ବିଧାନସଭାରେ ଉଠିଲା ଖରସ୍ରୋତା ଆନ୍ଦୋଳନ ପ୍ରସଙ୍ଗ: ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର

(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : ଆଜି ବିଧାନସଭାରେ ଉଠିଛି ଖରସ୍ରୋତା ଆନ୍ଦୋଳନ ପ୍ରସଙ୍ଗ । ଏ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଶ୍ରୀ ମିଶ୍ର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଜଳ ସମ୍ପଦ ବିଭାଗର ବିନା ଅନୁମୋଦନରେ ଏହି ପ୍ରକଳ୍ପ ସେଠାରେ ଚାଲିଛି । ଏବଂ ଏହାକୁ ନେଇ ସେଠାକାର ସ୍ଥାନୀୟ ବାସିନ୍ଦା ଆନ୍ଦୋଳନ ଜାରି ରଖିଛନ୍ତି । ତେବେ ସେଠାରେ ପୋଲିସ ଲଗାଇ ଯେଉଁଭଳି ଭାବେ ପ୍ରକଳ୍ପ କାମ ଚାଲିଛି ତାହା ତାଲିବାନ ଶାସନ ସଦୃଶ୍ୟ ବୋଲି ନରସିଂହ ମିଶ୍ର କହିଛନ୍ତି  ।

ଏହାର ଜବାବ ରଖି ଆଳି ବିଧାୟକ ପ୍ରତାପ ଦେବ କହିଛନ୍ତି ଯେ, ଜଳ ସମ୍ପଦ ବିଭାଗର ଅନୁମୋଦନରେ ସେଠାରେ ପ୍ରକଳ୍ପ କାର୍ଯ୍ୟ ଚାଲୁଛି ଏବଂ ପୋଲିସ କିଛି ବି ଭୁଲ କରିନି , ପ୍ରକଳ୍ପ ସମ୍ପର୍କରେ ବିଭ୍ରାନ୍ତ କରି ଆନ୍ଦୋଳନ କରାଯାଉଛି ବୋଲି ପ୍ରତାପ ଦେବ କହିଛନ୍ତି । ଘରେ ଘରେ ପାଣି ପହଞ୍ଚାଇବା ପାଇଁ ଉଦ୍ୟମ କରାଯାଉଥିବା ନେଇ ପ୍ରତାପ ଦେବ କହିଛନ୍ତି। 

ସୂଚନାଯୋଗ୍ୟ ଯେ, ଗତ କିଛିଦିନ ତଳେ କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଭାରିଗଦାଠାରେ ଖରସ୍ରୋତା ନଦୀରେ ଆରମ୍ଭ ହୋଇଥିବା ମେଗା ପାନୀୟଜଳ ପ୍ରକଳ୍ପ ବିରୋଧରେ ସ୍ଥାନୀୟ ଲୋକଙ୍କ ଆନ୍ଦୋଳନ ଉଗ୍ର ରୂପ ଧାରଣ କରିଥିଲା। ହଜାର ହଜାର ଲୋକେ ପ୍ରକଳ୍ପ ସ୍ଥଳରେ ଏକତ୍ରିତ ହୋଇ କମ୍ପାନୀ ସାମଗ୍ରୀଙ୍କୁ ଚୂରମାର କରିବା ସହ ଟ୍ରକ୍‌, ଅଟୋ, ଆମ୍ବୁଲାନ୍ସକୁ ଭାଙ୍ଗିରୁଜି ପକାଇଥିଲେ। 

ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାର ଭରିଗଦାରେ ୮୦୦ କୋଟି ଟଙ୍କା ବିନିମୟରେ ପ୍ରସ୍ତାବିତ ମେଗା ପାନୀୟଜଳ ପ୍ରକଳ୍ପ ପାଇଁ ମିଳିଛି ଅନୁମତି । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଭଦ୍ରକ ଜିଲ୍ଲାର ୪ ବ୍ଲକକୁ ପାନୀୟ ଜଳ ଯୋଗାଇ ଦିଆଯିବ।

କିନ୍ତୁ ସ୍ଥାନୀୟ ଅଞ୍ଚଳରେ ନଦୀ ପାଣି ଲୁଣା ହୋଇଯିବ। ପାଣି ଅଭାବ ଯୋଗୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେବ । ଜୈବ ବିବିଧତା ଉପରେ ଏହାର ପ୍ରଭାବ ପଡ଼ିବ ବୋଲି କୁହାଯାଇ ଖରସ୍ରୋତା ବଞ୍ଚାଅ ସମିତି ପକ୍ଷରୁ ଏହାକୁ ବିରୋଧ କରାଯାଉଛି।  କୃଷି, କୃଷକ, ଜୈବ ବିବିଧତାକୁ ଛାରଖାର କରି କୌଣସି ପରିସ୍ଥିତିରେ ବି ଖରସ୍ରୋତାରୁ ବୁନ୍ଦାଏ ପାଣି ଦିଆଯିବ ନାହିଁ ବୋଲି ସମିତି ପକ୍ଷରୁ ଚେତାବନୀ ଦିଆଯାଇଛି। ଖରସ୍ରୋତା ନଦୀର ତଳମୁଣ୍ଡରେ ବ୍ୟରେଜ ନିର୍ମାଣ କରି ପାନୀୟଜଳ ପ୍ରକଳ୍ପ ନିର୍ମାଣ  କରିବା ପାଇଁ ଆନ୍ଦୋଳନକାରୀ ଦାବି କରିଛନ୍ତି । 

Related Posts