ବରଗଡ:ପଦ୍ମପୁର ଉପନିର୍ବାଚନକୁ ନେଇ ପ୍ରାର୍ଥିପତ୍ର ଦାଖଲ ଓ ଯାଞ୍ଚ୍ ପକ୍ରିୟା ଶେଷ ହୋଇଥିବା ବେଳେ, ସୋମବାର ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାର ଶେଷ ଦିନ ଥିଲା । ଶେଷ ଦିନରେ ଜଣେ ପ୍ରାର୍ଥୀ ନିଜର ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଛନ୍ତି । ଏହି ପ୍ରାର୍ଥୀ ହେଉଛନ୍ତି ରେବତୀ ଗିରି । ସେ ସ୍ବାଧିନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏହି ସ୍ବାଧୀନ ପ୍ରାର୍ଥିନୀ ପଦ୍ମପୁର ରେସରୁ ବାହାରିବା ପରେ ଏବେ ମୈଦାନରେ ୧୦ ଜଣ ପ୍ରାର୍ଥୀ ରହିଛନ୍ତି ।
ଉପନିର୍ବାଚନ ପାଇଁ ଛକାପଞ୍ଝା ମଧ୍ୟରେ ଶେଷଦିନରେ ମୋଟ ୧୩ ଜଣ ନାମାଙ୍କନ ଦାଖଲ କରିଥିଲେ । କିନ୍ତୁ ଯାଞ୍ଚ ପ୍ରକ୍ରିୟା ବେଳେ ୨ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଖାରଜ ହୋଇଯାଇଥିଲା । ଏହାପରେ ୧୧ ଜଣଙ୍କ ପ୍ରାର୍ଥିପତ୍ର କାଏମ ରହିଥିଲା । ମାତ୍ର ସ୍ଵାଧୀନ ପ୍ରାର୍ଥିନୀଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ନିର୍ବାଚନ ରଣାଙ୍ଗନକୁ ୧୦ ଜଣ ପ୍ରାର୍ଥୀ ଓହ୍ଲାଇବେ । ବିଜେଡି ଦଳରୁ ବର୍ଷା ସିଂ ବରିହା, ଭାଜପାରୁ ପ୍ରଦୀପ ପୁରୋହିତ, କଂଗ୍ରେସରୁ ସତ୍ୟଭୂଷଣ ସାହୁ, ଓଜେପିରୁ ମୁକ୍ତେଶ୍ୱର ଦାଶ, ଅଖିଲ ଭାରତ ହିନ୍ଦୁ ମହାସଭାରୁ ବିଦ୍ୟାଧର ପାଣ୍ଡବ ଏବଂ ସ୍ବାଧୀନ ପ୍ରାର୍ଥୀ ଭାବେ ବୃନ୍ଦାବନ ପୁରୋହିତ, ଉଦିତ ବୋଣ୍ଡିଆ, ଦେବାର୍ଚ୍ଚନ ନାଏକ, ଶେଷଦେବ ସାହୁ ଓ ଗଙ୍ଗାଧର ସାହା, ଏହି ୧୦ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଲଢ଼େଇ ହେବ ।
ଡିସେମ୍ବର ୫ରେ ପଦ୍ମପୁର ଆସନ ପାଇଁ ମତଦାନ ହେବ ଓ ୮ରେ ଫଳାଫଳ ପ୍ରକାଶ ପାଇବ । ଏଠାରେ ୨, ୫୭, ୪୭୪ ଜଣ ଭୋଟର ରହିଛନ୍ତି । ସେମାନଙ୍କ ମଧ୍ୟରେ ୧, ୨୯, ୪୯୭ ପୁରୁଷ ଭୋଟର ଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ୧, ୨୭, ୯୬୫ । ୧୨ ଜଣ କିନ୍ନର ଭୋଟର ରହିଛନ୍ତି । ସେହିଭଳି ଏହି ନିର୍ବାଚନମଣ୍ଡଳୀରେ ୧୯୯ ସର୍ଭିସ ଭୋଟର ଅଛନ୍ତି । ବରିଷ୍ଠ ଓ ଭିନ୍ନକ୍ଷମ ଭୋଟରଙ୍କ ସଂଖ୍ୟା ୬୯୫୧ । ୮୦ ବର୍ଷରୁ ଊର୍ଦ୍ଧ୍ବ ଭୋଟର ସଂଖ୍ୟା ୪୩୯୩ ଓ ଭିନ୍ନକ୍ଷମ ଭୋଟରଙ୍କ ସଂଖ୍ୟା ୨୫୫୮ ।
