କୋଭିଡ୍ ଯୋଗୁଁ ଅନାଥ ହୋଇଥିବା ଛୁଆଙ୍କୁ ମିଳିବ ୫ ଲକ୍ଷର ସ୍ୱାସ୍ଥ୍ୟ ବୀମା

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ନିଜର ମାତାପିତାଙ୍କୁ ହରାଇ ଥିବା ଅନାଥ ପିଲାଙ୍କ ପାଇଁ ସ୍ବାସ୍ଥ୍ୟ ବୀମା ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଏ ସମ୍ପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର । କେନ୍ଦ୍ର ସରକାରଙ୍କ ଘୋଷଣା ଅନୁଯାୟୀ, କରୋନା ମହାମାରୀ ଯୋଗୁ ଅନାଥ ହୋଇଥିବା ୧୮ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କୁ ୫ ଲକ୍ଷ ଟଙ୍କାର ମାଗଣା ସ୍ବାସ୍ଥ୍ୟ ବୀମା ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀଙ୍କ ନାଗରିକ ସହାୟତା ଏବଂ ଜରୁରୀକାଳୀନ ପରିସ୍ଥିତି ରିଲିଫ ପାଣ୍ଠି (ପିଏମ୍‌-କେୟାର୍ସ)ରୁ ବୀମାର ପ୍ରିମିୟମ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ଠାକୁର ଟୁଇଟ୍ କରି କହିଛନ୍ତି ଯେ, ” COVID-19 ଦ୍ୱାରା ପ୍ରଭାବିତ ପିଲାମାନଙ୍କର ଯତ୍ନ ନେବା ପାଇଁ ନିଆଯାଇଥିବା ପଦକ୍ଷେପଗୁଡିକର ଏକ ଅଂଶ ଭାବରେ, ୧୮ ବର୍ଷ ବୟସର ପିଲାମାନଙ୍କୁ ଆୟୁଷ୍ମାନ ଭାରତ ଅଧୀନରେ ୫ ଲକ୍ଷ ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟ ବୀମା ଯୋଗାଇ ଦିଆଯିବ ଏବଂ ଏହାର ପ୍ରିମିୟମ୍ PM CARES ଦ୍ବାରା ପ୍ରଦାନ କରାଯିବ। ” ଏଥିସହ ଉଭୟ ପିତାମାତାଙ୍କୁ ହରାଇଥିବା ଛୁଆଙ୍କୁ ମାସିକ ଷ୍ଟାଇପେଣ୍ଡ ମିଳିବ ଏବଂ ୨୩ ବର୍ଷ ବେଳକୁ ୧୦ ଲକ୍ଷ ଟଙ୍କାର ସହାୟତା ଦିଆଯିବ ବୋଲି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା ଟ୍ୱିଟ୍ କରି କହିଛନ୍ତି ଅନୁରାଗ ଠାକୁର।

ଚଳିତ ବର୍ଷ ମେ ୨୯, ୨୦୨୧ରେ ସେ ଏହି ଯୋଜନା ଆରମ୍ଭ ହୋଇଥିଲା। ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ଥିଲା କରୋନାରେ ଯେଉଁ ଛୁଆ ବାପା, ମା’ କିମ୍ୱା ଅଭିଭାବକ ମାନଙ୍କୁ ହରାଇଥିବେ ସେମାନଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟ ଯାଏ ସରକାର ଶିକ୍ଷା, ସ୍ୱାସ୍ଥ୍ୟ ଆଦି ସୁରକ୍ଷା ଯୋଗାଇ ଦେବେ। ଓଡ଼ିଶା, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ ସମେତ ଅନ୍ୟ ରାଜ୍ୟ ସରକାର ମାନେ ମଧ୍ୟ ଅନାଥ ପିଲାମାନଙ୍କ ପାଇଁ ବିଭିନ୍ନ ଯୋଜନା ହାତକୁ ନେଇଛନ୍ତି।

ନ୍ୟାସନାଲ କମିଶନ ଫର ପ୍ରୋଟେକସନ ଅଫ୍ ଚାଇଲ୍ଡ ରାଇଟ୍ସ (ଏନସିପିସିଆର) ଅନୁଯାୟୀ, ଜୁନ୍ ୫ ସୁଦ୍ଧା COVID-19 ମହାମାରୀ ହେତୁ ମୋଟ ୩୦୦୭୧ ପିଲା ଅନାଥ ହୋଇଯାଇଛନ୍ତି। ମୋଟ ୨୬୧୭୬ ପିଲା ପିତାମାତାଙ୍କୁ ହରାଇଛନ୍ତି, ୩୬୨୧ ଅନାଥ ହୋଇଯାଇଛନ୍ତି ଏବଂ ୨୭୪ ଜଣଙ୍କୁ ପରିତ୍ୟକ୍ତ ବୋଲି ଏନସିପିସିଆର କହିଛି।

Related Posts