ଭାରତୀୟ କୁସ୍ତିଯୋଦ୍ଧା ସଂଘ ସଭାପତିଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ, ଆନ୍ଦୋଳନରୁ ଓହରିଲେ କୁସ୍ତିଯୋଦ୍ଧା

ଭୁବନେଶ୍ୱର,୨୧/୧(ସତ୍ୟପାଠ ବ୍ୟୁରୋ): ଭାରତୀୟ କୁସ୍ତିଯୋଦ୍ଧା ସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଆସିଥିବା ଯୌନ ଶୋଷଣ ଅଭିଯୋଗର ତଦନ୍ତ ହେବ। ଏଥିପାଇଁ ଏକ ୭ ଜଣିଆ କମିଟି ଗଠନ କରାଯାଇଛି। ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ ଦ୍ୱାରା ଏହି କମିଟି ଗଠନ କରାଯାଇଛି। ମେରି କୋମ, ଯୋଗେଶ୍ୱର ଦତ୍ତ, ଡୋଲା ବାନାର୍ଜୀ, ଅଲକାନନ୍ଦ ଅଶୋକ, ସାହଦେବ ଯାଦବ ଏବଂ ଦୁଇ ଓକିଲଙ୍କୁ ନେଇ ଗଠିତ କମିଟି ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରିବ। ତେବେ କମିଟିର ତଦନ୍ତ ନସାରିବା ଯାଏଁ ବ୍ରିଜ ଭୂଷଣ ଶରଣ ସିଂ ନିଜ ପଦରୁ ଦୂରେଇ ରହିବେ ଏବଂ ତଦନ୍ତରେ ସହଯୋଗ କରିବେ।

ଅନ୍ୟପଟେ ତିନି ଦିନ ଧରି ଆନ୍ଦୋଳରେ ବସିଥିବା ଭାରତୀୟ କୁସ୍ତିଯୋଦ୍ଧାମାନେ ଶୁକ୍ରବାର ରାତିରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହ ବୈଠକ କରିବା ପରେ ଆନ୍ଦୋଳନ ପ୍ରତ୍ୟାହାର କରିନେଇଛନ୍ତି। ସରକାର ନ୍ୟାୟ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିବାରୁ ଆମେ ଆନ୍ଦୋଳନ ପ୍ରତ୍ୟାହାର କରୁଛୁ ବୋଲି ରେସଲର ବଜରଙ୍ଗ ପୁନିଆ ଗଣମାଧ୍ୟମକୁ କହିଛନ୍ତି।

ଏହାପୂର୍ବରୁ କୁସ୍ତିଯୋଦ୍ଧାମାନେ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ ନିକଟକୁ ଯାଇଥିଲେ। ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକ, ଭିନେଶ ଫୋଗାଟ୍, ସରିତା ମୋର ଓ ସୁମିତ୍ ମଲିକ ପ୍ରମୁଖ ଆଇଓଏ ସଭାପତି ପି.ଟି ଉଷାଙ୍କୁ ଏକ ଲିଖିତ ଅଭିଯୋଗ ପଠାଇଛନ୍ତି। ଏହି ଅଭିଯୋଗରେ କୁସ୍ତିଯୋଦ୍ଧାମାନେ ଭାରତୀୟ କୁସ୍ତିଯୋଦ୍ଧା ସଂଘର ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କୁ ଯୌନ ଉତ୍ପୀଡ଼ନ ଏବଂ ଆର୍ଥିକ ଅନିୟମିତତା କରିଥିବା ନେଇ ଅଭିଯୋଗ କରିଛନ୍ତି।

ଏହା ସହିତ କୁସ୍ତିଯୋଦ୍ଧା ସଂଘର ସଭାପତିଙ୍କୁ ବହିଷ୍କାର କରିବା ଏବଂ ଯୌନ ଶୋଷଣର ଅଭିଯୋଗର ତଦନ୍ତ କରିବା ପାଇଁ ଏକ କମିଟି ଗଠନ କରିବାକୁ ଦାବି କରିଥିଲେ। ଖେଳାଳିମାନେ ସେମାନଙ୍କ ଅଭିଯୋଗ ପତ୍ରରେ କହିଛନ୍ତି ଯେ ବ୍ରିଜ ଭୂଷଣ ଶରଣ ସିଂ ଖେଳାଳିଙ୍କୁ ମାନସିକ ନିର୍ଯାତନା ଦେଇଛନ୍ତି। ରେସଲରମାନଙ୍କୁ ପ୍ରାୟୋଜକ ଟଙ୍କା ମଧ୍ୟ ଦିଆଯାଇନଥାଏ ଏବଂ ପ୍ରଶିକ୍ଷକମାନେ ଯୋଗ୍ୟତା ଆଧାରରେ ଖେଳାଳି ଚୟନ କରନ୍ତି ନାହିଁ।

ଏହାସହିତ କୁସ୍ତିଯୋଦ୍ଧାମାନେ ଭାରତୀୟ ଅଲମ୍ପିକ୍ ଆସୋସିଏସନ୍ ର ସଭାପତି ପି.ଟି ଉଷାଙ୍କୁ ଦାବି କରିଥିଲେ ଯେ ବ୍ରିଜଭୂଷଣ ଶରଣ ସିଂଙ୍କ ଇସ୍ତଫା ଦେବା ସହିତ ଏବଂ ଯଥାଶୀଘ୍ର ତାଙ୍କ ବିରୋଧରେ ଏକ ତଦନ୍ତ କମିଟି ଗଠନ କରାଯାଉ। ଅନ୍ୟପଟେ ବ୍ରିଜ ଭୂଷଣ ଶରଣ ସିଂ ଇସ୍ତଫା ଦେବାକୁ ମନା କରି ଦେଇଛନ୍ତି। ଏପରିକି ଇସ୍ତଫା ପ୍ରଶ୍ନ ଉଠୁନାହିଁ, ଏହି ପଦବୀ କାହା ଦୟା ରେ ମୁଁ ପାଇନାହିଁ, ଯେକୌଣସି ତଦନ୍ତକୁ ସ୍ଵାଗତ କରୁଛି ବୋଲି ସେ କହିଛନ୍ତି ।

Related Posts