‘ତାମିଲ ଲୋକ ନୁହେଁ, ଓଡ଼ିଶାର ଶାସନ କରିବେ ଓଡ଼ିଆ ପୁଅ’; ସମ୍ବଲପୁରରେ ଶାହଙ୍କ ସିଧା ନିଶାନା

ଭୁବନେଶ୍ୱର,୨୧/୫(ସତ୍ୟପାଠ ବ୍ୟୁରୋ):  ସମ୍ବଲପୁର ସଭାରେ ଆସୁ ଆସୁ ବର୍ଷିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଆତ୍ମାକୁ ଆଜି ଶାନ୍ତି ମିଳୁଥିବ । ଓଡ଼ିଶାରେ ଓଡ଼ିଆ ଭାଷା ସଂସ୍କୃତି ଆଧାରରେ ସରକାର ହେବାକୁ ଯାଉଛି । ଏଥର ଓଡ଼ିଶାରେ ଡବଲ ଇଂଜିନ ସରକାର ହେବାକୁ ଯାଉଛି ବୋଲି କହିଛନ୍ତି ଶାହ ।

ସେ ଆହୁରି କହିଛନ୍ତି ଯେ, ଏପର୍ଯ୍ୟନ୍ତ ଦେଶରେ ପାଞ୍ଚ ପର୍ଯ୍ୟାୟ ନିର୍ବାଚନ ସରିଗଲାଣି। ପାଞ୍ଚ ପର୍ଯ୍ୟାୟ ପରେ ମୋଦି ୩ ଶହ ପାର୍‌ କରିଗଲେଣି । ସାତ ପର୍ଯ୍ୟାୟ ନିର୍ବାଚନ ପରେ ୪ ଶହ ପାର୍‌ ହୋଇଯାଇଥିବ । ତେବେ ଓଡ଼ିଶାକୁ କେବଳ ୪ ଶହ ପାର୍‌ ନୁହେଁ, ଏଠାରେ ବି ପଦ୍ମ ଫୁଟିବା ଦରକାର । ଓଡ଼ିଶାର କଳା, ସଂସ୍କୃତିର ସୁରକ୍ଷା ପାଇଁ ବିଜେପି ସରକାର ଦରକାର ବୋଲି କହିଛନ୍ତି ଅମିତ ଶାହ ।

ଓଡ଼ିଶା ସରକାର ପାଇକ ବିଦ୍ରୋହକୁ ଭୁଲିବାକୁ ବ୍ୟବସ୍ଥା କରୁଛି । ପ୍ରଧାନମନ୍ତ୍ରୀ ପାଇକ ବିଦ୍ରୋହ ସ୍ମରଣରେ ସ୍ୱତନ୍ତ୍ର ମୁଦ୍ରା ପ୍ରଚଳନ କରିଛନ୍ତି । ନବୀନ ବାବୁ ଓଡ଼ିଆ ଅସ୍ମିତାର ତଣ୍ଟିଚିପିବାକୁ ଉଦ୍ୟମ କରିଛନ୍ତି । ଓଡ଼ିଶାରେ କୌଣସି ତାମିଲ ଲୋକ ଶାସନ କରିପାରିବେନି । ଓଡ଼ିଶାର ଶାସନ ଓଡ଼ିଶାର ସନ୍ତାନ ହିଁ କରିବେ ବୋଲି ସମ୍ବଲପୁର ସଭାରେ ଦୃଢ଼ୋକ୍ତିର ସହ କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।

ସେହିପରି ସେ ଆହୁରି କହିଛନ୍ତି ଯେ, ‘ଉତ୍କଳ ଭୂମିର ଶାସନ ଜଗନ୍ନାଥ ପରମ୍ପରାକୁ ଆଗକୁ ନେଉଥିବା ବ୍ୟକ୍ତି ହିଁ କରିବ । ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରାକୁ ବନ୍ଦ କରିବାକୁ ଷଡ଼ଯନ୍ତ୍ର କରାଯାଇଥିଲା । କିନ୍ତୁ ପ୍ରଧାନମନ୍ତ୍ରୀ ଜଗନ୍ନାଥ ପରମ୍ପରାକୁ ଅକ୍ଷୂଣ୍ଣ ରଖିବାକୁ କାମ କରିଥିଲେ । ସାରା ଦେଶରେ ଓଡ଼ିଶା ସମୃଦ୍ଧ, ଓଡ଼ିଶା ଲୋକ କିନ୍ତୁ ଗରିବ । ନବୀନ ବାବୁଙ୍କ ଲୋକ ଓଡ଼ିଶାର ଖଣିଜ ସଂପଦ ଲୁଟି ଚାଲିଛନ୍ତି । କଥା ଦେଉଛି, ବିଜେପି ସରକାର ଆସିଲେ ଖଣିଜ ସଂପଦର ସୁବିନିଯୋଗ ହେବ । ଓଡ଼ିଶାରେ ସବୁ ଅଛି, କିନ୍ତୁ ଗୋଟିଏ ଜିନିଷ ହିଁ କେବଳ ଅଭାବ । ତାହା ହେଉଛି ଓଡ଼ିଶା ପାଇଁ ପରିଶ୍ରମ କଲା ଭଳି ମୁଖ୍ୟମନ୍ତ୍ରୀ ନାହାନ୍ତି । କଥା ଦେଉଛି, ବିଜେପି ସରକାରରେ ଓଡ଼ିଶା ପାଇଁ ପରିଶ୍ରମୀ ମୁଖ୍ୟମନ୍ତ୍ରୀ ଦେବୁ’ ବୋଲି ଶାହ କହିଛନ୍ତି ।

ସେହିପରି ରାଜ୍ୟ ସରକାରଙ୍କ ଉପରେ ବର୍ଷି ସେ କହିଛନ୍ତି, ନବୀନ ସରକାର, ଖାଲି ଅଖାର ସରକାର । ମୋଦି ଚାଉଳ ଦେଉଛନ୍ତି, ନବୀନ ବାବୁ ଫଟୋ ଲଗା ଅଖା ଦେଉଛନ୍ତି । ଖାଲି ଅଖାରେ ପେଟ ପୁରେନି, ଯଦି ଦେବା କଥା ଚାଉଳ ଦିଅନ୍ତୁ । ରତ୍ନଭଣ୍ଡାର ପ୍ରସଙ୍ଗରେ ମଧ୍ୟ ରାଜ୍ୟ ସରକାରକୁ ଟାର୍ଗେଟ କରିଛନ୍ତି ଶାହ । ରତ୍ନଭଣ୍ଡାର ଚାବି ହଜିଲାଣି, ନକଲି ଚାବି ବାହାରିଲାଣି । ବିଜେପି ସରକାର ଆସିଲେ ରତ୍ନଭଣ୍ଡାର ହିସାବ ଖୁଲାସା ହେବ । ରତ୍ନ ଭଣ୍ଡାର ରିପୋର୍ଟକୁ ବିଜେପି ଆସିଲେ ସାର୍ବଜନୀନ କରିବ । ଆଦିବାସୀଙ୍କ ଜମି ବିକ୍ରି କରିବାର କାମ ଏଠି ଚାଲିଛି। ପେସା ଆଇନ ମଧ୍ୟପ୍ରଦେଶରେ ଲାଗୁ ହୋଇଛି, ଓଡ଼ିଶାରେ ବି ଲାଗୁ କରିବୁ ବୋଲି କହିଛନ୍ତି ଅମିତ ଶାହ ।

ସେହିପରି ସମ୍ବଲପୁର ସଭାରେ ଶାହ ଆହୁରି କହିଛନ୍ତି, ବିଜେପି ସରକାର ଆସିଲେ ମେଡିକାଲ ସାଇନ୍ସ ଓଡ଼ିଆରେ ପଢ଼ାଇବୁ । ୧୮ ମାସରେ ଚିଟ୍‌ଫଣ୍ଡର ସବୁ ଦୋଷୀଙ୍କୁ ଜେଲ୍‌ରେ ପୂରାଇବୁ । ଚିଟ୍‌ଫଣ୍ଡ ଦୋଷୀଙ୍କୁ ଜେଲ୍‌ରେ ପୂରାଇ ଲୋକଙ୍କୁ ପଇସା ଫେରାଇବୁ । ଓଡ଼ିଶାର ୧୫ ଲକ୍ଷ ଗରିବଙ୍କୁ ଆମେ ଘର ଦେବୁ ବୋଲି ଶାହ କହିଛନ୍ତି । ବିଜେଡି ସରକାର ରାମ ଉତ୍ସବରେ ଯୋଗଦେବାରେ ବାଧା ଦେଲେ । ମୋଦି ଦେଶକୁ ସୁରକ୍ଷିତ, ସମୃଦ୍ଧ ବନାଇଛନ୍ତି । ଆଗାମୀ ୨୫ ବର୍ଷ, ଭାରତର ୨୫ ବର୍ଷ ହେବ । ଓଡ଼ିଶାବାସୀ ନବୀନ ବାବୁଙ୍କୁ ବହୁତ ସହିଲେଣି । ନବୀନ ବାବୁ କିଛି କରୁନାହାନ୍ତି, ତାଙ୍କ ବାବୁମାନେ ଶାସନ କରୁଛନ୍ତି । ବିଜେପି ଆସିଲେ ଓଡ଼ିଶାର ସନ୍ତାନ ଶାସନ କରିବେ, ବାବୁ ନୁହେଁ । ବିଜେପିକୁ ବିଜୟୀ କରାନ୍ତୁ, ସମୃଦ୍ଧ ଓ ସ୍ୱାଭିମାନୀ ଓଡ଼ିଶା ବନାନ୍ତୁ ବୋଲି ସମ୍ବଲପୁର ସଭାରେ କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।

Related Posts