ଅନୁପ୍ରବଶେ ଉଦ୍ୟମ ବେଳେ ଗିରଫ ପାକିସ୍ତାନୀ ଆତଙ୍କବାଦୀର ହୃଦ୍‌ଘାତରେ ମୃତ୍ୟୁ

ରାଜୌରୀ: ହୃଦ୍‌ଘାତରେ ଆଖି ବୁଜିଲା ଜଣେ ପାକିସ୍ତାନୀ ଆତଙ୍କବାଦୀ । ଦୁଇ ସପ୍ତାହ ତଳେ ଅନୁପ୍ରବଶେ ଉଦ୍ୟମ ବେଳେ ଧରାପଡ଼ିଥିବା ପାକିସ୍ତାନୀ ଆତଙ୍କବାଦୀ ହୃଦ୍‌ଘାତରେ ଆଖି ଵୁଜିଛି । ଜମ୍ମୁ ଓ କଶ୍ମୀରର ରାଜୌରୀ ସେନା ହସ୍ପିଟାଲ୍‌ରେ ତାଙ୍କର ଚିକିତ୍ସା ଚାଲିଥିଲା।

ତବାରକ୍‌ ହୁସେନ୍‌ ନାମକ ଉକ୍ତ ଆତଙ୍କବାଦୀ ଗତ ମାସରେ ରାଜୌରୀ ଜିଲ୍ଲା ଅନ୍ତର୍ଗତ ନୌଶେରା ସେକ୍ଟର୍‌ସ୍ଥିତ ନିୟନ୍ତ୍ରଣ ରେଖା ନିକଟରେ ଅନୁପ୍ରବେଶ କରିବା ପାଇଁ ଉଦ୍ୟମ କରୁଥିଲା। ସେନା ଗୁଳିଚୋଟରେ ସେ ଆହତ ମଧ୍ୟ ହୋଇଥିଲା। ଜମ୍ମୁ ଓ କଶ୍ମୀରରେ ‘ଫିଦାୟୀନ୍‌’ ଆତଙ୍କବାଦୀ ଆକ୍ରମଣ କରିବା ଲାଗି ପାକିସ୍ତାନ ସେନା ତାକୁ ପଠାଇଥିବା କଥା ସେ ଡାକ୍ତରଖାନାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିଲା।

ପାକିସ୍ତାନ ଅଧିକୃତ କଶ୍ମୀର ସବଜ୍‌କୋଟ୍‌ ଗ୍ରାମନିବାସୀ ହୁସେନ୍‌ ମଧ୍ୟ ସ୍ବୀକାର କରିଥିଲା ଯେ, ‘ଇଣ୍ଡିଆନ୍‌ ଆର୍ମି ପୋଷ୍ଟ୍‌’ ଆକ୍ରମଣ କରିବା ପାଇଁ ସେମାନେ ଯୋଜନା କରିଥିଲେ।

ସେ ଆହୁରି ମଧ୍ୟ କହିଥିଲା ଯେ, ୟୁନୁସ୍‌ ଚୌଧରୀ ନାମରେ ‘ପାକିସ୍ତାନ୍‌ ଇଣ୍ଟେଲିଜେନ୍‌ସ୍‌ ଏଜେନ୍‌ସି’ର ଜଣେ କର୍ଣ୍ଣେଲ୍‌ ତାଙ୍କୁ ୩୦,୦୦୦ ପାକିସ୍ତାନୀ ମୁଦ୍ରା ଦେଇ ପଠାଇଥିଲେ। ସୁଯୋଗ ପାଇବା ମାତ୍ରେ ଦୁଇତିନିଟି ଭାରତୀୟ ଫର୍‌ୱାର୍ଡ ପୋଷ୍ଟ୍‌ ଉପରେ ଆକ୍ରମଣ କରିବା ଲାଗି ସେ ଅନ୍ୟାନ୍ୟ ଆତଙ୍କବାଦୀ ମସୁଧା କରିଥିଲେ।

ଉଲ୍ଲେଖଯୋଗ୍ୟ, କର୍ଣ୍ଣେଲ୍‌ ୟୁନୁସ୍‌ ଚୌଧରୀ ପଠାଇଥିବା ତବାରକ୍‌ ଓ ତା’ର ଭାଇ ହାରୁନ୍‌ ଅଲି ୨୦୧୬ରେ ମଧ୍ୟ ଉପରୋକ୍ତ ସେକ୍ଟର୍‌ରେ ଭାରତୀୟ ସେନାଦ୍ବାରା ଧରାପଡ଼ିଥିଲେ। କିନ୍ତୁ, ମାନବୀୟ ଦୃଷ୍ଟିକୋଣରୁ ତାଙ୍କୁ ୨୦୧୭ ନଭେମ୍ବରରେ ଛାଡ଼ି ଦିଆଯାଇଥିଲା।

Related Posts