ତାଳଚେର ମେଡିକାଲ କଲେଜରେ ଏଥର ବି ହେବନି ନାମଲେଖା

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ତାଳଚେର ମେଡିକାଲ କଲେଜର ଆଶା ମଉଳିଲା। କାରଣ ଚଳିତ ଶିକ୍ଷାବର୍ଷରେ ବି ହେବନି ନାମଲେଖା। ପୂର୍ବରୁ ରାଜ୍ୟ ମୁଖ୍ୟ ଶାସନ ସଚିବ କହିଥିଲେ ଯେ ୨୦୨୧-୨୨ଶିକ୍ଷା ବର୍ଷରୁ ତାଳଚେର ସ୍ଥିତ ମହାନଦୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇସେନ୍ସ ଆଣ୍ଡ ରିସର୍ଚ୍ଚ (ମିମସାର) ରେ ନାମଲେଖା ଆରମ୍ଭ ହେବ । ୨୦୨୦ ନଭେମ୍ବର ୧୯ ତାରିଖରେ ମେଡିକାଲ କଲେଜ ସମୀକ୍ଷା ପରେ ୧୦୦ ଏମ୍‌ବିବିଏସ୍ ସିଟ୍ ଥିବା ମିମସାରରେ ପାଠପଢା ଆରମ୍ଭ ହେବ ବୋଲି କୁହାଯାଇଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହି ମେଡ଼ିକାଲ କଲେଜକୁ କିଏ ପରିଚାଳନା କରିବ ସେ ନେଇ ସରକାରୀ ସ୍ତରରେ କୌଣସି କିଛି ବି ସ୍ଥିର ହୋଇପାରି ନାହିଁ । ତେଣୁ ଚଳିତ ଶିକ୍ଷାବର୍ଷରେ ମଧ୍ୟ ପାଠପଢା ଆରମ୍ଭ ହେବା ଆଶା ମଉଳି ଯାଇଛି। ତେବେ ମେଡିକାଲ କଲେଜ ଓ ଡାକ୍ତରଖାନା ଖୋଲିବାର ବର୍ଷ ବର୍ଷ ଗଡୁଥିବା ବେଳେ ଏହାକୁ ନେଇ ଜିଲ୍ଲାରେ ଅସନ୍ତୋଷ ବୃଦ୍ଧି ପାଉଛି। 

ସୂଚନାଯୋଗ୍ୟ ଯେ ତାଳଚେରରେ ହେବାକୁ ଥିବା ଏହି ମେଡିକାଲ କଲେଜର କୋଠା ଏମ୍‌ସିଏଲ ଦ୍ବାରା ନିର୍ମାଣ କରାଯାଇଛି। ୨୦୧୪ ମସିହାରେ ମେଡିକାଲ କଲେଜ ଓ ଡାକ୍ତରଖାନା ନିର୍ମାଣ ପାଇଁ ରାଜ୍ୟ ସରକାର ଓ ଏମ୍‌ସିଏଲ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ତାଳଚେର ନେହରୁ ଶତାବ୍ଦୀ ଡାକ୍ତରଖାନା ନିକଟରେ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ନୂଆ କୋଠା ନିର୍ମାଣ କରିବା ରାଜ୍ୟ ସରକାର ୨୦ ଏକର ଜମି ଯୋଗାଇ ଦେଇଥିଲେ। ସେହି ସମୟରେ ସରକାର ଘୋଷଣା କରିଥିଲେ ଯେ ୧୦୦ ଆସନ ବିଶିଷ୍ଟ ଏମ୍‌ବିବିଏସ ପାଠ୍ୟକ୍ରମ ପାଇଁ ପାଠପଢା ହେବା ସହ ନେହରୁ ଶତାବ୍ଦୀ ଡାକ୍ତରଖାନାକୁ ମିଶାଇ ୫ଶହ ଶଯ୍ୟା ବିଶିଷ୍ଟ ଏକ ଅତ୍ୟାଧୁନିକ ଡାକ୍ତରଖାନା କାର୍ଯ୍ୟ କରିବ। ମେଡିକାଲ କଲେଜ କୋଠା ନିର୍ମାଣ କାର୍ଯ୍ୟ ୨୦୧୬ ରେ ଆରମ୍ଭ ହୋଇ ୨୦୧୮ ରେ ଶେଷ ହୋଇଥିଲା। ୨୦୧୯ ରେ ଏହି ଏକାଡେମିକ୍ କୋଠାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍‌ଘାଟନ କରିଥିଲେ। ତେଣୁ ୨୦୧୯-୨୦ ଶିକ୍ଷା ବର୍ଷରୁ ଏହି ମେଡିକାଲ କଲେଜରେ ପାଠପଢା ସହ ଚିକିତ୍ସା ସୁବିଧା ଆରମ୍ଭ ହେବ ବୋଲି ସମସ୍ତେ ଆଶାବାଦୀ ଥିଲେ । କିନ୍ତୁ ବିଭିନ୍ନ କାରଣରୁ ଏହା ଘୁଞ୍ଚି ଘୁଞ୍ଚି ଚାଲିଛି।

ଗତ ବର୍ଷ ନଭେମ୍ବର ମାସରେ ମୁଖ୍ୟ ଶାସନ ସଚିବ ଶେଷଥର ପାଇଁ ମେଡିକାଲ କଲେଜ ସମୀକ୍ଷା କରିଥିଲେ। ଏହାସହ ୨୦୨୧-୨୨ ଶିକ୍ଷାବର୍ଷରୁ ନାମଲେଖା ହେବ ବୋଲି କହିଥିଲେ। ଏବଂ ପୁରୀର ମେଡିକାଲ କଲେଜରେ ମଧ୍ୟ ପାଠପଢା ଆରମ୍ଭ ହେବ ବୋଲି ମଧ୍ୟ କୁହାଯାଇଥିଲା। କିନ୍ତୁ ମେଡିକାଲ କଲେଜ ପରିଚାଳନା ଦାୟିତ୍ବ କାହା ହାତରେ ରହିବ ସେ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍ପତ୍ତି ନିଆଯାଇଥିବା ବେଳେ ୨୦୨୧-୨୨ ଶିକ୍ଷାବର୍ଷରୁ ପାଠପଢା ହେବାର ଆଶା ମଉଳି ଯାଇଛି।

ଏନେଇ ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି ଯେ, ଏହି ମେଡିକାଲ କଲେଜ ପରିଚାଳନା ପାଇଁ ଦ୍ବିତୀୟ ଥର ଟେଣ୍ଡର ଡକାଯାଇଛି। ଚଳିତ ବର୍ଷ ସୁଦ୍ଧା ମେଡିକାଲ କଲେଜ ଓ ଡାକ୍ତରଖାନା ଆରମ୍ଭ ହୋଇଯିବ ବୋଲି ଆଶା କରାଯାଉଛି। ଏହାପରେ କେନ୍ଦ୍ର ସରକାରଙ୍କ ଟିମ୍ ଭିତ୍ତିଭୂମି ଯାଞ୍ଚ କରି ନାମଲେଖା ପାଇଁ ଅନୁମତି ଦେବେ।

Related Posts