ଆଜି ଭାରତ-ନ୍ୟୁଜିଲାଣ୍ଡ ଦ୍ଵିତୀୟ ଦିନିକିଆ; ମ୍ୟାଚ୍ ଜିତି ସିରିଜ୍ ହାତେଇବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଭୁବନେଶ୍ୱର,୨୧/୧(ସତ୍ୟପାଠ ବ୍ୟୁରୋ): ଘରୋଇ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ଖେଳାଯିବ ଦ୍ୱିତୀୟ ଦିନିକିଆ । ରାୟପୁର ସ୍ଥିତ ସହିଦ ବୀର ନାରାୟଣ ସିଂହ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ ପ୍ରଥମ କରି କୌଣସି ଅନ୍ତର୍ଜାତୀୟ ମୁକାବିଲା ଆୟୋଜନ କରିବାକୁ ଯାଉଛି । ୧-୦ରେ ସିରିଜ ଆଗୁଆ ଥିବା ଭାରତ ଆଜିର ମ୍ୟାଚ୍ ରେ ବିଜୟ ସହ ଛତିଶଗଡ଼ ରାଜ୍ୟବାସୀଙ୍କ ପାଇଁ ଦିନଟିକୁ ସ୍ମରଣୀୟ କରିବାକୁ ଯୋଜନା କରିଛି ।

ତେବେ ପ୍ରଥମ ଦିନିକିଆରେ ଉଭୟ ଦଳ ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳିଥିଲା । ଭାରତ ୩୪୯ ରନର ବଡ଼ ସ୍କୋର କରିବା ସତ୍ତ୍ୱେ ମାତ୍ର ୧୨ ରନରେ ମୁକାବିଲାକୁ ଜିତିଥିଲା । ଦ୍ୱିତୀୟ ମ୍ୟାଚ୍ ଜିତି ଭାରତ ଆଉଏକ ଦିନିକିଆ ସିରିଜ ଜିତିବାକୁ ଲକ୍ଷ୍ୟ ରଖିଛି । ଭାରତ ପାଇଁ ମୁଖ୍ୟ ଚିନ୍ତାର କାରଣ ହେଉଛି ମିଡଲ୍ ଅର୍ଡର ବ୍ୟାଟିଂ ଓ ଡେଥ୍ ଓଭର ବୋଲିଂ । ପ୍ରଥମ ଦିନିକିଆରେ ନ୍ୟୁଜିଲ୍ୟାଣ୍ଡ ପ୍ରାରମ୍ଭିକ ବିପର୍ଯ୍ୟୟ ସମ୍ମୁଖୀନ ହୋଇଥିଲା ଏବଂ ଏକ ସମୟରେ ଦଳର ସ୍କୋର ୬ ୱିକେଟରେ ୧୩୯ ରନରେ ଥିଲା ।

ତେବେ ମାଇକେଲ ବ୍ରେସୱେଲଙ୍କ ବିସ୍ଫୋରକ ବ୍ୟାଟିଂ ଭାରତ ଠାରୁ ବିଜୟ ଛଡ଼ାଇ ନେଲା ଭଳି ସ୍ଥିତି ସୃଷ୍ଟି କରିଥିଲା । କିନ୍ତୁ ଡେଥ୍ ଓଭରରେ ମହମ୍ମଦ ସିରାଜଙ୍କ ଦମଦାର ବୋଲିଂ ଭାରତକୁ ବିଜୟୀ କରାଇଥିଲେ । ଦ୍ୱିତୀୟ ମ୍ୟାଚରେ ମଧ୍ୟ ସିରାଜଙ୍କ ଉପରେ ବୋଲିଂ ଡିପାର୍ଟମେଂଟ ନିର୍ଭର କରିବ । ମ୍ୟାଚ୍ ଜିତି ଭାରତ ନୂଆ ରେକର୍ଡ ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛି । ୨୦୧୯ ପରଠାରୁ ଭାରତ ଘରୋଇ ମାଟିରେ ଲଗାତର ୬ଟି ଦିନିକିଆ ସିରିଜ୍ ଜିତିସାରିଛି । ତେଣୁ ଆଜିର ବିଜୟ ସହ ସପ୍ତମ ସିରିଜ୍ ହାତେଇବାକୁ ଭାରତ ଲକ୍ଷ୍ୟ ରଖିଛି ।

Related Posts