ଭାରତ ଯୋଡ ଯାତ୍ରା ପାଇଁ ଭାଜପାର ମିଛ ତିଆରି କାରଖାନାରେ ଓଭର ଟାଇମ୍ ଚାଲିଛି: ଜୟରାମ ରମେଶ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭାରତ ଯୋଡ ଯାତ୍ରା ସମ୍ପର୍କରେ ଭାଜପାର ଅଭିଯୋଗ ଉପରେ କଂଗ୍ରେସ ପକ୍ଷରୁ କଡ଼ା ଜବାବ ଦିଆଯାଇଛି। କଂଗ୍ରେସର ବରିଷ୍ଠ ନେତା ତଥା ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ ଭାଜପା ଉଦ୍ଦେଶ୍ୟରେ କହିଛନ୍ତି ଯେ, ଆମେ ଟି-ଶର୍ଟ ଏବଂ ଅନ୍ତର୍ବସ୍ତ୍ରକୁ ପ୍ରସଙ୍ଗ କରିବାକୁ ଚାହୁଁନାହିଁ।ଏକ ଗଣମାଧ୍ୟମ ସମ୍ମିଳନୀକୁ ସମ୍ବୋଧିତ କରି ରମେଶ କହିଛନ୍ତି ଯେ ଯଦି ସେମାନେ କଣ୍ଟେନର, ଜୋତା ଏବଂ ଟି-ଶର୍ଟକୁ ପ୍ରସଙ୍ଗ କରିବାକୁ ଚାହୁଁଛନ୍ତି ତେବେ ମୁଁ କହିବାକୁ ଚାହେଁ ଯେ, ଏହା ଭାଜପାର ଭୟକୁ ଦର୍ଶାଉଛି। ସେମାନେ ଭୟଭୀତ ହୋଇ ଏଭଳି କହୁଛନ୍ତି। ସେ ଆହୁରି କହିଛନ୍ତି, ସୋସିଆଲ ମିଡିଆରେ ଭାଜପା ମିଛ ତିଆରି କାରଖାନା ଚଳାଉଛି। ଆଉ ଭାରତ ଯୋଡ ଯାତ୍ରା ପାଇଁ ଭାଜପାର ଏହି ମିଛ ତିଆରି କାରଖାନାରେ ଓଭର ଟାଇମ୍ ଚାଲିଛି। ତେଣୁ ଭାଜପା ନେତାଙ୍କ ମିଥ୍ୟା ଏବଂ ଭିତ୍ତିହୀନ ବିବୃତ୍ତି ସବୁ ସାମ୍ନାକୁ ଆସୁଛି। ଏହା ସ୍ପଷ୍ଟ ହୋଇଛି ଯେ ଭାଜପା ଚିନ୍ତାରେ ଅଛି। ଏହା ଦର୍ଶାଉଛି ଯେ ଭାରତ ଯୋଡ ଯାତ୍ରାକୁ ଜନସାଧାରଣଙ୍କ ସମର୍ଥନ ମିଳୁଛି।

ଜୟରାମ ରମେଶ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ମନ କି ବାତ ଭାରତ ଯୋଡ ଯାତ୍ରାରେ ହୁଏ ନାହିଁ। ଭାରତ ଯୋଡ ଯାତ୍ରାରେ ଜନସାଧାରଣଙ୍କ ପାଇଁ ଚିନ୍ତା କରାଯାଇଥାଏ। ମୁଁ କେବେ ଭାବି ନଥିଲି ଯେ ଏହା ଲୋକଙ୍କ ପାଇଁ ଚିନ୍ତା ସହିତ ଭାଜପା ପାଇଁ ଚିନ୍ତା ହେବ। ପାଞ୍ଚ ଦିନ ମଧ୍ୟରେ ତାମିଲନାଡୁ ଏବଂ କେରଳରେ ଆମ ସଂଗଠନରେ ଉତ୍ସାହ ଦେଖାଦେଇଛି। ଦଳର ପ୍ରତ୍ୟେକ କର୍ମୀଙ୍କ ମନୋବଳ ବୃଦ୍ଧି ପାଇଛି, ଏହା ମଧ୍ୟ ଭାରତ ଯୋଡ଼ର ଅନ୍ୟତମ ଉଦ୍ଦେଶ୍ୟ ଥିଲା ବୋଲି ସେ କହିଛନ୍ତି।

Related Posts