ସ୍କୁଲ ପିଲାଙ୍କୁ ଗାଡ଼ି ମନା

ଭୁବନେଶ୍ୱର: ଏଣିକି ସ୍କୁଲ ପିଲାଙ୍କୁ ଗାଡ଼ି ମନା । କମ ବୟସର ସ୍କୁଲ ଛାତ୍ରଛାତ୍ରୀଙ୍କୁ ସ୍କୁଲକୁ ଗାଡ଼ି ନେଇ ଆସିବା ଉପରେ ବାରଣ କଲା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ । ଏନେଇ ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଚିଠି କରି କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି ନିଦ୍ଦେଶାଳୟର ଉପନିର୍ଦ୍ଦେଶକ ।

୧୮ ବର୍ଷରୁ କମ୍ ବୟସ ପିଲାମାନେ ଯେପରି ମୋଟର ସାଇକଲ ଆଣି ବିଦ୍ୟାଳୟକୁ ନ ଆସନ୍ତି ସେନେଇ ପ୍ରଧାନ ଶିକ୍ଷକମାନେ ନଜର ରଖିବେ । ଯଦି କୌଣସି ଛାତ୍ରଛାତ୍ରୀ ଗାଡ଼ି ଚଲାଇବା ସମୟରେ ଧରାପଡ଼ନ୍ତି ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ଯଦି କୈାଣସି ଛାତ୍ରଛାତ୍ରୀ ବିଦ୍ୟାଳୟକୁ ବାଇକ୍ କିମ୍ବା ସ୍କୁଟି ଆଣି ଆସୁଥିବେ ତେବେ ସ୍କୁଲ କର୍ତୃପକ୍ଷ ତାଙ୍କୁ ବାରଣ କରିବେ । ନିଦ୍ଦେଶାଳୟର ଉପନିର୍ଦ୍ଦେଶକ ଏନେଇ ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଚିଠି ଲେଖିଛନ୍ତି । ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ଏହି ନୟମକୁ କଡ଼ାକଡ଼ି ମାନିବା ସହ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଏଦିଗରେ ସଚେତନ କରାଇବାକୁ ଏହି ଚିଠିରେ ଉଲ୍ଲେଖ ରହିଛି । ସରକାରୀ ସମେତ ବେସରକାରୀ ବିଦ୍ୟାଳୟଗୁଡ଼ିକ ମଧ୍ୟ ନିୟମ ପାଳନ କରିବାକୁ କୁହାଯାଇଛି ।

ଛାତ୍ରଛାତ୍ରୀ ଯେପରି ଦୁର୍ଘଟଣାର ଶିକାର ନ ହୁଅନ୍ତି ସେଥିପ୍ରତି ଅଧିକ ଗୁରୁତ୍ୱ ଦିଆଯିବା ସହ ପିଲା ଓ ଅଭିଭାବକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଧ୍ୟାନ ଦିଆଯାଉଛି । +୨ରେ ପଢ଼ୁଥିବା ବହୁ ପରିମାଣର ଛାତ୍ରଛାତ୍ରୀ ଗାଡ଼ି ଚଲାଉଥିବା ବେଳେ କେତେକ ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମଧ୍ୟ ଗାଡ଼ି ଚଲାଉଥିବା ଜଣାପଡ଼ିଛି । ଏହା ପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଏହି ଗାଇଡ୍‌ଲାଇନ୍ ଜାରି କରାଯାଇଛି ।

୧୮ ବର୍ଷରୁ କମ୍ ତଥା +୨ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଗାଡ଼ି ଚଲାଇବେ ନାହିଁ । ଏହା ସହ ସ୍କୁଲ ବସ୍ ନୀତି ଯେପରି ଠିକ୍ ଭାବେ ପାଳନ କରାଯିବ ସେଦିଗରେ ମଧ୍ୟ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ଯାତ୍ରୀଧାରଣ କ୍ଷମତା ଠାରୁ ଅଧିକ ହେଲେ ଅଟୋରେ ଯାଉଥିବା ଛାତ୍ରଛାତ୍ରୀ ବହୁ ସମୟରେ ଦୁର୍ଘଟଣାର ଶିକାର ହୁଅନ୍ତି । ତେଣୁ ରାଜ୍ୟ ସଡ଼କ ସୁରକ୍ଷା ପରିଷଦର ନିୟମ ଅନୁଯାୟୀ ଯେପରି ଅଧିକ ଛାତ୍ରଛାତ୍ରୀ ଗୋଟିଏ ଗାଡ଼ିରେ ନ ଯାଆନ୍ତି ସେ ଦିଗରେ ଅଧ୍ୟକ୍ଷମାନେ ଗୁରୁତ୍ୱ ଦେବାକୁ ନି‌ର୍ଦ୍ଦେଶ ଦିଆଯାଇଛି ।

Related Posts