ପଦ୍ମପୁର ଉପନିର୍ବାଚନ; ବିଜେପିର ପ୍ରାର୍ଥୀ ହେଲେ ପ୍ରଦୀପ ପୁରୋହିତ, ବିଧିବଦ୍ଧ ଭାବେ ଘୋଷଣା କଲେ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବରଗଡ଼ ଜିଲ୍ଲାର ପଦ୍ମପୁର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବେ ପୂର୍ବତନ ବିଧାୟକ ତଥା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ । ଏନେଇ ଆଜି ବିଧିବଦ୍ଧ ଭାବେ ଘୋଷଣା କଲେ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି। ଡିସେମ୍ବର ୫ରେ ହେବାକୁ ଥିବା ପଦ୍ମପୁର ଉପନିର୍ବାଚନରେ ପ୍ରଦୀପ ପୁରୋହିତ ଲଢ଼ିବେ। ଆସନ୍ତା ନଭେମ୍ବର ୧୪ ତାରିଖରେ ପ୍ରଦୀପ ନାମାଙ୍କନପତ୍ର ଦାଖଲ କରିବେ। ତେବେ ଏନେଇ ଗତକାଲି ବିଜେପି ବିଧାୟିକା କୁସୁମ ଟେଟେ ସୂଚନା ଦେଇଥିଲେ ମଧ୍ୟ ଆଜି ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ ଯେ, ଶ୍ରୀ ପୁରୋହିତ ୨୦୧୪ରୁ ୨୦୧୯ ଯାଏଁ ପଦ୍ମପୁର ବିଧାୟକ ଥିଲେ । ଅଞ୍ଚଳର ପ୍ରଭାବଶାଳୀ ବିଜେଡି ନେତା ତଥା ବିଧାୟକ ବିଜୟ ରଞ୍ଜନ ସିଂହବରିହାଙ୍କୁ ପରାଜିତ କରି ପଦ୍ମପୁର ଆସନ ହାତେଇଥିଲେ । କୃଷି ସମସ୍ୟା, ଗନ୍ଧମାର୍ଦ୍ଦନର ସୁରକ୍ଷା, ନୃସିଂହନାଥ ପୀଠର ଉନ୍ନତି ଆଦି ପ୍ରସଙ୍ଗରେ ବିଧାନସଭାରେ ପକ୍ଷ ରଖି ଅଞ୍ଚଳବାସୀଙ୍କ ହୃଦୟ ଜିଣିଥିଲେ । ମାତ୍ର ୨୦୧୯ ନିର୍ବାଚନରେ ବିଜୟ ରଞ୍ଜନ ସିଂହବରିହାଙ୍କଠାରୁ ପରାଜିତ ହୋଇଥିଲେ । ତାଙ୍କ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଓ ଜନଆନ୍ଦୋଳନରେ ଦକ୍ଷତା ପାଇଁ ବିଜେପି ତାଙ୍କୁ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି କରିଥିଲା । ଏହି ପଦରେ ସେ କାର୍ଯ୍ୟ ସମ୍ପାଦନ କରିଆସୁଥିଲେ ।

ଏ ନେଇ ଶ୍ରୀ ପୁରୋହିତ କହିଛନ୍ତି ରାଜନୀତିରେ ପଶିଲା ଦିନଠାରୁ କାମ କରିଆସୁଛି । ଲୋକେ ହିଁ ମୂଲ୍ୟାୟନ କରିବେ ଏବଂ ଦଳକୁ ନିଶ୍ଚିତ ସଫଳତା ମିଳିବ ବୋଲି କହିଛନ୍ତି । ୧୯୮୩ରୁ ଗନ୍ଧମାର୍ଦ୍ଦନ ବଞ୍ଚାଅ ଆନ୍ଦୋଳନରୁ ବିକଳ୍ପ ରାଜନୀତିକୁ ଓହ୍ଲାଇଥିବା ଶ୍ରୀ ପୁରୋହିତ ଅଞ୍ଚଳବାସୀଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ଲଢ଼େଇ କରୁଥିବା ବେଳେ ୨୦୦୯ରେ ବିଜେପିରେ ଯୋଗଦେଇ ବିଜେପି ଟିକେଟରେ ନିର୍ବାଚନ ଲଢ଼ିଥିଲେ ।

Related Posts