଧନଖଡ଼ ମୁହାଁମୁହିଁ ହୋଇଥିଲେ ।
ତେବେ ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିଲେ ମଧ୍ୟ ଏହା କାଟ ଖାଇବା ଏକ ପ୍ରକାର ସୁନିଶ୍ଚିତ | କାରଣ ଉପରାଷ୍ଟ୍ରପତିଙ୍କ ବିରୋଧରେ ଅନାସ୍ଥା ପାରିତ କରିବାକୁ ହେଲେ ପ୍ରଥମେ ରାଜ୍ୟସଭା ଓ ପରେ ଲୋକସଭାରେ ଏହା ବହୁମତରେ ପାରିତ ହେବା ଦରକାର | ହେଲେ ବିରୋଧୀଙ୍କ ନିକଟରେ ଆବଶ୍ୟକ ସଂଖ୍ୟା ନଥିବାରୁ ଏହି ଅନାସ୍ଥା କାଟ ଖାଇବାର ସମ୍ଭାବନା ରହିଛି |